ପିପଳପଙ୍କାରେ ପ୍ରସ୍ତାବିତ ଡ଼୍ୟାମ୍ ଓ ଅବାଧ ବାଲି ଖନନ ବିରୁଦ୍ଧରେ ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ଦଶ ଦିନିଆ ପଦଯାତ୍ରା ଋଷିକୂଲ୍ୟା ମୁହାଣରେ ଉଦଯାପିତ ।
ବ୍ରହ୍ମପୁର,୨୫/୦୩(ପିପିଟି): ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ଋଷିକୂଲ୍ୟା ବଞ୍ଚାଅ କ୍ରୀୟାନୁଷ୍ଠାନ କମିଟି ତରଫରୁ ଗତ ୧୬ ତାରିଖରୁ ପିପଳପଙ୍କା ଠାରୁ ଆରମ୍ଭ ହୋଇଥିବା ଦଶ ଦିନିଆ ପଦଯାତ୍ରା ଆଜି (ମାର୍ଚ୍ଚ ୨୫) ନଦୀର ମୁହାଣ ରୂପେ ପରିଚିତ ପୁରୁଣାବନ୍ଧ ଠାରେ ଉଦଯାପିତ ହୋଇଛି । ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପିପଳପଙ୍କା ଠାରେ ପ୍ରସ୍ତାବିତ ଡ୍ୟାମ୍ ନିର୍ମାଣ ବାତିଲ କରିବା ତଥା ନଦୀଶଯ୍ୟାରୁ ଅବାଧ ବାଲି ଖନନକୁ ବନ୍ଦ କରିବା ଦାବିରେ ଏହି ପଦଯାତ୍ରା ଆୟୋଜିତ ହୋଇଥିଲା ।
ଋଷିକୂଲ୍ୟା ବଞ୍ଚାଅ କ୍ରୀୟାନୁଷ୍ଠାନ କମିଟି ତରଫରୁ ଆୟୋଜିତ ଏହି ପଦଯାତ୍ରା ଗତ ଦଶ ଦିନ ମଧ୍ୟରେ ନଦୀର ଉଭୟ ପାର୍ଶ୍ଵରେ ଥିବା ସୋରଡା, ଧରାକୋଟ, ଆସିକା,ଶେରଗଡ଼,ହିଞ୍ଜିଳି, ପୁରୁଷୋତ୍ତମପୁର,ଛତ୍ରପୁର ଓ ଗଞ୍ଜାମ ବ୍ଳକର ଶତାଧିକ ଗ୍ରାମ ପରିକ୍ରମା କରିବା ସହ ପଥପ୍ରାନ୍ତ ସଭା ଜରିଆରେ ଋଷିକୂଲ୍ୟା ନଦୀ ପ୍ରତି ସୃଷ୍ଟି ହୋଇଥିବା ବିପଦ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ । ସବୁଠାରେ ସାଧାରଣ ଲୋକେ ନଦୀର ଭୟଙ୍କର ସ୍ଥିତି ନେଇ ନିଜ ନିଜର ଉଦବେଗ ପ୍ରକାଶ କରିଥିଲେ ।
ଆଜି ପୁରୁଣାବନ୍ଧ ଠାରେ ଅନୁଷ୍ଠିତ ଉଦଯାପନ ସଭାର ସଂଯୋଜନା ଅବସରପ୍ରାପ୍ତ ଶିକ୍ଷକ ବିଜୟ ବିଶ୍ଵାଳ କରିଥିଲେ । ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା, କୃଷକ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ଶିକ୍ଷାବିତ୍ ବାନାମ୍ଵର ପଲେଇ,ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ ସୁରଥ ପାହାନ,ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ,ଶ୍ୟାମସୁନ୍ଦର ଖାଡଙ୍ଗା,ଲେଖିକା ଡଃ ବିଧୂପ୍ରଭା ରଥ, ଲୋହିଆ ଏକାଡେମୀର ଅଧ୍ୟକ୍ଷ ଦେବୀ ପ୍ରସାଦ ମହାପାତ୍ର,ଆଡଭୋକେଟ୍ ଦୁର୍ଯୋଧନ ରେଡ୍ଡୀ, ଭିଟାମାଟି ବଞ୍ଚାଅ ଆନ୍ଦୋଳନର ଆବାହକ ଅରୁଣ ଜେନା, ଏନଏପିଏମର ସଭାପତି ନରେନ୍ଦ୍ର ମହାନ୍ତି, ଦୟାନଦୀ ସୁରକ୍ଷା ଆନ୍ଦୋଳନର ନେତା ସଚୀକାନ୍ତ ପ୍ରଧାନ, ଚାଷୀ ନେତା ସିମାଞ୍ଚଳ ନାହାକ, ସାମାଜିକ କର୍ମୀ ଆଦିତ୍ୟ ରଥ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖି ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପ୍ରସ୍ତାବିତ ଡ୍ୟାମ୍ ନିର୍ମାଣ ଓ ଅବାଧ ବାଲି ଖନନକୁ ବିରୋଧ କରିବା ସହ ଋଷିକୂଲ୍ୟାର ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ସଂଗ୍ରାମକୁ ଜୋରଦାର କରିବାକୁ ଆହ୍ବାନ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଉଷାରାଣୀ ଆଚାର୍ଯ୍ୟ,କେ ନାନ୍ଦେଶୁ ସେନାପତି,ସମାଜସେବୀ ସୁବାଷ ରାଉତ, ଏଆଇକେଏମଏସ୍ ସମ୍ପାଦକ ପ୍ରତାପ ନାୟକ, ମତ୍ସ୍ୟଜୀବୀ ନେତା ମାଗତା ବେହେରା,ଚାଷୀ ନେତା କିଶନ ପଟ୍ଟନାୟକ,ଯୁବନେତା ଲକ୍ଷ୍ମୀ ନୃସିଂହ ରଥ,ବିଜୟ ସ୍ଵାଇଁ,ସଞ୍ଜୀବ ରେଡ୍ଡୀଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଅନେକ ଚାଷୀନେତା, ବୁଦ୍ଧିଜୀବୀ,ପରିବେଶବିତ୍ ଓ ସାମାଜିକ କର୍ମୀ ସାମିଲ ହୋଇଥିଲେ । ଏହି ଅବସରରେ ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପଦଯାତ୍ରାରେ ସାମିଲ ହୋଇଥିବା ସମସ୍ତ ପଦଯାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲାର ଜୀବନରେଖା ରୂପେ ପରିଚିତ ଋଷିକୂଲ୍ୟା ନଦୀ ଏବେ ସରକାର ଓ କମ୍ପାନୀଙ୍କ ଭୟଙ୍କର ଷଡ଼ଯନ୍ତ୍ରର ଶିକାର ହେବାକୁ ଯାଉଛି। ହଜାରେ କୋଟି ଟଙ୍କାରୁ ଅଧିକ ପ୍ରାରମ୍ଭିକ ଖର୍ଚ୍ଚରେ ଓଡ଼ିଶା ସରକାର ଋଷିକୂଲ୍ୟା ଓ ଓଡାଙ୍ଗୀ ନଦୀର ସଂଯୋଗ ସ୍ଥଳ ରୂପେ ପରିଚିତ ସୋରଡ଼ା ବ୍ଳକ୍ ଅନ୍ତର୍ଗତ ପିପଳପଙ୍କା ଠାରେ ଏକ ବୃହତ୍ ଡେମ୍ ନିର୍ମାଣ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଋଷିକୂଲ୍ୟାର ଉପର ମୁଣ୍ଡରେ ପ୍ରସ୍ତାବିତ ଏହି ଡ଼୍ୟାମ୍ ଜରିଆରେ ସରକାର ଛତ୍ରପୁର ଓ ଗୋପାଳପୁର ନିକଟରେ ଅବସ୍ଥିତ ଟାଟା ଓ ଆଦାନୀ ପରି ଘରୋଇ କମ୍ପାନୀଙ୍କର ଶିଳ୍ପ କରିଡ଼ର ଓ ବନ୍ଦରକୁ ଦୀର୍ଘ ୧୦୦ କି.ମି ଲମ୍ବା ପାଇପଲାଇନ୍ ଯୋଗେ ଦୈନିକ ୬୦ ନିୟୁତ ଗ୍ୟାଲନ ଜଳ ଯୋଗାଇବେ ବୋଲି ଘୋଷଣା କରିଛନ୍ତି। ଏହି ଡ଼େମ୍ ନିର୍ମାଣ ହୋଇ ଉପରମୁଣ୍ଡରୁ କମ୍ପାନୀମାନଙ୍କୁ ପାଣି ଚାଲିଗଲେ ବର୍ତ୍ତମାନ ଶୁଷ୍କ ପ୍ରାୟ ଋଷିକୂଲ୍ୟା ନଦୀରେ ପାଣି ଆହୁରି କମିଯାଇ ଏହାକୁ ଏକ ମୃତ ନଦୀରେ ପରିଣତ କରିଦେବ। ଏହାବ୍ୟତିତ ନଦୀ ଉପରେ ନିର୍ଭର କରୁଥିବା ଜିଲ୍ଲାର ଜଳସେଚନ ବ୍ୟବସ୍ଥା, ବ୍ରହ୍ମପୁର,ଆସିକା,ଛତ୍ରପୁର,ଗୋପାଳପୁର,ଗଞ୍ଜାମ ଆଦି ସହରର ପାନୀୟ ଜଳ ବ୍ୟବସ୍ଥା ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେବ। ନଦୀ ଉପରେ ନିର୍ଭରଶୀଳ ନଦୀର ଉଭୟ କୂଳରେ ଥିବା ଶତାଧିକ ଗ୍ରାମର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକା ଓ ଚାଷ କ୍ଷତିଗ୍ରସ୍ତ ହେବ। ପିପଳପଙ୍କାରେ ଡ଼େମ୍ ନିର୍ମାଣ ଫଳରେ ଗଞ୍ଜାମ-କନ୍ଧମାଳ ସୀମାରେ ରହିଥିବା ଦୁଇ ହଜାର ହେକ୍ଟରରୁ ଅଧିକ ଘଂଚ ଜଙ୍ଗଲ ନଷ୍ଟ ହୋଇଯିବ। ଏହାସହିତ ସେହି ଅଞ୍ଚଳର ୨୩ ଖଣ୍ଡ ଗ୍ରାମର ଚାଷୀ ଓ ଆଦିବାସୀମାନେ ସବୁବେଳ ପାଇଁ ନିଜର ଭିଟାମାଟି ଓ ଜୀବନ ଜୀବିକା ହରାଇବେ। ସରକାର ଟାଟା, ଆଦାନୀ ପରି ଘରୋଇ କମ୍ପାନୀଙ୍କ ପାଣି ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାରୀ ଖର୍ଚ୍ଚରେ କରିବାକୁ ଯାଉଥିବା ଏହି ସର୍ବନାଶୀ ପ୍ରକଳ୍ପ ବିରୁଦ୍ଧରେ ସ୍ଥାନୀୟ ଲୋକେ ଓ ଋଷିକୂଲ୍ୟା ସୁରକ୍ଷା କ୍ରୀୟାନୁଷ୍ଠାନ କମିଟି ଆରମ୍ଭରୁ ହିଁ ନିଜର ମତପ୍ରକାଶ କରି ଆସିଛି।