ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ପାଳିତ ।

0 273

ମାଲକାନଗିରି ,୨୫/୧୨(ପିପିଟି) :ମହାନ ଜନନାୟକ ତଥା ଯଶସ୍ୱୀ କବି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ପାଳନ ଅବସରରେ ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ତତ୍ତ୍ଵାବଧାନରେ ରେ ସଂସ୍କୃତି ଭବନ ଠାରେ ଆୟୋଜିତ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଗୁରୁବନ୍ଧୁ ପୂଜାରୀ, ଆଇପିଓ, ଶୁଭଶ୍ରୀ ଦଣ୍ଡପାଟ ଓ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତ ଜେନା ଯୋଗଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଭଳି ଜନନାୟକ ଦେଶରେ ବିରଳ ବୋଲି ଅଭିହିତ କରିଥିଲେ। ବାଜପେୟୀଙ୍କ ଶାସନ କାଳରେ ଦେଶରେ ସ୍ବଚ୍ଛତା, ଉତ୍ତରଦାୟିତ୍ୱ ଓ ସେବା ଗଣତନ୍ତ୍ରକୁ ଏକ ନୂତନ ରୂପ ପ୍ରଦାନ ସହ ପ୍ରକୃତ ସୁଶାସନର ଅୟମାରମ୍ଭ ହୋଇଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଥିଲେ। ମୁଖ୍ୟ ବକ୍ତା ଭାବେ ଡଃ ଶ୍ୟାମା ପ୍ରସାଦ ଡ଼ିଗ୍ରୀ କଲେଜର ଅଧ୍ୟକ୍ଷ ପ୍ରବାସିନୀ ମହାପାତ୍ର ଯୋଗଦେଇ ବାଜପେୟୀଙ୍କ ଭଳି ରାଷ୍ଟ୍ରନୀତିଜ୍ଞ ଏବଂ ଉଚ୍ଚକୋଟିର ମାନବବାଦ ଚିନ୍ତାଧାରା ଆମ ସମସ୍ତଙ୍କୁ ସବୁବେଳେ ଉଦ୍‌‌ବୁଦ୍ଧ କରୁଥିବ ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ରାଷ୍ଟ୍ରୀୟ ଚେତନାରେ ଉଦ୍‌‌ବୁଦ୍ଧ ଶ୍ରେଷ୍ଠ ରାଷ୍ଟ୍ରପୁରୁଷ ଭାବେ ଅଭିହିତ କରି ତାଙ୍କରି ଆଦର୍ଶରେ ଭାରତୀୟ ଗଣତନ୍ତ୍ର ଅନୁପ୍ରାଣିତ ହେବା ଉଚିତ । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିଲେ ।ଏହି ଅବସରରେ ଉଚ୍ଚ ବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ। ସେହିପରି ଅଟଳ ବିହାରି ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ତାଙ୍କରି ଜୀବନୀ ଉପରେ କବିତା ପାଠତ୍ସବ ଆୟୋଜନ କରାଯାଇଥିଲା । ଜିଲ୍ଲାର ଅନେକ କବି ଏହି କବିତା ପାଠତ୍ସବରେ ଭାଗ ନେଇଥିଲେ। ଏହି ଅବସରରେ କବିତା ପାଠତ୍ସବରେ ଭାଗ ନେଇଥିବା କବି ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ହରେକୃଷ୍ଣ କୀର୍ତ୍ତନିଆ, ରଞ୍ଜନ କୁମାର ମହାନ୍ତି ଓ ସୂଚନା ଓ ଲୋକସଂପର୍କ ବିଭାଗର କର୍ମଚାରୀ ସହାୟତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଓ ମିଶନ ଶକ୍ତିର ମାଆମାନେ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.