***ପିଣ୍ଡା***

0 149

ଘର ପିଣ୍ତା ପରେ ମସିଣାକୁ ପାରି
ବସିବାର ବଡ଼ ସଉକ….
ଗାଁ ଦାଣ୍ଡ ଦୃଶ୍ୟ ନୟନେ ପଡଇ
ବସନ୍ତେ ମଳୟ ବାହକ….!!
ଚାଳ ଛପରର ମାଟି ଝାଟି- ଘର
ଗୋମୟରେ ଲିପା ପ୍ରଲେପ…
ଗେରୁଆ ମାଟିରେ ଧାର ଦିଆ ପିଣ୍ତା
ବସି କରିଥାନ୍ତି ଆଳାପ….!!
ମାର୍ଗଶିର ଗୁରୁବାର ଦିନ ଚିତା
ଘର ପିଣ୍ତା ଦିଶେ ଝକମକ…
ଗାଁ ବୋହୂ ଝିଅ କଳାର ଚାତୁରୀ
ଲାଗେ ଯାଦୁକରୀ କୁହୁକ…!!
ଏ ପିଣ୍ତାରେ ବସି ଆଈ କହେ ଗପ
ସଞ୍ଜ ହୋଇଗଲେ ଅଳପ…
ସାହି ପିଲାମାନେ ରୁଣ୍ଡ ହୋଇ ଦଣ୍ତେ
କରୁଥାନ୍ତି ଭାରି ପ୍ରଳାପ….!!
ପିଣ୍ଡାରେ ବସିଣ ଭଜନ କେ ଗାଏ
ଭକତିରେ ବୁଡ଼ି ମୁହୂର୍ତ୍ତ…
ବସିଣ ପିଣ୍ତାରେ ପାଲା କେ ଦେଖଇ
ପ୍ରାଚୀନ ସଂସ୍କୃତି ବହୁତ…!!
ଶୀତ ସକାଳରେ ଜାଳିଣ ଉହ୍ମେଇ
ପିଣ୍ତାରେ ଆସ୍ଥାନ ବୃଦ୍ଧ ଲୋକ…
ସୂରୁଯ ଉଇଲେ କଅଁଳ ଖରାରେ
ଦେହ ସେକୁଥାନ୍ତି ଅନେକ…!!
ବରଷା ଦିନରେ ପିଣ୍ତା ଚାଳିଆରୁ
ଝର ଝର ଝରେ ଜଳ ଧାର…
ଠିଆ ହୋଇ ପିଲେ ପାଣି ଧରି କରେ
ଖେଳୁଥାନ୍ତି ମିଶି ପରସ୍ପର….!!
ଏ ପିଣ୍ତା ଏରୁଣ୍ଡି ଡେଇଁ ନବ ବଧୂ
ଗୃହକୁ କରଇ ପ୍ରବେଶ….
ଜାଳିଣ ପ୍ରଦୀପ ହୁଏ ବନ୍ଦାପନା
ସ୍ବାଗତେ ବଦନେ ଫୁଟେ ହସ….!!
ଏ ପିଣ୍ତା ଅଟଇ ପ୍ରବେଶ ପ୍ରସ୍ଥାନ
ଜୀବନର ଏହି ମୂକ ଶାକ୍ଷୀ….
ଆନନ୍ଦ ଦେଖିଛି ଲୁହ ବି ଦେଖିଛି
ନିରବ ରହିଛି ସବୁ ଦେଖି…!!
ଏ ପିଣ୍ତାରେ ଗଡ଼ି ଛାତିକୁ ପିଟିଣ
ଆକୁଳେ ବିଧବା ଛାଡେ ରଡ଼ି….
କୋକେଇରେ ଶବ ଏ ପିଣ୍ତାରୁ ଯାଏ
ମମତା ବନ୍ଧନ ସବୁ ଛାଡ଼ି…!!

(କବି କେଶବ ଚନ୍ଦ୍ର ନାୟକ)

(ସଭାପତି ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

ମୋନଂ:୯୪୩୭୭୭୯୪୪୭

Leave A Reply

Your email address will not be published.