ବ୍ରହ୍ମପୁର,୨୨/୦୩(ପିପିଟି): ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପ୍ରସ୍ତାବିତ ପିପଳପଙ୍କା ଡ୍ୟାମ୍ ନିର୍ମାଣକୁ ବାତିଲ କରିବା ତଥା ନଦୀଶଯ୍ୟାରୁ ଅବାଧ ବାଲି ଚାଲାଣ ବନ୍ଦ କରିବା ଦାବିରେ ଋଷିକୂଲ୍ୟା ସୁରକ୍ଷା ପଦଯାତ୍ରା ଆଜି ସପ୍ତମ ଦିବସରେ ପୁରୁଷୋତ୍ତମପୁର ସହରରେ ପହଞ୍ଚିଛି । ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆୟୋଜିତ ଏହି ଦଶ ଦିନିଆ ପଦଯାତ୍ରା ଗତ ଦୁଇଦିନ ଧରି ଆଲପୁର, ଅନ୍ତରୀଗାଁ, ରାଉଳପଲ୍ଲୀ, ଗୋବିନ୍ଦପୁର, ମୋରବାଇ,ପାଣ୍ଡିଆ,ପାଣ୍ଡରଖଲ୍ଲୀ, ଭୀମପୁର, ଚାଟମୁଣ୍ଡଳୀ, କୋଳାସିଙ୍ଗି ଆଦି ପୁରୁଷୋତ୍ତମପୁର ବ୍ଳକର ବିଭିନ୍ନ ଗ୍ରାମ ପରିକ୍ରମା କରି ପୁରୁଷୋତ୍ତମପୁର ସହରରେ ପହଞ୍ଚିଥିଲା । ଗାଁ ମାନଙ୍କରେ ପଦଯାତ୍ରା ସହ ପଥପ୍ରାନ୍ତ ସଭାର ଆୟୋଜନ ହୋଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ସରକାର ଛତ୍ରପୁର -ଗୋପାଳପୁର ଶିଳ୍ପ କରିଡରରେ ଥିବା ଟାଟା ଓ ଆଦାନୀ ପରି ବୃହତ୍ ଘରୋଇ କମ୍ପାନୀଙ୍କ ପ୍ରକଳ୍ପଗୁଡ଼ିକୁ ପାଣି ଯୋଗାଇବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାର ଜୀବନ ରେଖା ରୂପେ ପରିଚିତ ଋଷିକୂଲ୍ୟା ନଦୀର ଉପର ମୁଣ୍ଡରେ ପିପଳପଙ୍କା ଠାରେ ଏକ ବଡ ଡ୍ୟାମ ନିର୍ମାଣ କରିବାକୁ ଯାଉଛନ୍ତି । ଋଷିକୂଲ୍ୟା ଓ ଓଡାଙ୍ଗୀ ନଦୀର ସଂଯୋଗ ସ୍ଥଳରେ ଥିବା ପିପଳପଙ୍କା ଠାରେ ଏହି ଡେମ୍ ନିର୍ମିତ ହୋଇ ନଦୀର ଉପର ମୁଣ୍ଡରୁ ଦୈନିକ ୬୦ ନିୟୁତ ଗ୍ୟାଲେନ୍ ପାଣି ଶହେ କି.ମି ଲମ୍ବ ପାଇପଲାଇନ ଯୋଗେ ଗୋପାଳପୁର ଓ ଛତ୍ରପୁର ଅଞ୍ଚଳରେ ଥିବା କମ୍ପାନୀଙ୍କୁ ଯୋଗାଇ ଦିଆଯିବ । ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଓ ବ୍ୟପକ ବାଲି ଚାଲାଣ ଫଳରେ ଋଷିକୂଲ୍ୟା ନଦୀ ଶଯ୍ୟା ଏକରକମ ଶୁଷ୍କ ହୋଇଯାଇଥିବା ବେଳେ ଉପର ମୁଣ୍ଡରେ ଏକ ବଡ ଡ୍ୟାମ ନିର୍ମାଣ ହେଲେ ଋଷିକୂଲ୍ୟା ନଦୀ ଶେଷରେ ସମ୍ପୂର୍ଣ୍ଣ ଭାବେ ଶୁଷ୍କ ହୋଇ ମରିଯିବ । ସେପରି ସ୍ଥଳେ ନଦୀର ଉଭୟ ପାର୍ଶ୍ଵରେ ବସବାସ କରୁଥିବା ଶତାଧିକ ଗ୍ରାମର ଲକ୍ଷାଧିକ ଲୋକଙ୍କ ଜୀବନ ଜୀବିକା ବିପନ୍ନ ହେବ । ନଦୀରେ ଜଳ ଅଭାବରୁ ଶତାବ୍ଦୀ ପୁରୁଣା ଋଷିକୂଲ୍ୟା ଜଳସେଚନ ବ୍ୟବସ୍ଥା ପ୍ରଭାବିତ ହୋଇ ଗଞ୍ଜାମର ବ୍ୟାପକ ଅଞ୍ଚଳର ଚାଷ ବରବାଦ ହୋଇ ଚାଷୀମାନେ କ୍ଷତିଗ୍ରସ୍ତ ହେବେ । ଏହା ସହିତ ଋଷିକୂଲ୍ୟା ନଦୀର ପାଣି ଉପରେ ନିର୍ଭରଶୀଳ ବ୍ରହ୍ମପୁର,ଛତ୍ରପୁର,ଗଞ୍ଜାମ, ପୁରୁଷୋତ୍ତମପୁର, ଆସିକା ଓ ଗୋପାଳପୁର ଆଦି ସହର ତଥା ଶତାଧିକ ଗ୍ରାମବାସୀଙ୍କ ଜଳ ସଙ୍କଟ ଉତ୍କଟ ହେବ । ଡେମ୍ ନିର୍ମାଣ ଫଳରେ ଗଞ୍ଜାମ ଓ କନ୍ଧମାଳ ସୀମାରେ ଥିବା ପିପଳପଙ୍କା ଅଞ୍ଚଳରେ ଦୁଇ ହଜାର ହେକ୍ଟରରୁ ଉର୍ଦ୍ଧ୍ୱ ଘଞ୍ଚ ଜଙ୍ଗଲ ଓ ତା’ରି ମଧ୍ୟରେ ପିଢ଼ି ପିଢ଼ି ଧରି ବସବାସ କରି ଆସୁଥିବା ୨୩ଟି ଗ୍ରାମର ଗରିବ ଆଦିବାସୀ, ଦଳିତ ଓ ଚାଷୀ ପରିବାର ସବୁଦିନ ପାଇଁ ନିଜର ଭିଟାମାଟି ହରାଇବେ ।
ଏଭଳି ପରିସ୍ଥିତିରେ କେବଳ ଘରୋଇ କମ୍ପାନୀଙ୍କ ସ୍ଵାର୍ଥରେ ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ଏହି ଜନବିରୋଧୀ, ପରିବେଶ ବିରୋଧି ଏବଂ ସର୍ବୋପରି ନଦୀ ବିରୋଧି ଡେମକୁ ବାତିଲ କରିବା ତଥା ସରକାରଙ୍କ ସହଯୋଗରେ ନଦୀଶଯ୍ୟାରୁ ଚାଲିଥିବା ଅବାଧ ବାଲି ଚାଲାଣକୁ ବନ୍ଦ କରିବା ଦାବିରେ ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତ ମାର୍ଚ୍ଚ ୧୬ ରୁ ୨୫ ତାରିଖ ପର୍ଯ୍ୟନ୍ତ ପିପଳପଙ୍କା ଠାରୁ ଗଞ୍ଜାମ ମୁହାଣ ପର୍ଯ୍ୟନ୍ତ ଦିର୍ଘ ୧୨୦ କିମି ଦୂର ଏକ ପଦଯାତ୍ରାର ଆୟୋଜନ କରାଯାଉଛି । ଆଜି ସପ୍ତମ ଦିବସରେ ପଦଯାତ୍ରା ପୁରୁଷୋତ୍ତମପୁର ବ୍ଳକରେ ପହଞ୍ଚିଲା ପରେ ପୁରୁଷୋତ୍ତମପୁର ସହର ତଥା ଗାଁ ମାନଙ୍କରେ ବିଭିନ୍ନ ବର୍ଗର ଲୋକେ ପଦଯାତ୍ରୀମାନଙ୍କୁ ରାସ୍ତାରେ ସମ୍ବର୍ଦ୍ଧନା ଦେଇଥିଲେ । ମଧ୍ୟାହ୍ନରେ ପୁରୁଷୋତ୍ତମପୁର ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ସଭାରେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଏଆଇକେଏମଏସ୍ ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ଋଷିକୂଲ୍ୟା ରୟତ ମହାସଭା ସମ୍ପାଦକ ସିମାଞ୍ଚଳ ନାହାକ, ଶିକ୍ଷାବିତ୍ ଶ୍ୟାମସୁନ୍ଦର ଖାଡଙ୍ଗା, ସମାଜସେବୀ ସୁବାଷ ରାଉତ, ଯୁବନେତା ଆଦିତ୍ୟ ରଥ, ସାମାଜିକ କର୍ମୀ ବିନାୟକ ଆଚାର୍ଯ୍ୟ, ନିକାଞ୍ଚଳ ପଣ୍ଡା, ତାପସ ବେହେରା, ଜଗତବନ୍ଧୁ ପଣ୍ଡା,ବିଜୟ କୁମାର ମହାନ୍ତି,ଚାଷୀ ନେତା କାଳୀଚରଣ ନାୟକ,ଯୁବନେତା ଲକ୍ଷ୍ମୀ ନୃସିଂହ ରଥ ପ୍ରମୁଖ ଯୋଗ ଦେଇଥିଲେ ।