ପୋଲସରା,୨୭/୦୯ (ପିପିଟି) : ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (ଆରଏସଏସ) ପକ୍ଷରୁ ବିଜୟା ଦଶମୀ ଶତାବ୍ଦୀ ବର୍ଷ କାର୍ଯ୍ୟକ୍ରମ ଚଳିତ ସେପ୍ଟେମ୍ବର ମାସ ୨୫ ତାରିଖ ଗୁରୁବାର ଠାରୁ ଆରମ୍ଭ ହୋଇ ଆସନ୍ତା ୨୦୨୬ ସାଲ ଅକ୍ଟୋବର ମାସ ୨ ତାରିଖ ଶୁକ୍ରବାର ଗାନ୍ଧି ଜୟନ୍ତୀ ଦିବସ ପର୍ଯ୍ୟନ୍ତ ସମଗ୍ର ଦେଶ ଏଵଂ ବିଦେଶରେ ଥିବା ସଂଘ ଶାଖା ଗୁଡ଼ିକ ପକ୍ଷରୁ ଚାଲିବ। ଏହି ଉତ୍ସବ କାର୍ଯ୍ୟକ୍ରମଟି ବର୍ତ୍ତମାନ ଷଷ୍ଠ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ସ°ଚାଳକ ମୋହନ ଭାଗବତଜୀଙ୍କ ନେତୃତ୍ୱରେ ଚାଲିବ। ଏହି ସମୟ ମଧ୍ୟରେ ହିନ୍ଦୁତ୍ବ ରକ୍ଷାର ସଂକଳ୍ପକୁ ନେଇ ସଂପୂଣ୍ଣ କାର୍ଯ୍ୟକ୍ରମ କରାଯିବ। ଏହି କ୍ରମରେ ପୋଲସରା ଆରଏସଏସ ପକ୍ଷରୁ ୨୬ ତାରିଖ ଶୁକ୍ରବାର ଦିନ ସ୍ଥାନୀୟ ରତନୀ ଠାକୁରାଣୀଙ୍କ ପୀଠରେ ପ୍ରଥମକରି ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଅଞ୍ଚଳର ବିଶିଷ୍ଠ ଶିକ୍ଷାବିତ୍ ତଥା ଆଧ୍ୟାତ୍ମିକବାଦି ପ୍ରକାଶ ଚନ୍ଦ ସାହୁ ଏବଂ ମୁଖ୍ୟବକ୍ତା ଭାବେ ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ସହପ୍ରାନ୍ତ ସେବା ପ୍ରମୁଖ ତଥା ଶିକ୍ଷାବିତ୍ ବେଲେଶ୍ୱର ସାହୁ ଯୋଗଦେଇଥିଲେ। ଏହି ଅବସରରେ ସଂଘ ନିୟମ ପ୍ରକାରେ ପତାକା ଉତ୍ତୋଳନ କରାଯିବା ସହିତ ସାମୁହିକଭାବେ ସଂଘ ପ୍ରାର୍ଥନା କରାଯାଇଥିଲା। ପରେ ବକ୍ତା ମହୋଦୟ ନିଜର ସାରଗର୍ଭ ଅଭିଭାଷଣ ଜରିଆରେ ସଂଘର ପ୍ରତିଷ୍ଠା,ଲକ୍ଷ୍ୟ, ଉଦ୍ଦେଶ୍ୟ, ରାଷ୍ଟ୍ରର ସେବା,ତ୍ୟାଗ, ସଂସ୍କୃତି ଓ ହିନ୍ଦୁତ୍ବ ଏକତାର ମୂଲ୍ୟବୋଧ ଉପରେ ଅତି ସୁନ୍ଦରଭାବେ ବକ୍ତବ୍ୟ ରଖିବାସହ ସଂଘର ପ୍ରତିଷ୍ଠାତା ହେଡଗେୱାର ଓ ସ°ଚାଳକ ଗୋଲୱାଲକରଙ୍କ ସମେତ ବାକି ଅନ୍ୟ ନେତୃତ୍ୱମାନଙ୍କର ଦେଶପ୍ରୀତି କାର୍ଯ୍ୟକଳାପ ଏଵଂ ଭୂମିକା ଉପରେ ପ୍ରାଞ୍ଜଳଭାବେ ବଳିଷ୍ଠ ପ୍ରମାଣ ଭିତ୍ତିକ ତଥ୍ୟ ମାଧ୍ୟମରେ ଆଲୋକପାତ କରିଥିଲେ ଏବଂ ଆଗକୁ ସଂଘକୁ ଅଧିକରୁ ଅଧିକ ସୁଦୃଢ଼ କରାଯାଇ ମୂଲ୍ୟବୋଧକୁ ବଜାୟ ରଖାଯାଇ ରାଷ୍ଟ୍ରୀୟ ସେବାରେ ନିଜକୁ ଉତ୍ସର୍ଗୀକୃତ କରି କାର୍ଯ୍ୟ କରିବାକୁ ଉପସ୍ଥିତ ସମସ୍ତ ସ୍ଵଂୟସେବକ ମାନଙ୍କୁ ଆହ୍ବାନ ଦେଇଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା
Prev Post