ପୋଲସରା ,୧୨/୦୬(ପିପିଟି) :ପୋଲସରା ବ୍ଲକ ବନ୍ଥପଲ୍ଲୀ , ମଥୁରା ଓ ଯେ. ଡେଙ୍ଗାପଦର ଏହି ତିନି ପଞ୍ଚାୟତରେ ସରକାରଙ୍କ ବିକାଶ ବାହନ ସଚେତନତା ରଥର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ତିନି ପଞ୍ଚାୟତର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ର ଓ ତହସିଲଦାର ଦିପ୍ତିମୟୀ ପାତ୍ର ଯୋଗଦାନ ପୂର୍ବକ ପତକା ଦେଖାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ବିଭିନ୍ନ ଯୋଜନାର ସଫଳତାକୁ ନେଇ ବିକାଶ ବାହନ ରଥ ତିନି ପଞ୍ଚାୟତର ସମସ୍ତ ଗ୍ରାମ ପରିକ୍ରମା କରିବାସହ ଭିଡିଓ ମାଧ୍ଯମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାର୍ତ୍ତା ପ୍ରଦାନ କରାଯାଇଥିଲା। ଏହି ରଥକୁ ତିନି ପଞ୍ଚାୟତର ମହିଳା ମାନଙ୍କଦ୍ଵାରା ପାରମ୍ପରିକ ପୂର୍ଣ୍ଣ କୁମ୍ଭ ସ୍ଥାପନ କରାଯାଇ ହୁଳହୁଳି ସହିତ ଘଣ୍ଟ ମୃଦଙ୍ଗ ତାଳେ ତାଳେ ପୁଷ୍ପବର୍ଷା କରାଯାଇ ସ୍ବାଗତ କରାଯାଇଥିଲା। ଏହି ଅବସରରେ ତିନି ପଞ୍ଚାୟତର ଯୋଗ୍ୟ ହିତାଧିକାରୀମାନଙ୍କୁ ଅତିଥିବୃନ୍ଦ ଭତ୍ତା, ଆୟୁଷ୍ମାନ କାର୍ଡ,ରାସନ କାର୍ଡ, ଅନ୍ତଦୋୟ କାର୍ଡ, ଶ୍ରମିକ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କୃଷକ,ବୟବୃଦ୍ଧ ସ୍ବାସ୍ଥ୍ୟ କାର୍ଡ ଓ ପଟା ବଣ୍ଟନ କରିଥିଲେ। ଏହି ତିନିଗୋଟି କାର୍ଯ୍ୟକ୍ରମକୁ ବନ୍ଥପଲ୍ଲୀ ସରପଞ୍ଚ ପବିତ୍ର ରାଉତ, ମଥୁରା ସରପଞ୍ଚ ସୁନିତା ବେହେରା ଓ ଯେ. ଡେଙ୍ଗାପଦର ସରପଞ୍ଚ ପିତାମ୍ବର ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିବାର ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ଯୋଗାଣ ଅଧିକାରୀ ସନ୍ଦିପ କୁମାର ବେହେରା,ଜିପିଡିଓ ଅସିମା ବେହେରା,ବିପିଏମ ଶଶ୍ମିତା ଦାସ, ବିଏଲଏଫ ଗଙ୍ଗାଧର ମିଶ୍ର, ମଥୁରା ରାଜସ୍ବ ନୀରିକ୍ଷକ କଳ୍ପନା ସେଠୀ, ପଞ୍ଚାୟତ ପିଈଓ ପ୍ରବିଣ କୁମାର ଗୌଡ଼ ଓ ଭଗବାନ ବେହେରା ଏବଂ ତିନି ପଞ୍ଚାୟତ ଗୁଡ଼ିକର ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜର ସମେତ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ରିପୋର୍ଟ୍:ସନ୍ତୋଷ କୁମାର ପଣ୍ଡା