ପିପିଲି,୨୯/୦୮:ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ପିପିଲି ସାଂସ୍କୃତିକ ପରିଷଦ ପକ୍ଷରୁ ଶୁକ୍ରବାର ପିପିଲିରେ ଜାତୀୟ କ୍ରୀଡା ଦିବସ ସମାରୋହରେ ପାଳିତ ହୋଇଯାଇଛି ।
ଏହି ଅବସରରେ ସକାଳ ସାଢେ ୭ଟାରେ ପିପିଲି ନୋଡାଲ ହାଇସ୍କୁଲ ଖେଳପଡିଆରୁ ଏକ ବିଶାଳ କ୍ରୀଡା ଶୋଭାଯାତ୍ରା ବାହାରି ପିପିଲି ବଜାର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାକୁ ଅବସରପ୍ରାପ୍ତ ଲେପ୍ଟନାଣ୍ଟ ଜେନେରାଲ ନାରାୟଣ ମହାନ୍ତି,ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ,ପିପିଲି ଏସ୍ଡିପିଓ ଦେବାଶିଷ ମିଶ୍ର ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପିପିଲିର ବିଭିନ୍ନ ବିଦ୍ୟାଳୟର ୫ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ସମେତ ୮ଟି କ୍ରୀଡା ସଂଗଠନର କର୍ମକର୍ତ୍ତାମାନେ ଏଥିରେ ଯୋଗଦେଇଥିଲେ । ଜବାହର ବିଦ୍ୟାପୀଠ ଠାରେ ଶୋଭାଯାତ୍ରା ପହଞ୍ଚିବା ପରେ ସେଠାରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ଲେପ୍ଟନାଣ୍ଟ ଜେନେରାଲ ଶ୍ରୀ ମହାନ୍ତି,ପିପିଲି ବିଇଓ ପୀତବାସ ସେଠୀ,ଆନ୍ତର୍ଜାତିକ କ୍ରୀଡାବିତ୍ ସୁସ୍ମିତା ଟିଗ୍ଗୋ,ସବିତା ଟପ୍ପୋ,ପିପିଲି ସାଂସ୍କୃତିକ ପରିଷଦର ସାଧାରଣ ସଂପାଦକ ତଥା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ରମେଶ ଚନ୍ଦ୍ର ମହାପାତ୍ର, ଉପସଭାପତି ଦୀନବନ୍ଧୁ ବେହୁରା,ଶିକ୍ଷାବିତ୍ ହେମନ୍ତ କୁମାର ପ୍ରଧାନ, କ୍ରୀଡାବିତ୍ ପ୍ରଶାନ୍ତ କୁମାର ଜେନା ପ୍ରମୁଖ ଯୋଗଦେଇ ଧ୍ୟାନଚାନ୍ଦଙ୍କ ସଂପର୍କରେ ଆଲୋକପାତ କରିବା ସହ ଜାତୀୟ କ୍ରୀଡା ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ପ୍ରକାଶ କରିଥିଲେ । ରାଜ୍ୟରେ କ୍ରୀଡାର ମାନବୃଦ୍ଧି ପାଇଁ ପରିଷଦ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଶ୍ରୀମହାପାତ୍ର ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକଙ୍କ ସମେତ ଅଞ୍ଚଳର ବହୁ କ୍ରୀଡାବିତ୍ ଯୋଗଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପରିଷଦର ସଞ୍ଜୟ ମହାନ୍ତି, ସମ୍ବିତ ମହାନ୍ତି,ଜଗଦିଶ ସାହୁ, ସଦାଶିବ ବାରିକ ପ୍ରମୁଖ ପରିଚାଳନା କରିଥିଲେ ।