ପୋଲସରା ,୦୩/୦୧(ପିପିଟି) :ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ୧୯୮୯-୯୯ ଶିକ୍ଷା ବର୍ଷରେ ଯୁକ ତିନିରେ ଅଧ୍ୟୟନ କରିଥିବା ଛାତ୍ର ଓ ଛାତ୍ରୀମାନଙ୍କ ପାରିବାରିକ ବନ୍ଧୁମିଳନ ହୋଇଥିଲା। ସହର ସ୍ଥିତ ମା” କନ୍ଧୁଣିଦେବୀଙ୍କ ପୀଠରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉକ୍ତ ବ୍ୟାଚର ଛାତ୍ରଛାତ୍ରୀମାନେ ପରିବାର ସହିତ ଯୋଗଦେଇଥିଲେ। ସର୍ବ ପ୍ରଥମେ ମା” ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ଏବଂ ଭୋଗଲାଗି ଅର୍ପଣ କରାଯିବା ପରେ ବନ୍ଧୁମିଳନ କାର୍ଯ୍ୟ ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ସ୍ଵର୍ଗତ ଗୁରୁମାନଙ୍କୁ ସ୍ମରଣ କରାଯାଇ ସେମାନଙ୍କ ଅମର ଆତ୍ମାର ସଦଗତି କାମନା ସ୍ୱରୂପ ୨ ମୀନଟ ନୀରବ ପ୍ରାର୍ଥନା ସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଦିଆଯାଇଥିଲା। ଏଥିସହ କାର୍ଯ୍ୟକ୍ରମରେ ଉପସ୍ଥିତ ସେସମୟର ପୂର୍ବତନ ଅଧ୍ୟକ୍ଷ ଓ ଅଧ୍ୟାପକମାନଙ୍କୁ ଭକ୍ତିପୂତ ଭାବେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯିବା ସହିତ ସେମାନଙ୍କ ଠାରୁ ଆର୍ଶୀବାଦ ଛାତ୍ରଛାତ୍ରୀମାନେ ନେଇଥିଲେ। ପରେ ସମ୍ବର୍ଦ୍ଧିତ ଗୁରୁମାନେ ନିଜର ଶିକ୍ଷାଦାନ ସମୟରେ ଜ୍ଞାନ ଅର୍ଜନ କରିଥିବା ଉପସ୍ଥିତ ସମସ୍ତ ବାଳକବାଳିକାମାନଙ୍କ ଏଭଳି ପ୍ରେରଣାଦାୟୀ ସ୍ବାଗତ ଏବଂ ସମ୍ମାନ ଦିଆଯାଇଥିବା ଯୋଗୁଁ ଭୂରି ଭୂରି ପ୍ରଶ°ଶା ଏବଂ ସେମାନଙ୍କ ପରିବାର ସମସ୍ତଙ୍କର ଶୁଭ କାମନା କରିବା ସହ ସେମାନଙ୍କ ଚଲାପଥ କୁସୁମିତ ହେଉ ବୋଲି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ପରେ ପାଠ ପଢ଼ିବା ସମୟରେ କିଭଳି ଭାବେ ସୁଖ ଓ ଆନନ୍ଦମୟ ଜୀବନ କଟିଥିଲା ତାହାର ମଧୁର ସ୍ମୃତିକୁ ପରଷ୍ପର ମଧ୍ୟରେ ଭାବ ବିନିମୟ ଦ୍ବାରା ସହପାଠୀମାନେ ମନେ ପକାଇଥିଲେ ଏଵଂ ବନ୍ଧୁତ୍ଵ ଭାବର ପରାକାଷ୍ଠା ସ୍ୱରୂପ ପରଷ୍ପରକୁ ଖୁସି ଆନନ୍ଦରେ ଆଲିଙ୍ଗନ କରି ନାଚ ଏବଂ ସଂଗୀତ ମଧ୍ୟରେ ଶୁଭେଚ୍ଛା ଜ୍ଞାପନ କରି ନୂତନ ବର୍ଷ-୨୦୨୬ ପାଳନ କରିଥିଲେ। କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ସୁଶାନ୍ତ ସାହୁ କରିଥିବାବେଳେ ଶେଷରେ ଧନ୍ୟବାଦ୍ ଗୋପାଳ କୃଷ୍ଣ ସାହୁ ଦେଇଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା