ହରଭଙ୍ଗା,୧୩/୦୫: କାମ କରି ପ୍ରାପ୍ୟ ପାଇବା ପାଇଁ ବିଡ଼ିଓଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଶେଷରେ ସପରିବାର କୋଡିଏ ରୁ ତିରିଶ ମହିଳା /ପୁରୁଷ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଫିସ ଆଗରେ ସୋମବାର ଗଣଧାରଣା ଦେଇଥିବା ଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ।ପ୍ରକାଶ ଯେ ବ୍ଲକର ତିଲେଶ୍ଵର ପଞ୍ଚାୟତ ଖଣ୍ଡହତା ଗ୍ରାମର ମୁକୁନ୍ଦ ଭୋକ୍ତା,କୁଶ ମହାକୁଡ଼,କହ୍ନାଇ ପ୍ରଧାନ ପ୍ରମୁଖ ୨୦୨୪ ଫେବୃଆରୀ ପୂର୍ବରୁ ଦୁଇ ଲକ୍ଷ ଟଙ୍କାରେ କନ୍ଦି ସାହି ରାସ୍ତା କାମକରିଥିଲେ । ସେହିପରି ତିଲେଶ୍ବର ଗ୍ରାମର ସୁଶାନ୍ତ ଡାଙ୍ଗ,କୁବେର ବାରିକ, ପୂର୍ଣ ଚନ୍ଦ୍ର ବାରିକ,କୃଷ୍ଣ ନାୟକ,ରମେଶ ଝାଙ୍କର ପ୍ରମୁଖ ଆର୍ଥିକ ବର୍ଷ ୨୦୨୩-୨୦୨୪ ପୂର୍ବରୁ ବ୍ଲକର ତିଲେଶ୍ବର ଠାରୁ ଘିମୁହାଣୀ ରାସ୍ତାକାମ ୨ଲକ୍ଷ ଟଙ୍କାରେ କରିଥିଲେ । ଉଭୟ ଗ୍ରାମବାସୀ ଯନ୍ତ୍ରୀ ଗଗନ କୁମାର ବିନ୍ଧାଣି ଙ୍କ ନିର୍ଦେଶ କ୍ରମେ କରିଥିଲେ। ମାତ୍ର କାମ ପରେ ବିଲ ହୋଇ ପେମେଣ୍ଟ ସରିଥିବା ବେଳେ ସେମାନେ ପ୍ରାପ୍ୟରୁ ବଞ୍ଚିତ ହୋଇ ଉଭୟ ଗ୍ରାମବାସୀ ବି.ଡି.ଓ ଙ୍କ ଦ୍ୱାରସ୍ଥ ହୋଇଥିଲେ । ସାତଦିନ ମଧ୍ୟରେ ପ୍ରାପ୍ୟ ନ ମିଳିବାରୁ ଉଭୟ ଗ୍ରାମର ଅଭିଯୋଗକାରୀ ଆଜି ସକାଳେ ବ୍ଲକରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିବା ସମୟରେ ଅଫିସ ଆଗରେ ସପରିବାର ଧାରଣା ଦେଇଥିଲେ। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ନିର୍ଦେଶକ୍ରମେ ବୌଦ୍ଧ ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ,ବି.ଡି.ଓ ଙ୍କ ଉପସ୍ଥିତିରେ ଆନ୍ଦୋଳନକାରୀଙ୍କୁ ଡ଼କାଇ ଏ ବିଷୟରେ ଆଲୋଚନା କରିବା ସହିତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।