ବେଗୁନିଆପଡ଼ା,୦୯/୦୧(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଙ୍ଗରଗାଁ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ପରିସର ରେ ସମାଜବାଦୀ ନେତା ତଥା ପୂର୍ବତନ ବିଧାୟକ ନାରାୟଣ ସାହୁ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି । ଗୋଆ ମୁକ୍ତି ଆନ୍ଦୋଳନର ଯଶସ୍ୱୀ ସ୍ୱାଧୀନତା ସଂଗ୍ରାମୀ,ଖଲ୍ଲିକୋଟ ବିଧାନସଭା କ୍ଷେତ୍ରରୁ ଦୁଇ ଦୁଇ ଥର ବିଧାୟକ ତଥା ବିଶିଷ୍ଟ ସମାଜବାଦୀ ନେତା ନାରାୟଣ ସାହୁଙ୍କ ମଧ୍ୟଲୋକରୁ ବିଦାୟର ନିର୍ଦ୍ଧାରିତ ତାରିଖ ୨୦୧୪ ମସିହା ଜାନୁୟାରୀ ୯ ତାରିଖ ଥିଲା ।ଆଜିର ଦିନ ସେହି ତାରିଖରେ ତାଙ୍କ ନିଜ ହାତଗଡ଼ା ଶିଷାନୁଷ୍ଠାନ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟରେ ଏହି ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହକୁ ବିଶିଷ୍ଟ ବାଗ୍ମୀ ତଥା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରଫେସର ଡକ୍ଟର ବିଷ୍ଣୁଚରଣ ଚୌଧୁରୀ ଉଦ୍ଘାଟନ କରିଥିଲେ, ରାଜ୍ୟ ସ୍ମୃତି ସମିତିର ଅଧ୍ଯକ୍ଷ ତଥା ଗ୍ରୀନ୍ ନୋବେଲ୍ ପୁରସ୍କାର ବିଜେତା, ଜାତୀୟ ଓ ଅନ୍ତର୍ଜାତୀୟ ପ୍ରଖ୍ୟାତ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ପୌରହିତ କରିଥିବା ବେଳେ ଲୋହିୟା ଏକାଡ଼େମୀର ସଂପାଦକ ଦେବପ୍ରସାଦ ରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଲୋକସେବକ ମଣ୍ଡଳର ଜାତୀୟ ସଂପାଦକ ରାଜେନ୍ଦ୍ର କୁମାର ଜେନା ବିଶିଷ୍ଟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ପ୍ରଫେସର ଉଷାରାଣୀ ଆଚାର୍ଯ୍ୟ ଓ ନବୀନ ସମ୍ପାଦକ ତଥା ସ୍ମୃତି ସମାରୋହ ସମ୍ପାଦକ ରବି ରଥ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ଆଙ୍ଗରଗାଁ ସରପଞ୍ଚ ନିଳେନ୍ଦ୍ରି ସେଠୀ, ସମିତିସଭ୍ୟ ଅଶୋକ କୁମାର ସେଠୀ,ବେଗୁନିଆପଡ଼ା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ,ନାରାୟଣ ସାହୁଙ୍କ ସୁପୁତ୍ର ସୁବାସ ସାହୁ ଉପସ୍ଥିତ ଥିଲେ । ସମାରୋହକୁ ସ୍ମୃତି କମିଟିର ସାଧାରଣ ସମ୍ପାଦକ ତଥା ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପ୍ର ଚରଣ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ଏପିଜେ ଅବଦୁଲ କଲାମ ଜନ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା,ସୁରେନ୍ଦ୍ର ପ୍ରଧାନ,ସତ୍ୟନାରାୟଣ ସାହୁ, ଭ୍ରମରବର ଭୂୟାଁ,ରଙ୍କନିଧି ସେଠୀଙ୍କ ସହ ସମାରୋହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ସହ ବିଦ୍ୟାଳୟର ଶିକ୍ଷକ ଅଶୋକ କୁମାର ପଣ୍ଡା ବେଦ ପାଠ କରିଥିଲେ । ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରାଯିବା ସହ ବେଗୁନିଆପଡ଼ା ବ୍ଲକ୍ ଉଚ୍ଚ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ର/ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପୁଣ୍ୟ ଶ୍ଳୋକ ନାରାୟଣ ସାହୁଙ୍କ ଉଦ୍ଦେଶ୍ୟରେ ଶିକ୍ଷକ ପ୍ରସନ୍ନ କୁମାର ନାୟକଙ୍କ ଦ୍ଵାରା ରଚିତ “ସ୍ୱାଭିମାନର ବାର୍ତ୍ତାବହ” ସ୍ଵତନ୍ତ୍ର ପୁସ୍ତକ ଉନ୍ମୋଚନ ହୋଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ସହ ଛାତ୍ରଛାତ୍ରୀ ମଧ୍ୟ ଯୋଗ ଦେଇଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)