ପୋଲସରା ,୧୫/୦୨(ପିପିଟି): ପୋଲସରା ପୌର ପରିଷଦ ପାଇଁ ୨୧ ଗୋଟି ୱାର୍ଡର ସୀମାନିର୍ଦ୍ଧାରଣ ଓ ସଂରକ୍ଷଣ ତାଲିକା ଗଞ୍ଜାମ ଜିଲ୍ଲାପାଳ ଅନୁମୋଦନ କରିଛନ୍ତି। ସୂଚନାଯୋଗ୍ୟ ଯେ, ନବ ଗଠିତ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଚଳିତ ବର୍ଷ ଜୁନ୍ ମାସ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି କରିଥିବାବେଳେ ପୋଲସରା ପୌର ପରିଷଦର ୱାର୍ଡ ପୁନର୍ଗଠନ ଓ ସ୍ଥାନ ସଂରକ୍ଷଣ ଚୁଡ଼ାନ୍ତ ହୋଇଛି। ଚିଠା ତାଲିକା ଅନୁସାରେ ପୋଲସରା ଏନ.ଏ.ସିରୁ ପୌର ପରିଷଦ ହେବା ପୂର୍ବରୁ ଥିବା ୱାର୍ଡ ସଂଖ୍ୟା ୧୯ ରୁ ବୃଦ୍ଧି କରାଯାଇ ୨୧ଟି ୱାର୍ଡ କରାଯାଇଛି। ସେଥି ମଧ୍ୟରୁ ୱାର୍ଡ ନଂ ୨, ୪, ୫, ୭, ୯, ୧୫, ୧୭ ଓ ୧୯ ନଂ ଏହି ୮ଟି ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବାବେଳେ ୩ ଓ ୧୭ ନଂ ଏହି ଦୁଇଟି ୱାର୍ଡ ଅନୁସୂଚିତ ବର୍ଗ ମହିଳା ଏବଂ ୬ ନଂ ୱାର୍ଡ ଅନୁସୂଚିତ ଜନଜାତି ମହିଳାଙ୍କ ନିମନ୍ତେ ସଂରକ୍ଷଣ ରଖାଯାଇଛି। ଏତଦବ୍ଯତୀତ ୮ ନଂ ୱାର୍ଡଟି ଅନୁସୂଚିତ ଜାତି ବର୍ଗ ପାଇଁ ରହିଥିବାବେଳେ ୧, ୧୦, ୧୧, ୧୨, ୧୩, ୧୪, ୧୮,୨୦ ଓ ୨୧ ଏହି ନଅଗୋଟି ୱାର୍ଡଗୁଡ଼ିକ ଅସଂରକ୍ଷିତ ରହିଛି।ନୂତନ ଭାବେ ପୌର ପରିଷଦରେ ସାମିଲ ହୋଇଥିବା ବେଲଗାଁ ଗ୍ରାମ ପଞ୍ଚାୟତର ମନଶିଳା ଗ୍ରାମକୁ ୨୦ ନଂ ୱାର୍ଡ ଏବଂ ବେଲଗାଁ ଗ୍ରାମକୁ ନେଇ ୨୧ ନଂ ୱାର୍ଡ କରାଯିବା ସହିତ ଏହି ଉଭୟ ୱାର୍ଡକୁ ସଂରକ୍ଷଣ ମୁକ୍ତ ରଖାଯାଇଛି। ଆସନ୍ତା ୨୧ ତାରିଖ ଶନିବାର ଦିବସ ସୁଦ୍ଧା ଯେ କୌଣସି ବ୍ୟକ୍ତିଙ୍କଠାରୁ ଆପତ୍ତି ଅଭିଯୋଗ ଓ ପ୍ରସ୍ତାବ ଦେବାକୁ ଦିନ ଧାର୍ଯ୍ୟ ରଖାଯାଇଛି। ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବରୁ ଥିବା ସମସ୍ତ ୧୯ ଗୋଟି ୱାର୍ଡର ସୀମା ପୂର୍ବପରି ଅପରିବର୍ତ୍ତିତ ରହିଛି। କେବଳ ମନଶିଳା ଓ ବେଲଗାଁକୁ ନେଇ ୨୦ ଓ ୨୧ ନମ୍ବର ୱାର୍ଡ କରାଯାଇଛି। ଏଣୁ ପୌର ପରିଷଦ ଗଠନ ହେବାପରେ ୱାର୍ଡ ଗଠନ ଓ ସୀମାନିର୍ଦ୍ଧାରଣ ରେ ସେମିତି କିଛି ପରିବର୍ତ୍ତନ ହୋଇନଥିବା ଜଣାପଡିଛି। ଏହି ତାଲିକା ପ୍ରକାଶ ପାଇବା ପରେ ପୋଲସରା ସହରରେ ରାଜନୈତିକ ବାତାବରଣ ସରଗରମ ହୋଇଥିବା ଜଣାଯାଇଛି।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା