ସୁବର୍ଣ୍ଣପୁର ,୨୧/୦୮(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରେ ରାକ୍ଷୀ ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ପ୍ରକୃତି ବନ୍ଧୁ ଶ୍ରୀମତୀ ସନ୍ତୋଷିନୀ ନନ୍ଦଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୋନପୁର ବ୍ଲକର ଅବସରପ୍ରାପ୍ତ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ମନୋରମା ମିଶ୍ର ଓ ସମ୍ମାନୀତ ଅତିଥି ଭାବରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ଉ.ପ୍ରା. ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭରତ କୁମାର ମହାପାତ୍ର ଯୋଗ ଦେଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଗଛଟିଏ ମୁଁ ଗଛଟିଏ ନୃତ୍ୟ ସୁନ୍ଦର ଭାବରେ ପରିବେଷିତ ହୋଇଥିଲା। ମୁଖ୍ୟ ଅତିଥି ଶ୍ରୀମତୀ ମିଶ୍ର ନିଜ ଅଭିଭାଷଣରେ ବଜ୍ରପାତରୁ ରକ୍ଷା ପାଇବାକୁ ଅଧିକରୁ ଅଧିକ ତାଳ ଗଛ ରୋପଣ ଉପରେ ଗୁରୁତ୍ବ ଦେଇଥିଲେ । ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ମହାପାତ୍ର ଛୋଟ ହେଉ କି ବଡ଼ ହେଉ ପ୍ରତ୍ୟେକ ଗଛର ଅନେକ ଉପକାରିତା ତଥା ପରିବେଶ ପ୍ରତି ଅନେକ ଗୁରୁତ୍ୱ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଛାତ୍ରୀ ପରସ୍ପରକୁ ରାକ୍ଷୀ ବାନ୍ଧିବା ସହ ସମସ୍ତେ ମିଶି ବିଦ୍ୟାଳୟ ପରିସରରେ ଥିବା ତଥା ବିଦ୍ୟାଳୟ ବାହାରେ ଥିବା ବୃକ୍ଷମାନଙ୍କରେ ରାକ୍ଷୀ ବାନ୍ଧି ତା’ର ରକ୍ଷା କରିବାକୁ ଶପଥ ନେଇଥିଲେ। ଏହି ଅବସରରେ ବିଦ୍ୟାଳୟ ବାହାରେ ରାସ୍ତା କଡ଼ରେ ବୃକ୍ଷ ରୋପଣ କରାଯାଇଥିଲା । ସବୁଜ ସୁନ୍ଦର ବିଦ୍ୟାଳୟ ପରିବେଶ ଦେଖି ଅତିଥିମାନେ ବେଶ୍ ଆନନ୍ଦ ଅନୁଭବ କରିଥିଲେ । ବିଦ୍ୟାଳୟର ଅନ୍ୟତମ ପ୍ରକୃତି ବନ୍ଧୁ ଶିକ୍ଷକ ଗୋପେଶ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ମହେନ୍ଦ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ