ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କ ମାନବିକତା ଆଗରେ ହାରିଗଲା ରାଜନୀତି ।

0 234

ଯାଜପୁର,୦୫/୧୦(ପିପିଟି): ଇଂ ପ୍ରୀତିରଞ୍ଜନ ଘଡାଇ । ଶ୍ରଦ୍ଧା ନାମ ଡ୍ୟାନି । ପ୍ରୀତିରଞ୍ଜନ ଅପେକ୍ଷା ଡ୍ୟାନି ଭାବେ ସାରା ରାଜ୍ୟରେ ଖୁବ ପରିଚିତ । ରାଜ୍ୟର ବରିଷ୍ଠ ରାଜନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ସୁପୁତ୍ର ସେ । ବାପାଙ୍କ ରାଜନୈତିକ ରାସ୍ତାର ସଫଳ ପଥିକ । ଜଣେ ଉଚ୍ଚ ଶିକ୍ଷିତ ଯୁବକ ହେଲେ ମଧ୍ୟ ଯୁବାଵସ୍ଥାରୁ ସାମାଜିକ କାର୍ଯ୍ୟ ସହିତ ସମାଜସେବାକୁ ବେଶ ଗୁରୁତ୍ୱ ଦେଇଥିଲେ । ବନ୍ୟା ହେଉ କିମ୍ବା ବାତ୍ୟା ହେଉ ଅସୁବିଧାରେ ପଡୁଥିବା ଲୋକ ପାଖରେ ପହଞ୍ଚି ଯାଉଥିବା ପରିଚିତ ମୁହଁ ହୋଇଛନ୍ତି ଡ୍ୟାନି । ସମୟ ଆଗକୁ ବଢିବା ସହିତ ଡ୍ୟାନି ବନି ଯାଇଛନ୍ତି ଜଣେ ପୋଖତ ଯୁବ ନେତା । ତିନି ଥରର ବିଧାୟକ ହେବା ସହିତ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ବେଶ ସଫଳତାର ସହିତ କାର୍ଯ୍ୟ କରିଛନ୍ତି । ଚଳିତ ନିର୍ବାଚନରେ କିନ୍ତୁ ସେ ପରାଜିତ ହୋଇଛନ୍ତି । ନିର୍ବାଚନରେ ପରାଜିତ ହେଲା ପରେ ସେ ଏହାକୁ ବେଶ ସହଜ ଭାବରେ ନେଇଛନ୍ତି । ସେବା ମୋ ଜୀବନର ବ୍ରତ ମୁଁ ଲୋକଙ୍କ ସେବା କରୁଛି ଓ କରିବି ବୋଲି କହିବା ସହିତ ରାଜନୀତିରେ ବିଜୟ ପରାଜୟ ଦୁଇଟି ଅଂଶ, ଉଭୟକୁ ମୁଁ ମଥାପାତି ସମ୍ମାନ ଦେଉଛି ବୋଲି କହିଛନ୍ତି । ଏହା ସହିତ ପରାଜୟ ମୋ ସେବା ଭାବନାକୁ ଆଦୌ ପ୍ରଭାବିତ କରିବ ନାହିଁ ବୋଲି କହିଛନ୍ତି । ପରାଜୟ ପରେ ମଧ୍ୟ ନିଜ ପ୍ରିୟ ମାଟି ଓ ପ୍ରିୟ ଲୋକମାନଙ୍କ ଠାରୁ ଦୂରେଇ ଯିବା ବଦଳରେ ନିବିଡ଼ ଭାବେ ଯୋଡି ହୋଇ ରହିଛନ୍ତି । ଆଜିବି ଯେ କେହି ତାଙ୍କ ନିକଟକୁ ଆସେ ସେ କେବେ ନିରାଶ ହୋଇ ଫେରେ ନାହିଁ । ଯାହା ତାଙ୍କୁ ଲୋକଙ୍କ ସହିତ ଅଧିକ ଯୋଡୁଛି । ଗତକାଲିର ଏକ ଘଟଣା ତାଙ୍କ ଚିନ୍ତା ଓ ଚରିତ୍ରକୁ ପୁଣି ପରିପ୍ରକାଶ କରିଛି । ଗତ ପଞ୍ଚାୟତ ନିର୍ବାଚନ ସମୟରେ ତାଙ୍କ ଦଳ ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ ସୁକିନ୍ଦା ବ୍ଲକ କୁହିକା ପଞ୍ଚାୟତ ବିଜେପି ସମର୍ଥିତ ସରପଞ୍ଚ ଅଶ୍ୱିନୀ ପରିଡା । ଗତକାଲି ଅଶ୍ବିନୀଙ୍କ ବାପା ପ୍ରହଲ୍ଲାଦ ପରିଡାଙ୍କ ବିୟୋଗ ହୋଇଥିଲା । ଏହି ଖବର ଶୁଣି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ(ଡ୍ୟାନି) ସ୍ବର୍ଗତ ପରିଡାଙ୍କ ବାମ୍ବିଲୋ ସ୍ଥିତ ବାସଭବନରେ ହଠାତ ରାତିରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ସ୍ୱର୍ଗତ ପରିଡାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ପିତାଙ୍କୁ ମୁଖାଗ୍ନି ଦେବା ସମୟରେ ସରପଞ୍ଚ ଅଶ୍ୱିନୀ ପରିଡାଙ୍କ ଡାହାଣ ହାତ ମଧ୍ୟ ପୋଡି ହୋଇ ଯାଇଥିଲା। ଏ ବିଷୟରେ ଜାଣି ଡ୍ୟାନି ଅଶ୍ୱିନୀଙ୍କ ଅବସ୍ଥା ପଚାରି ବୁଝିବା ସହିତ ତାଙ୍କ ଆଶୁ ଆରୋଗ୍ୟ କାମନା ମଧ୍ୟ କରିଥିଲେ । ବିନା ସୂଚନାରେ ସରପଞ୍ଚଙ୍କ ଘରେ ପହଞ୍ଚିବା ଓ ତାଙ୍କ ଶୋକ ସମୟରେ ଶୋକ ବ୍ୟକ୍ତ କରିବା ସରପଞ୍ଚଙ୍କ ପୁରା ପରିବାରକୁ ଆଶ୍ଚର୍ଯ୍ୟ ଓ ଅବିଭୁତ କରିଥିଲା । ଫେରିବା ବେଳେ କୃତଜ୍ଞତାର ଧନ୍ୟବାଦ ଦେବାକୁ ଆଦୌ କାର୍ପଣ୍ୟ କରିନଥିଲେ ସରପଞ୍ଚ ଶ୍ରୀ ପରିଡା । ଏ ନେଇ ଇଂ ଘଡାଇଙ୍କୁ ପଚାରିଲା ବେଳେ ସେ କେବଳ କହିଥିଲେ ପୁରା ସୁକିନ୍ଦା ମୋ ପରିବାର । ଏହା ମୋ ପୂଜ୍ୟ ପିତା ମୋତେ ପିଲା ବେଳୁ ଶିକ୍ଷା ଦେଇଛନ୍ତି । ଆମ ପରିବାରରେ ଜଣେ ବିପଦରେ ପଡିଲେ ସେ ପରିବାର ନିକଟରେ ଛିଡା ହେବା ମୋ କର୍ତ୍ତବ୍ୟ । କିଏ କେଉଁ ଦଳକୁ ସମର୍ଥନ କରୁଛି ତାହାର ମୋ ପାଖରେ କିଛି ମାନେ ରଖେ ନାହିଁ । ଗତକାଲି ଡ୍ୟାନିଙ୍କ ମାବିକତା ଆଗରେ ରାଜନୀତି ଯେ ହାରି ଯାଇଥିଲା ତାହା କହିବା ବାହୁଲ୍ୟ ମାତ୍ର ।

(ରିପୋର୍ଟ- ଅକ୍ଷୟ କୁମାର ରାଉତ)

Leave A Reply

Your email address will not be published.