ପ୍ରବଳ ବର୍ଷାରେ ପୁଣି ଭୁଶୁଡ଼ିଲା କଳିଙ୍ଗା ଘାଟି ।

0 421

ଭଞ୍ଜନଗର, ୨୨/୦୯(ପିପିଟି ):ଗଞ୍ଜାମ କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ପୁଣି ଅଘଟଣ ଘଟିଛି। ଗଲା କିଛିଦିନ ତଳେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ହୋଇ ବିଜୟ ୱାଡ଼ା-ରଞ୍ଚି କରିଡର ୧୫୭ନଂ ଜାତୀୟ ରାଜପଥର କଳିଙ୍ଗା ଘାଟିରେ ମାଟି ଅତଡ଼ା ଧସିବା ସହ ବଡ଼ ବଡ଼ ପଥର ଖଣ୍ଡ ଖସିଥିଲା।ଏହାର ପ୍ରଭାବରେ ଏକ ପୋଲ ମଧ୍ୟ ଧୋଇ ହୋଇଯାଇଥିଲା।ଯାହା ଫଳରେ ଗଞ୍ଜାମ କନ୍ଧମାଳ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା।ଉକ୍ତ ସ୍ଥାନକୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପଜିଲ୍ଲାପାଳ ଉମା ଶଙ୍କର ବେହେରା ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।ତୁରନ୍ତ ଏହାର ମରାମତି ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଭୂସ୍ଖଳନ ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଆଜି ପ୍ରବଳ ବର୍ଷା ହୋଇଥିଲା । ଯାହା ଫଳରେ ପାହାଡ଼ରେ ଅଟକି ରହିଥିବା ବଡବଡ ପଥର ଗୁଡିକ ପୁଣି ପାଣି ସୁଅରେ ଖସିବାରେ ଲାଗିଛି।ନିର୍ମାଣ ଶ୍ରମିକଙ୍କ ମଧ୍ୟରେ କିଛି ଅଘଟଣ ଘଟି ନଥିଲେ ମଧ୍ଯ ପ୍ରବଳ ବର୍ଷା ପୁଣି ବିପଦର ସଙ୍କେତ ଦେଇଛି।ଉକ୍ତ ସ୍ଥାନରେ ଅସ୍ଥାୟୀ ଭାବେ ଛୋଟ ଛୋଟ ଯାନବାହନ ଚଳାଚଳ ନିମନ୍ତେ ଏକ ରାସ୍ତା ନିର୍ମାଣ ଚାଲିଥିବା ବେଳେ ତାହା ପୁଣିଥରେ ଧୋଇ ହୋଇଯାଇଛି।ଆଗକୁ ପୁଣି ଲଘୁଚାପଜନିତ ବର୍ଷା ଆଶଙ୍କା ଥିବାରୁ ରାସ୍ତା ନିର୍ମାଣର ଅଗ୍ରଗତିକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.