ପୋଲସରା,୨୧/୦୧(ପିପିଟି) : ଗଂଜାମ ଜିଲ୍ଲା ପୋଲସରା ସ୍ଥିତ ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇ ଦିବସୀୟ ରଜତ ଜୟନ୍ତୀ ଉତ୍ସବ-୨୦୨୫ ଅଧ୍ୟକ୍ଷ ପ୍ରଦୀପ କୁମାର ପରମଗୁରୁଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି। ପ୍ରଥମ ଦିବସ କାର୍ଯ୍ୟକ୍ରମଟିକୁ ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୁର୍ବକ ଶୁଭ ଉଦଘାଟନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ରାଜ୍ୟ ବାର କାଉଁନସିଲ୍ ଅଧ୍ୟକ୍ଷ ପିତବାସ ପଣ୍ଡା, ଏଵଂ ସମ୍ମାନୀତ ଅତିଥି ଭାବେ ଏସ. ରାମାରାଓ(ପୁର୍ବତନ ଅଧ୍ୟକ୍ଷ, ଗୋପାଳପୁର କଲେଜ), ଅନୁଷ୍ଠାନର ପ୍ରତିଷ୍ଠାତା ସାମସୁନ୍ଦର ସାହୁ, ସମାଜସେବୀ ପ୍ରଭାକର ପଣ୍ଡା ଓ ଦୀପକ କୁମାର ପ୍ରଧାନ, ଶ୍ରୀତମ ଦାସ (ଓଡ଼ିଆ କଳାକାର ଏଵଂ ନିଦ୍ଦେଶକ), ଡ଼. ଲକ୍ଷ୍ମୀ କାନ୍ତ ତ୍ରିପାଠୀ (ପୁର୍ବତନ ଆଇଡିଇ, ନିଦ୍ଦେଶକ ଡିଏଚ୍ଇ, ବ୍ରହ୍ମପୁର ମଣ୍ଡଳ),ଡା. ସୁଶାନ୍ତ କୁମାର ଦାଶ (ଉପ , ଡିଏଚ୍ଏସଏଫ, ବ୍ରହ୍ମପୁର ମଣ୍ଡଳ) ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ମୂଲ୍ୟବାନ ଦିଗ୍ ଦର୍ଶନ ଏଵଂ ଉପଦେଶ ଦେବାସହ ସମାଜରେ ଜଣେ ଜଣେ ଚରିତ୍ରବାନ ଭଲ ମଣିଷ ହେବାକୁ ଏବଂ ଅନାବଶ୍ୟକ ଭାବେ ମୋବାଇଲ୍ ଯନ୍ତ୍ର ବ୍ୟବହାର ନ କରିବାକୁ ପରାମର୍ଶ ଦେଇଥିଲେ।ଏହି ଅବସରରେ ଦୀର୍ଘ ୨୫ ବର୍ଷ ଧରି ଅନୁଷ୍ଠାନର ବାର୍ଷିକ ପରୀକ୍ଷାରେ ପ୍ରଥମ ସ୍ଥାନରେ ଉତ୍ତିର୍ଣ୍ଣ କଳାରେ ୨୨ ଜଣ ଟପର,୩ ଜଣ ଜିଲ୍ଲା ଟପର ଓ କଳା ବିଜ୍ଞାନରେ ୧୩ ଜଣ ଟପର ଛାତ୍ରୀ ନିଜର ଏଵଂ ଅନୁଷ୍ଠାନର ସୁନାମ ଅର୍ଜନ କରିଥିଲେ।ସେମାନଙ୍କୁ ଏଵଂ ଅନୁଷ୍ଠାନର ଅତିଥି ପ୍ରତିଷ୍ଠାତା ଏଵଂ ଅଧ୍ୟାପକ/ଅଧ୍ୟାପିକା ଏଵଂ କର୍ମଚାରୀ ଏବଂ ସହଯୋଗୀ ବ୍ୟକ୍ତିମାନଙ୍କୁ ଅନୁଷ୍ଠାନ ତରଫରୁ ଅତିଥିମାନେ ରଜତ ଜୟନ୍ତୀ ସ୍ମୁତିଫଳକ ଏଵଂ ଉପଢୌକନ ସହ ପୁଷ୍ପଗୁଚ୍ଚ ପ୍ରଦାନ ପୂର୍ବକ ସମ୍ମାନୀତ କରିଥିଲେ। ଏଥିସହିତ ସମସ୍ତ ମଂଚାସିନ ଅତିଥିମାନଙ୍କୁ ମଧ୍ୟ ଉତ୍ତରୀୟ ପ୍ରଦାନ ପୂର୍ବକ ଫଳକ ପ୍ରଦାନ କରାଯାଇ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧନା ଦିଆଯାଇଥିଲା। ସଭାକାର୍ଯ୍ୟ ପରିଚାଳନା ଏଵଂ ଅତିଥି ପରିଚୟ ଅଧ୍ୟାପକ ଆଶିଷ କୁମାର ପ୍ରଧାନ ଏଵଂ ସ୍ୱାଗତ ଅଭିଭାଷଣ ଏଵଂ ରଜତ ଜୟନ୍ତୀ ବିବରଣୀ ଅଧ୍ୟକ୍ଷ ମହୋଦୟ ପାଠ କରିଥିଲେ।ଶେଷରେ ଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରିଶେଷରେ ଅଧ୍ୟାପିକା ରଞ୍ଜିତା ମିଶ୍ର ମହାବିଦ୍ୟାଳୟ ତରଫରୁ ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା