ପିପଳପଙ୍କାରେ ପ୍ରସ୍ତାବିତ ଡ଼୍ୟାମ୍ ଓ ଅବାଧ ବାଲି ଖନନ ବିରୁଦ୍ଧରେ ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ପଦଯାତ୍ରା ।

0 253

ବ୍ରହ୍ମପୁର,୧୩/୦୩(ପିପିଟି): ଗଞ୍ଜାମ ଜିଲ୍ଲାର ଜୀବନରେଖା ରୂପେ ପରିଚିତ ଋଷିକୂଲ୍ୟା ନଦୀ ଏବେ ସରକାର ଓ କମ୍ପାନୀଙ୍କ ଭୟଙ୍କର ଷଡ଼ଯନ୍ତ୍ରର ଶିକାର ହେବାକୁ ଯାଉଛି। ହଜାରେ କୋଟି ଟଙ୍କାରୁ ଅଧିକ ପ୍ରାରମ୍ଭିକ ଖର୍ଚ୍ଚରେ ଓଡ଼ିଶା ସରକାର ଋଷିକୂଲ୍ୟା ଓ ଓଡାଙ୍ଗୀ ନଦୀର ସଂଯୋଗ ସ୍ଥଳ ରୂପେ ପରିଚିତ ସୋରଡ଼ା ବ୍ଳକ୍ ଅନ୍ତର୍ଗତ ପିପଳପଙ୍କା ଠାରେ ଏକ ବୃହତ୍ ଡେମ୍ ନିର୍ମାଣ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଋଷିକୂଲ୍ୟାର ଉପର ମୁଣ୍ଡରେ ପ୍ରସ୍ତାବିତ ଏହି ଡ଼୍ୟାମ୍ ଜରିଆରେ ସରକାର ଛତ୍ରପୁର ଓ ଗୋପାଳପୁର ନିକଟରେ ଅବସ୍ଥିତ ଟାଟା ଓ ଆଦାନୀ ପରି ଘରୋଇ କମ୍ପାନୀଙ୍କର ଶିଳ୍ପ କରିଡ଼ର ଓ ବନ୍ଦରକୁ ଦୀର୍ଘ ୧୦୦ କି.ମି ଲମ୍ବା ପାଇପଲାଇନ୍ ଯୋଗେ ଦୈନିକ ୬୦ ନିୟୁତ ଗ୍ୟାଲନ ଜଳ ଯୋଗାଇବେ ବୋଲି ଘୋଷଣା କରିଛନ୍ତି। ଏହି ଡ଼େମ୍ ନିର୍ମାଣ ହୋଇ ଉପରମୁଣ୍ଡରୁ କମ୍ପାନୀମାନଙ୍କୁ ପାଣି ଚାଲିଗଲେ ବର୍ତମାନ ଶୁଷ୍କ ପ୍ରାୟ ଋଷିକୂଲ୍ୟା ନଦୀରେ ପାଣି ଆହୁରି କମିଯାଇ ଏହାକୁ ଏକ ମୃତ ନଦୀରେ ପରିଣତ କରିଦେବ। ଏହାବ୍ୟତିତ ନଦୀ ଉପରେ ନିର୍ଭର କରୁଥିବା ଜିଲ୍ଲାର ଜଳସେଚନ ବ୍ୟବସ୍ଥା, ବ୍ରହ୍ମପୁର,ଆସିକା,ଛତ୍ରପୁର,ଗୋପାଳପୁର,ଗଞ୍ଜାମ ଆଦି ସହରର ପାନୀୟ ଜଳ ବ୍ୟବସ୍ଥା ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେବ। ନଦୀ ଉପରେ ନିର୍ଭରଶୀଳ ନଦୀର ଉଭୟ କୂଳରେ ଥିବା ଶତାଧିକ ଗ୍ରାମର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକା ଓ ଚାଷ କ୍ଷତିଗ୍ରସ୍ତ ହେବ। ପିପଳପଙ୍କାରେ ଡ଼େମ୍ ନିର୍ମାଣ ଫଳରେ ଗଂଜାମ-କନ୍ଧମାଳ ସୀମାରେ ରହିଥିବା ଦୁଇ ହଜାର ହେକ୍ଟରରୁ ଅଧିକ ଘଞ୍ଚ ଜଙ୍ଗଲ ନଷ୍ଟ ହୋଇଯିବ। ଏହାସହିତ ସେହି ଅଂଚଳର ୨୩ ଖଣ୍ଡ ଗ୍ରାମର ଚାଷୀ ଓ ଆଦିବାସୀମାନେ ସବୁବେଳ ପାଇଁ ନିଜର ଭିଟାମାଟି ଓ ଜୀବନ ଜୀବିକା ହରାଇବେ। ସରକାର ଟାଟା,ଆଦାନୀ ପରି ଘରୋଇ କମ୍ପାନୀଙ୍କ ପାଣି ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାରୀ ଖର୍ଚ୍ଚରେ କରିବାକୁ ଯାଉଥିବା ଏହି ସର୍ବନାଶୀ ପ୍ରକଳ୍ପ ବିରୁଦ୍ଧରେ ସ୍ଥାନୀୟ ଲୋକେ ଓ ଋଷିକୂଲ୍ୟା ସୁରକ୍ଷା କ୍ରୀୟାନୁଷ୍ଠାନ କମିଟି ଆରମ୍ଭରୁ ହିଁ ନିଜର ମତପ୍ରକାଶ କରି ଆସିଛି। ଗତ ଡ଼ିସେମ୍ବର ମାସରେ ଅନୁଷ୍ଠିତ ଜନଶୁଣାଣୀରେ ମଧ୍ୟ ସ୍ଥାନୀୟ ଲୋକେ ନିଜର ସ୍ପଷ୍ଟ ବିରୋଧ ପ୍ରକାଶ କରିଛନ୍ତି। ଆମେ ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଜଳସଂପଦ ବିଭାଗ ଦାୟୀତ୍ୱରେ ଥିବା ଖୋଦ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଦେଇଛୁ। ଆରଡ଼ିସିଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରି ଏହାକୁ ବନ୍ଦ କରିବାକୁ ଏବଂ ହଜାର ହଜାର ଚାଷୀ ଓ ଆଦିବାସୀଙ୍କ ଜୀବନ ଜୀବିକାକୁ ବଂଚାଇବାକୁ ନିବେଦନ କରୁଛୁ। ତଥାପି ସରକାର ଡ଼େମ୍ ନିର୍ମାଣ ଦିଗରେ ଆଗେଇବା ଦୁର୍ଭାଗ୍ୟଜନକ।

ଏହି ପରିପ୍ରେକ୍ଷୀରେ ଋଷିକୂଲ୍ୟା ବଂଚାଅ କ୍ରୀୟାନୁଷ୍ଠାନ କମିଟି ତରଫରୁ ପିପଳପଙ୍କା ଠାରେ ପ୍ରସ୍ତାବିତ ଡ଼େମ୍ ନିର୍ମାଣର ପ୍ରତ୍ୟାହାର ଓ ନଦୀରୁ ଅବାଧ ବାଲି ଚାଲାଣ ବନ୍ଦ କରିବା ଦାବିରେ ଜନଜାଗରଣ କରିବାକୁ ଆସନ୍ତା ମାର୍ଚ୍ଚ ୧୬ -୨୫ ତାରିଖ ଯାଏଁ ଏକ ପଦଯାତ୍ରାର ଆୟୋଜନ କରାଯାଇଛି। ୧୬ ମାର୍ଚ୍ଚ ପୂର୍ବାହ୍ନ ୧୦ଟାରେ ପିପଲପଙ୍କା ଠାରୁ ଆରମ୍ଭ ହେବାକୁ ଥିବା ଏହି ପଦଯାତ୍ରା ଦୀର୍ଘ ୧୨୦ କି.ମି ରାସ୍ତା ଅତିକ୍ରମ କରି ଆସନ୍ତା ମାର୍ଚ୍ଚ ୨୫ ତାରିଖରେ ଗଞ୍ଜାମ ମୁହାଣରେ ଥିବା ପୁରଣାବନ୍ଧ ଗ୍ରାମରେ ଏକ ସଭା ସହ ସମାପ୍ତ ହେବ। ଏଥିରେ ଜିଲ୍ଲାର ଚାଷୀ, ବୁଦ୍ଧିଜୀବୀ,ପରିବେଶବିତ୍‌ଙ୍କ ସମେତ ସ୍ଥାନୀୟ କ୍ଷତିଗ୍ରସ୍ତ ହେବାକୁ ଯାଉଥିବା ଲୋକେ ଏବଂ ଅନେକ ସରପଞ୍ଚ ତଥା ଲୋକ ପ୍ରତିନିଧି ମଧ୍ୟ ସାମିଲ ହେବେ। ରାସ୍ତାରେ ପଡ଼ୁଥିବା ଗ୍ରାମ ଓ ସହରମାନଙ୍କରେ ପଥପ୍ରାନ୍ତ ସଭା କରି ସରକାରଙ୍କ ଜନବିରୋଧି ନୀତି ବିରୁଦ୍ଧରେ ସଚେତନ କରାଯିବ। ଆମେ ଋଷିକୂଲ୍ୟାକୁ ବଞ୍ଚାଇବାକୁ ଏହି ଐତିହାସିକ ପଦଯାତ୍ରାରେ ସାମିଲ ହେବାକୁ ଦଳମତ ନିର୍ବିଶେଷରେ ସବୁ ରାଜନୈତିକ ଦଳର କର୍ମୀ, ଗ୍ରାମବାସୀମାନଙ୍କୁ ଆହ୍ୱାନ କରୁଛୁ ନଦୀକୁ ସୁରକ୍ଷିତ ରଖିବାକୁ ପଦୟତରେ ସାମିଲ ହୋଇ ସଫଳ କରିବାକୁ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଫୁଲ୍ଲ ସାମନ୍ତରା,ସୁଧୀର ରାଉତ, ସିମାଞ୍ଚଳ ନାହାକ,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,ସୁବାସ ରାଉତ,ଆଦିତ୍ୟ ରଥ, ଇ ଟି ରାଓ,ପ୍ରତାପ ଚନ୍ଦ୍ର ପ୍ରଧାନ, ବିଘ୍ନେଶ୍ୱର ସାହୁ,ଲକ୍ଷ୍ମୀ ନୃସିଂହ ରଥ, କବିରାଜ ସାହୁ, ଭାଲଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.