ଖୋର୍ଦ୍ଧା,୧୮/୧୧ (ପିପିଟି): ଆମ ସମସ୍ତଙ୍କର ହିନ୍ଦୁଶାସ୍ତ୍ର ବର୍ଣ୍ଣିତ ଦେବ/ଦେବୀ ମାନଙ୍କ ବିଷୟରେ କିଛି କିଛି ଧାରଣା ରହିଛି। ଯେପରି… ଜଳ (ବରୁଣ ), ଅଗ୍ନି, ବାୟୁ, ସୂର୍ଯ୍ୟ, ଚନ୍ଦ୍ର, ଗଣେଶ, ଶିବ, ବିଷ୍ଣୁ, ଦୁର୍ଗା, କାଳୀ, ଲକ୍ଷ୍ମୀ ଇତ୍ୟାଦି। ତାହା ମଧ୍ୟରେ ଅନେକ ପ୍ରକୃତି ଭିତରେ ଦୃଶ୍ୟମାନ ଏବଂ ଅନେକ ଦେବ / ଦେବୀଙ୍କର ବର୍ଣ୍ଣନା ସେମାନଙ୍କର କିଛି ବିଶେଷ ଗୁଣକୁ ନେଇ କରାଯାଇଛି। ଅତଏବ ମନୁଷ୍ୟ ଦ୍ୱାରା ସୃଷ୍ଟ ଧର୍ମରେ… ଜୀବ ଶୃଙ୍ଖଳା ପାଇଁ ପ୍ରକୃତି ( ଈଶ୍ୱର ସୃଷ୍ଟ ଜୀବ, ଉଦ୍ଭିଦ ଏବଂ ନିର୍ଜୀବ ପଦାର୍ଥ )ଏବଂ ପ୍ରକୃତି(ବ୍ୟବହାରିକ ଜ୍ଞାନ )ର ପ୍ରଭାବ ଉପରେ ଗୁରୁତ୍ୱାରୋପ କରାଯାଇଛି। ବେଦ ଅନୁସାରେ ପ୍ରକୃତି ଉପାସନା ହିଁ ପ୍ରଧାନ ଧର୍ମ ବୋଲି ବର୍ଣ୍ଣନା କରାଯାଇଛି। ପରବର୍ତ୍ତୀ ସମୟରେ ଲୋକଙ୍କର ଏହି ସମ୍ବନ୍ଧୀୟ ନିୟମକୁ ଦୃଢ଼ କରିବା ପାଇଁ ବିଭିନ୍ନ ଦେବ /ଦେବୀ ମୂର୍ତ୍ତିର ପରିକଳ୍ପନା କରି ବର୍ଣ୍ଣନା କରାଯାଇଛି। ବିଭିନ୍ନ ଦେବତାଙ୍କର ପ୍ରିୟ ବୃକ୍ଷ, ପୁଷ୍ପ ଏବଂ ପତ୍ରକୁ ଜନମାନସରେ ଆଦୃତ କରି ବୃକ୍ଷ ତଥା ପ୍ରକୃତିକୁ ରକ୍ଷା କରିବାର ପ୍ରୟାସ କରାଯାଇଛି। ଦେବତାଙ୍କ ସନ୍ତୁଷ୍ଟି ପାଇଁ ସାଧନା ଏବଂ ଉପାସନାର ମାର୍ଗ ବିଷୟରେ ଉଲ୍ଲେଖ କରାଯାଇଛି। ପ୍ରଥମଟି ହେଉଛି ପ୍ରକୃତି(ସୃଷ୍ଟି)ର ସୁରକ୍ଷା ଏବଂ ଦ୍ଵିତୀୟଟି ହେଉଚି ମାନଵୀୟ ପ୍ରକୃତି(ଆଚରଣ)ର ସଂଯମତା। ଅନେକ ସମୟରେ ମନେହୁଏ ବେଦ କିମ୍ବା ପୁରାଣରେ ରଚିତ ଶ୍ଳୋକ କିମ୍ବା କଥାବସ୍ତୁ ଗୁଡ଼ିକ ବିଜ୍ଞାନ ଭିତ୍ତିକ ଏବଂ ପ୍ରତୀକାତ୍ମକ ରଚନା।
ଯେପରି ଶିବ ଉପାସନାରେ …
ଶିବ ହେଉଛନ୍ତି ଶିବଙ୍କୁ ସ୍ୱୟମ୍ଭୁ କୁହାଯାଏ। ଅର୍ଥାତ ସେ ଭୂ ରୁ ସ୍ୱତଃ ପ୍ରକଟ ହୋଇଥାନ୍ତି। ବୃକ୍ଷ ସହ ଶିବଙ୍କର ପରିକଳ୍ପନାକୁ ତୁଳନା କରାଯାଇପାରେ। କାରଣ ବୃକ୍ଷ ଭୂମିରୁ ପ୍ରକଟ ହୋଇଥାଏ।
ଶିବ ଅର୍ଥାତ ବୃକ୍ଷରାଜି, ସତ୍ୟ ଏବଂ ସୁନ୍ଦର ! ବୃକ୍ଷ ବା ଜଙ୍ଗଲକୁ ବାରମ୍ବାର ଦେଖିଲେ ମଧ୍ୟ ବିରକ୍ତି ଭାବ ଆସେ ନାହିଁ। ସେଥିରୁ ପ୍ରାକୃତିକ ଆନନ୍ଦ ହିଁ ମିଳିଥାଏ।
ଶିବଙ୍କର ଅନ୍ୟନାମ ଜଟାଧାରୀ । ବୃକ୍ଷ, ନିଜର ଓହଳ କିମ୍ବା ଅନ୍ୟ ଲଟାଦ୍ୱାରା ଆଛାଦିତ।
ଶିବଙ୍କୁ ନୀଳକଣ୍ଠ ଭାବରେ ସ୍ମରଣ କରାଯାଏ। ସମୁଦ୍ର ମନ୍ଥନ ସମୟରେ, ଶିବ, ଜଗତକୁ ବଞ୍ଚାଇବାକୁ, ବାସୁକୀଙ୍କ ମୁଖ ନିର୍ଗତ ହଳାହଳ ବିଷକୁ ପାନ କରିଥିଲେ ଏବଂ ସେହି ବିଷକୁ ପାନ କରି ନୀଳ ବର୍ଣ୍ଣ ଧାରଣ କରିଥିଲେ। ଠିକ ସେହିପରି ଜଗତ କଲ୍ୟାଣ ପାଇଁ ବୃକ୍ଷ, ବିଷତୁଲ୍ୟ ଅଙ୍ଗାରକାମ୍ଳକୁ ପାନ କରି ପ୍ରାଣୀ ଜଗତ ପାଇଁ ଆବଶ୍ୟକ ଅମ୍ଳଜାନ ଯୋଗାଇଥାଏ। ବୃକ୍ଷ ଯେ ନୀଳାକଣ୍ଠ, ଏହା କହିଲେ ଅତ୍ୟୁକ୍ତି ହେବନାହିଁ।
ଶିବଙ୍କୁ ଫଣି ଭୂଷଣ କୁହାଯାଏ। ବୃକ୍ଷ ଉପରେ କିମ୍ବା ତାହାର କୋରଡ଼ରେ ସରୀସୃପ ଜାତୀୟ ଜୀବ ନିଜର ଆଶ୍ରୟ ସ୍ଥଳୀ କରିଥାନ୍ତି। ବୃକ୍ଷକୁ ମଧ୍ୟ ଫଣିଭୂଷଣ କୁହାଯାଇପାରେ।
ଶିବ ହେଉଛନ୍ତି ପଶୁପତି। ବୃକ୍ଷରେ ପରିପୂର୍ଣ୍ଣ ଜଙ୍ଗଲ, ପଶୁ ମାନଙ୍କର ଆଶ୍ରୟ ଦାତା । ବୃକ୍ଷ ହିଁ ପଶୁ ମାନଙ୍କର ଜୀବନ ଧାରଣର ସହାୟକ। ଜଙ୍ଗଲ କିମ୍ବା ବୃକ୍ଷ ବିନା ପଶୁ ଜଗତର ବିଲୋପ ସୁନିଶ୍ଚିତ। ତେଣୁ ବୃକ୍ଷଙ୍କୁ ପଶୁପତି ବୋଲି ବିଚାର କରାଯାଇପାରେ।
ଶିବଙ୍କର ଅନ୍ୟନାମ ଗଙ୍ଗାଧର ! ଗଙ୍ଗା ହେଉଛନ୍ତି ଜଳର ଉତ୍ସ ବା ଜଳର ପ୍ରତୀକ। ଯଦି ଆମେ ଜଳଚକ୍ର ବା ବୃଷ୍ଟିପାତ ପାଇଁ ମେଘର ସୃଷ୍ଟିକୁ ଅନୁଧ୍ୟାନ କରିବା, ତେବେ ଜାଣିପାରିବା ଯେ ଏଥିରେ ମୂଖ୍ୟ ସହାୟକ ହେଉଛି ବୃକ୍ଷ। ଅର୍ଥାତ ବୃଷ୍ଟି କରାଇବାରେ ସହାୟକ ହେଉଛି ଉଦ୍ଭିଦ ଜଗତ। ଏପରିକି ପୃଥିବୀ ପୃଷ୍ଠରେ ଜଳ ସ୍ତର ନିୟନ୍ତ୍ରଣ ବୃକ୍ଷ ଦ୍ୱାରା ସମ୍ଭବ ହୋଇଥାଏ। ତେଣୁ ବୃକ୍ଷ ହିଁ ଶିବ।
ଶିବ ନିଜର ମସ୍ତକରେ ଚନ୍ଦ୍ରଙ୍କୁ ଧାରଣ କରିଥିବାରୁ ତାଙ୍କୁ ଚନ୍ଦ୍ର ଶେଖର କୁହାଯାଏ। ଚନ୍ଦ୍ର ହେଉଛନ୍ତି ଔଷଧ ମାନଙ୍କର ଅଧିପତି।ଚନ୍ଦ୍ରଙ୍କୁ ମସ୍ତକରେ ଧାରଣ କରିବା, ଅର୍ଥାତ ଔଷଧିୟ ଗୁଣର ଅଧିକାରୀ ଯେ ବୃକ୍ଷ ଏହାକୁ ଅସ୍ବୀକାର କରାଯାଇ ପାରିବନାହିଁ।
ତ୍ରିନେତ୍ର ହେଉଛନ୍ତି ଶିବ। ନେତ୍ର ଜୀବନ ଧାରଣ କ୍ଷେତ୍ରରେ ସହାୟକ। ବୃକ୍ଷର ଫୁଲ, ଫଳ ଏବଂ ପତ୍ର କୁ ତ୍ରିନେତ୍ର ସହିତ ତୁଳନା କରାଯାଇପାରେ।
ଶିବଙ୍କୁ ଅର୍ଦ୍ଧନାରୀଶ୍ଵର ଭାବେ ବର୍ଣ୍ଣନା କରାଯାଇଛି। ସୃଷ୍ଟି ପାଇଁ ବୃକ୍ଷ, ବଂଶବୃଦ୍ଧି କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ। ତେଣୁ ବୃକ୍ଷକୁ ଅର୍ଦ୍ଧନାରୀଶ୍ଵର ବା ଶିବଙ୍କ ସହ ତୁଳନା କରିବା ଅସମିଚୀନ ହେବ ନାହିଁ।ପାର୍ବତୀ ପତି ଶିବ। ପର୍ବତ ନନ୍ଦିନୀଙ୍କର ପତି, ବୃକ୍ଷ ବ୍ୟତୀତ ଆଉ କାହାର ପରିକଳ୍ପନା କରାଯାଇ ନପାରେ।ଶିବଙ୍କର ବାସସ୍ଥାନରେ, ତୃଣଭୋଜି ଜାତୀୟ ଗୋରୁ, ସିଂହ ବା ବ୍ୟାଘ୍ର ଭଳି ମାଂସାସୀ ପ୍ରାଣୀ, ସରୀସୃପ ଜାତୀୟ ପ୍ରାଣୀ (ସର୍ପ), ପକ୍ଷୀ (ମୟୁର), ମୂଷିକ ଇତ୍ୟାଦି ଅବସ୍ଥାନ କରିବାର ବର୍ଣ୍ଣନା ରହିଛି। ଅତଏବ ଶିବ ଶବ୍ଦର ଅର୍ଥ ଯେ ବୃକ୍ଷ ବା ଜଙ୍ଗଲ ପାଇଁ ଉଦ୍ଦିଷ୍ଟ ଏହା ସ୍ପଷ୍ଟ ଅନୁମେୟ।ତେଣୁ ଶିବ ଉପାସନାର ଅର୍ଥ ବୃକ୍ଷର ସୁରକ୍ଷା ଏବଂ ପ୍ରକୃତିର ସୁରକ୍ଷା ଉପରେ ଧ୍ୟାନ ଦବା ବୋଲି ବୁଝିବା ଠିକ ନୁହେଁ କି’?
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)