ପୋଲସରା,୧୪୵୦୯(ପିପିଟି): ପୋଲସରା ବ୍ଳକ୍ ଅନ୍ତର୍ଗତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକଙ୍କୁ ନେଇ ପ୍ରାଥମିକ ଶିକ୍ଷକ ମହାସଂଘ ଗଠିତ ହୋଇଯାଇଛି। ଏୟୁପିଟିଏଫ୍ ସଭାପତି ସୂର୍ଯ୍ୟନାରାୟଣ ପୃଷ୍ଟିଙ୍କ ଆବାହକତ୍ବରେ ଅନୁଷ୍ଠିତ ବୈଠକରେ ଏୟୁପିଟିଏଫ୍, ପିଷ୍ଟା, କନିଷ୍ଠ ଶିକ୍ଷକ, ଏକ୍ସ୍ କ୍ଯାଡ଼ର୍ ଶିକ୍ଷକ, ଗଣଶିକ୍ଷକ ଓ ପାର୍ଟ୍ ଟାଇମ୍ ଶିକ୍ଷକ ସଂଘର ଶତାଧିକ ସଦସ୍ୟ ଯୋଗ ଦେଇ ମହାସଂଘ ଗଠନ ସପକ୍ଷରେ ମତଦାନ କରିଥିଲେ। ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନର ବହୁବିଧ ସମସ୍ୟାର ସମାଧାନ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ଏକତା ଓ ଭ୍ରାତୃତ୍ବର ସୁରକ୍ଷା ନିମନ୍ତେ ଗଠିତ ଉକ୍ତ ମହାସଂଘର କର୍ମକର୍ତ୍ତା ଭାବରେ ପ୍ରତ୍ୟେକ ସଂଘର ସଭାପତି ଓ ସମ୍ପାଦକ ତଥା ଆବାହକ ଭାବରେ ଏୟୁପିଟିଏଫ୍ ସଭାପତି ସୂର୍ଯ୍ୟନାରାୟଣ ପୃଷ୍ଟି ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବା ବେଳେ କୋଷାଧ୍ୟକ୍ଷ ଭାବରେ ବସନ୍ତ କୁମାର ମହାରଣା ମନୋନୀତ ହୋଇଥିଲେ। ବିଇଓ ଅଫିସ୍ ଆଗରେ ଚାଲିଥିବା ଗଣଧାରଣାକୁ ବଳବତ୍ତର ରଖି ଏୟୁପିଟିଏଫ୍ ରାଜ୍ୟ ସଂଘ ନେତୃତ୍ବରେ ପରିଚାଳିତ ସମୂହ ଛୁଟି ବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଶତ ପ୍ରତିଶତ ସମର୍ଥନ ଜଣାଇ କାଲିଠାରୁ ପୋଲସରା ବ୍ଳକ୍ର ସମସ୍ତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସମୂହ ଛୁଟି ନେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତିନି ଦଫା ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଏୟୁପିଟିଏଫ୍ ସମ୍ପାଦକ ଅମିତାଭ ମିଶ୍ର ଘୋଷଣା କରିଛନ୍ତି। ଏହି ଅବସରରେ ପିଷ୍ଟା ଜିଲ୍ଲା ସଂଘ ଉପସଭାପତି କୁଳମଣି ସାହୁ, ବ୍ଳକ୍ ପିଷ୍ଟା ସମ୍ପାଦକ ଦିଲ୍ଲୀପ କୁମାର ସେଠୀ, କନିଷ୍ଠ ଶିକ୍ଷକ ସଂଘ ସଭାପତି ଦେବାଶିଷ ସାହୁ, ଗଣଶିକ୍ଷକ ସଂଘ ସଭାପତି କିରଣ ଖଟାଇ, ପାର୍ଟ୍ ଟାଇମ୍ ଶିକ୍ଷକ ସଂଘର ଟୁଟୁନା ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ। କିଛି ବର୍ଷ ବ୍ୟବଧାନରେ ମହାସଂଘର ପୁନର୍ଗଠନ ହୋଇଥିବାରୁ ଶିକ୍ଷକମାନଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଓ ଆଗ୍ରହ ଦେଖାଦେଇଛି।
ରିପୋର୍ଟ-ସନ୍ତୋଷ କୁମାର ପଣ୍ଡା