ପିପଳପଙ୍କାରେ ଡ୍ୟାମ ନିର୍ମାଣ ଓ ବାଲି ଚୋରାଚାଲାଣ ଋଷିକୂଲ୍ୟା ନଦୀ ପ୍ରତି ବିପଦ;ଆନ୍ଦୋଳନ ପାଇଁ ଘୋଷଣା ।

0 274

ବ୍ରହ୍ମପୁର,୦୯/୦୯(ପିପିଟି): ଗଞ୍ଜାମ ଜିଲ୍ଲାରେ ପ୍ରବାହିତ ଋଷିକୂଲ୍ୟା ନଦୀ ଜିଲ୍ଲାବାସୀଙ୍କ ଜୀବନରେଖା । ଗତ ସରକାର ସମୟରେ ଗୋପାଳପୁର ଓ ଛତ୍ରପୁର ଅଞ୍ଚଳରେ ଥିବା କମ୍ପାନୀମାନଙ୍କୁ ପାଣି ଯୋଗାଇବା ପାଇଁ ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଳକ୍ ଅନ୍ତର୍ଗତ ପିପଳପଙ୍କା ଠାରେ ଋଷିକୂଲ୍ୟା ଓ ଓଡାଙ୍ଗୀ ନଦୀର ସଂଯୋଗ ସ୍ଥଳରେ ଏକ ବୃହତ୍ ଡ୍ୟାମ୍ ନିର୍ମାଣ କରିବାକୁ ଗତ ସରକାରଙ୍କ ସମୟରେ ସ୍ଥିର ହୋଇଥିଲା । ନୂଆ ସରକାର ଆସିବା ପରେ ଏହି ପ୍ରକଳ୍ପକୁ ଅବ୍ୟାହତ ରଖିବା ସହ ସେ ଅଞ୍ଚଳରେ ଜମି ଅଧିଗ୍ରହଣ କରିବାକୁ ନିକଟରେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକଳ୍ପ ହେଲେ ପିପଳପଙ୍କା ଅଞ୍ଚଳର ୨୩ଟି ଗ୍ରାମର ଲୋକଙ୍କ ଭିଟାମାଟି ଚାଲିଯିବା ସହ ଋଷିକୂଲ୍ୟା ନଦୀ ସମ୍ପୂର୍ଣ୍ଣ ଭାବେ ଶୁଖିଯିବାକୁ ଯାଉଥିବାରୁ ତୁରନ୍ତ ଏହାକୁ ବନ୍ଦ କରିବାକୁ ଆଜି କନଭେନସନରେ ଜିଲ୍ଲାର ବିଭିନ୍ନ ବର୍ଗର ଲୋକଙ୍କ ପକ୍ଷରୁ ଦାବି କରାଯାଇଛି । ଋଷିକୂଲ୍ୟା ବଞ୍ଚାଅ କ୍ରିୟାନୁଷ୍ଠାନ କମିଟିର ସ୍ଥାନୀୟ ଆବାହକ ସଂଗ୍ରାମ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସମାବେଶରେ ଅଖିଳ ଭାରତ କିଶାନ୍ ମଜଦୂର ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ,ପରିବେଶବିତ୍ ପ୍ରଫୁଲ୍ଳ ସାମନ୍ତରା,ଋଷିକୂଲ୍ୟା ନଦୀ ସୁରକ୍ଷା କ୍ରୀୟାନୁଷ୍ଠାନ କମିଟି ଆବାହକ ସୁଧୀର ରାଉତ ପ୍ରମୁଖ ଯୋଗଦେଇ କହିଥିଲେ ଯେ ଟାଟା,ଆଦାନୀ ପରି ଘରୋଇ କମ୍ପାନୀଙ୍କୁ ପାଣି ଯୋଗାଇବାକୁ ରାଜ୍ୟ ସରକାର ଋଷିକୂଲ୍ୟା ନଦୀରେ ଯେଉଁ ଡେମ୍ ନିର୍ମାଣ କରିବାକୁ ଯାଉଛନ୍ତି ତା’ର ଫଳରେ ସେଠାକାର ୨୩ ଖଣ୍ଡ ଗାଁ ଜଳମଗ୍ନ ହେବା ସହ ଲୋକେ ନିଜର ଭିଟାମାଟି ହରାଇବେ । ବର୍ତ୍ତମାନ ବର୍ଷା ଚାରି ମାସକୁ ଛାଡ଼ିଦେଲେ ବର୍ଷସାରା ଋଷିକୂଲ୍ୟା ନଦୀ ଶୁଷ୍କ ରହୁଥିବା ବେଳେ ଉପର ମୁଣ୍ଡରେ ଆଉ ଏକ ଡ୍ୟାମ୍ ନିର୍ମାଣ ଋଷିକୂଲ୍ୟାକୁ ସମ୍ପୂର୍ଣ୍ଣ ଭାବେ ନିଶ୍ଚିହ୍ନ କରିଦେବ । ଋଷିକୂଲ୍ୟା ନଦୀର ଦୁଇ କଡରେ ବସବାସ କରୁଥିଲା ହଜାର ହଜାର ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହେବ । ଜିଲ୍ଲାର ଚାଷୀ ଓ ସାଧାରଣ ଜନତାଙ୍କ ପାଇଁ ଉଦ୍ଧିଷ୍ଟ ଋଷିକୂଲ୍ୟାର ଜଳକୁ ଡେମ୍ ଜରିଆରେ ଛଡେଇ ନେବାକୁ ସରକାର ଯେଉଁ ଷଡ଼ଯନ୍ତ୍ର କରିଛନ୍ତି,ତାକୁ ଯେକୌଣସି ମୂଲ୍ୟ ଦେଇ ପ୍ରତିରୋଧ କରାଯିବ ବୋଲି ଉପସ୍ଥିତ ବକ୍ତାମାନେ ଚେତାବନୀ ଦେଇଥିଲେ ।

ଆଜିର କନଭେନସନରେ ଭିଟାମାଟି ଓ ଋଷିକୂଲ୍ୟା ନଦୀ ସୁରକ୍ଷା ମଞ୍ଚ ପକ୍ଷରୁ ସୁରେଶ ମଳିକ, ରାଜୁ ମଳିକ, ସମ୍ପାଦକ ବ୍ରଜମୋହନ ମଳିକ ପ୍ରମୁଖ ଯୋଗଦେଇ ଜୀବନ ଚାଲିଯିବ ପଛେ ଆମର ଭିଟାମାଟି ଛାଡ଼ିବୁ ନାହିଁ ବୋଲି ଘୋଷଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଆଇକେଏମଏସର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ବ୍ଳକ୍ ସଭାପତି କାଳୀଚରଣ ନାୟକ, ଆପ୍ ଜିଲ୍ଲା ସଭାପତି ସୁବାସ ରାଉତ,ବିଚିତ୍ରାନନ୍ଦ ମୁନି,ରମେଶ ବେହେରା,ରଞ୍ଜିତ ତ୍ରିପାଠୀ,ନିରଞ୍ଜନ ପାତ୍ର ପ୍ରମୁଖ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କୃଷକ ନେତା,ସାମାଜିକ କର୍ମୀ,ପରିବେଶ କର୍ମୀ ଓ ବୁଦ୍ଧିଜୀବୀମାନେ ଋଷିକୂଲ୍ୟା ନଦୀ ଓ ତା ଉପରେ ଜଳସେଚନ ତଥା ପିଇବା ପାଣି ପାଇଁ ନିର୍ଭରଶୀଳ ଗଞ୍ଜାମ ଜିଲାର ଲକ୍ଷ ଲକ୍ଷ ଚାଷୀ ଓ ବ୍ରହ୍ମପୁର ସହରବାସୀ କ୍ଷତିଗ୍ରସ୍ତ ହେବେ ବୋଲି ଚିନ୍ତାପ୍ରକଟ କରିବା ସହ ଏନେଇ ଆଗାମୀ ଦିନରେ ଜିଲ୍ଲାବ୍ୟାପୀ ଜନସଚେତନତା ସୃଷ୍ଟି କରାଯିବ ବୋଲି କହିଥିଲେ ।

Leave A Reply

Your email address will not be published.