ପେଟ ପୋଷିବା ପାଇଁ ଦାଦନ ହୋଇ ଘର ଛାଡ଼ିଥିଲେ; ଶବ ହୋଇ ଘରକୁ ଫେରିଲେ ।

0 66

ବେଲଗୁଣ୍ଠା, ୧୩/୧୦(ପିପିଟି):ଗାଁ ସାରା ଖେଳିଯାଇଛି ଶୋକାକୁଳ ପରିସ୍ଥିତି । କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ । ପେଟ ପୋଷିବା ପାଇଁ ବାହାର ରାଜ୍ୟକୁ ଦାଦନ ହୋଇ ଯାଇଥିବା ଲୋକ ଆଜି ଘରକୁ ଫେରିଛି ଶବ ହୋଇ । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ନେଟଙ୍ଗା ଗ୍ରାମରେ । ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ନେଟଙ୍ଗା ଗ୍ରାମର ଅଶୋକ କୁମାର ନାୟକ (48) ନିଜ ପରିବାରର ପ୍ରତିପୋଷଣ ପାଇଁ ଦୀର୍ଘ ପନ୍ଦର ବର୍ଷ ଧରି ହାଇଦ୍ରାବାଦ୍ ରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ । ନିଜର ସ୍ଵଳ୍ପ ପାରିଶ୍ରମିକରେ ନିଜର ବିଧବା ମାଆ, ସ୍ତ୍ରୀ ଏବଂ ତିନି ସନ୍ତାନଙ୍କୁ ଅତି କଷ୍ଟରେ ପ୍ରତିପୋଷଣ କରୁଥିଲେ । ଅଶୋକ ଏବଂ ଅଶୋକଙ୍କ ଦାଦା ପୁଅ ଅଜିତ୍ କୁମାର ନାୟକ ହାଇଦ୍ରାବାଦ୍ ରେ କାମ କରୁଥିଲେ । କିନ୍ତୁ ବୋଝ ଉପରେ ନଳିତା ବିଡା ପରି ଅଶୋକଙ୍କ ଉପରେ ଦାଉ ସାଧିଲା କୌଣସି ଅଜଣା ରୋଗ । ସ୍ଥାନୀୟ ଡ଼ାକ୍ତର ଅଶୋକଙ୍କୁ ପରାମର୍ଶ ଦେଲେ କୌଣସି ବଡ଼ ଡ଼ାକ୍ତରଖାନାରେ ଉଚ୍ଚ ମାନର ଚିକିତ୍ସା ପାଇଁ । କିନ୍ତୁ ଅର୍ଥର ଘୋର ଅଭାବ ଯୋଗୁଁ ଅଶୋକ ଉଚ୍ଚ ମାନର ଚିକିତ୍ସା ପାଇଁ ଉନ୍ନତ ମେଡିକାଲ୍ କୁ ଯାଇ ପାରିଲେ ନାହିଁ । କ୍ରମେ ଅଶୋକଙ୍କ ରୋଗ ବଢିବାରେ ଲାଗିଥିଲା ଅଶୋକ ଗାଆଁକୁ ଆସିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅସୁସ୍ଥତା ଏବଂ ଅର୍ଥର ଅଭାବ ହେତୁ ଗାଆଁକୁ ଫେରିପାରିନଥିଲେ । ଗତ ବୁଧବାର ରାତ୍ର 3 ଘଣ୍ଟା 48 ମିନିଟ୍ ସମୟରେ ଅଶୋକ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ । ଅଶୋକଙ୍କ ଶବ ଗ୍ରାମରେ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଅଶୋକଙ୍କ ବିଧବା ମାଆ ସୋଲି ଏବଂ ସ୍ତ୍ରୀ ପ୍ରଭାତୀ (32) କାନ୍ଦି କାନ୍ଦି ବାରମ୍ବାର ବେହୋସ ହୋଇପଡୁଛନ୍ତି । ଅଶୋକଙ୍କ ଶବ ଗ୍ରାମରେ ପହଞ୍ଚିବା ପରେ ବଡ଼ଭାଇ ଅମର,ଅରୁଣ ଏବଂ ଗ୍ରାମବାସୀଙ୍କ ସହାୟତାରେ ଶବ ସଂସ୍କାର କରଯାଇଛି । ଅଶୋକଙ୍କ ମୃତ୍ୟୁ ତାଙ୍କ ବିଧବା ମାଆ, ସ୍ତ୍ରୀ, ଦୁଇ ଝିଅ ଏବଂ ଏକମାତ୍ର ପୁଅ ବେସାହାରା ହୋଇପଡିଛନ୍ତି । ଅଶୋକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.