ହାତରୁ ଦି’ହାତ ପୁଆଟା ହୋଇଲେ
ମା’ ବୋଲ ମାନେ ନାହିଁ….
ବୋହୂର ମନ୍ତ୍ରଣା କାନେ ଶୁଣି ଶୁଣି
ବୁଦ୍ଧି ବାଟବଣା ହୋଇ….!!
ମା ପାଶେ ଥିଲା ଆଦର ଯେତିକି
ଅନ୍ତରୁ ପାଶୋରି ଦେଇ….
ବୋହୂର କଥାରେ ଉଠ ବସ ହୋଇ
ଥେଇ ଥେଇ ନାଚୁ ଥାଇ….!!
ବୁଢି ମା ଦେହେ ବଳ ବପୁ ନାହିଁ
ଦିନକୁ ଦିନ ଦୁର୍ବଳ…..
ବାର ବ୍ୟାଧି ଆସି ଘର ଯେ କରଇ
ଉଠିବାକୁ ନାହିଁ ବଳ…!!
ରୋଗରେ ପଡିଣ ଛଟପଟ ହେଲେ
ପୁଆଟା ଦେଖି ଅଦେଖା….
ମା ପ୍ରତି ନାହିଁ ମାୟା କି ମମତା
ଟାଣିଛି ଲକ୍ଷ୍ମଣ ରେଖା…!!
ଭଲ ପୁଅ ଥିଲା ଖରାପ ହୋଇଲା
ବଦଳିଲା ହାବଭାବ….
ବୋହୂଟା ନିରବେ କି ମନ୍ତର କଲା
ବଦଳି ଗଲା ସ୍ବଭାବ….!!
ବୋହୂଟା ସତେକି ଅଣ୍ତିରା ଚଣ୍ଡୀ ଯେ
ଆଖି ଦୁଇ ନାଲି ରଙ୍ଗି….
ମୁହଁ ଫର ଫର ଭାଷା ଗର ଗର
କଳି ହୁଡି ଘର ଭାଙ୍ଗି….!!
ଖାଇବାକୁ ଭାତ ଦି’ ମୁଠା ଦିଏ ନି
ବୁଢିଟା ଭୋକରେ ମରେ….
ପଡି ଦିନ ରାତି ହୁଏ ଛଟପଟ
ଦୟା ନାହିଁ କା’ଅନ୍ତରେ….!!
ବୁଢ଼ା ବାପାଟାର ହୋଇ ଗଲା କାଳ
ସଂସାରୁ ହୋଇଲା ପାର….
ସେବା କରିବାକୁ କିଏ ବା ଆଗ୍ରହ
ଆପଣା ପୁଆଟା ପର….!!
ଆଧୁନିକ ପୁଅ ବୋହୂ ଆଜି କାଲି
ନକରନ୍ତି ସେବା ଥରେ…..
ଲୁହା ରୁ କଳଙ୍କ ଜାତ ହୋଇ ପୁଣି
ଲୁହାକୁ ବିଧ୍ବଂସ କରେ….!!
ବନରୁ ଅନଳ ଜାତ ହୋଇ ପରା
ଅରଣ୍ୟକୁ ପୋଡି ଜାଳେ….
ସେହି ପରି କୁଳାଙ୍ଗାର ପୁତ୍ର ଜନ୍ମି
କୁଳକୁ ନିପାତ କରେ….!!
ପିତା ମାତଙ୍କର ମୃତ୍ୟୁ ହେଲା ପରେ
ଖୁଆ ଭୋଜନ ଜନେ….
ପ୍ରଶଂସା ସାଉଁଟି ବନ୍ଧୁବାନ୍ଧବରେ
କି ବା କର୍ମ ପ୍ରୟୋଜନେ….!!
ପିଣ୍ଡ ପତ୍ର ଦେଇ କଲେ ପୂଜା ବିଧି
ବ୍ରାହ୍ମଣଙ୍କୁ ଦେଇ ଦାନ….
ଲୋକ ଦେଖାଣିଆ ଭକ୍ତି ଉପାର୍ଜନେ
ନଥାଏ ମହତ ଗୁଣ…!!
ନାହିଁ ପିତୃ ଭକ୍ତି ନାହିଁ ମାତୃ ଭକ୍ତି
ଶ୍ରବଣ କୁମାର ଭଳି….
ଯେଉଁଠି ଦେଖିବ ଏ କଳି ଯୁଗରେ
ଘରେ ଘରେ ଲାଗେ କଳି….!!
ପିତୃ ସତ୍ଯପାଳି ରାମ ଚନ୍ଦ୍ର ସମ
କେଉଁ ପୁତ୍ର ଜନ୍ମି ଅଛ….
ଧର୍ମ ପଦ ପରି ପୁତ୍ର ଅବା କାହିଁ
ଓଡିଶା ଟେକ ରଖିଛି….!!
ସ୍ବାର୍ଥରେ ଜଡ଼ିତ ମଣିଷ ଜାତିଟା
ପଶୁ ଠାରୁ ହିନିମାନ….
ଭୁଲିଣ ସୁକର୍ମ କରଇ କୁକର୍ମ
ଧପାବାଜ ସଇତାନ…!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭