ପାର୍ବଣ ଋତୁ ଆରମ୍ଭ, ଉତ୍ସବ ମୁଖର ମହାନଗର ।

0 145

ବ୍ରହ୍ମପୁର,୨୨/୦୯(ପିପିଟି): ପାର୍ବଣ ଋତୁର ଆଗମନ ସହିତ ମହାନଗର ଉତ୍ସବ ମୁଖର ହୋଇଉଠିଛି। ପ୍ରତିବର୍ଷ ପରି ଆଶ୍ୱିନ ମାସର ଶରତ ଋତୁରେ ପାଳିତ ଦୁର୍ଗା ପୂଜା ଚଳିତ ବର୍ଷ ମଧ୍ୟ ଭବ୍ୟ ଭାବରେ ଆୟୋଜନ ହେବ। ମହାଳୟାରୁ ଦେବୀଙ୍କ ଆଗମନ, ପଞ୍ଚମୀରୁ ପୂଜା ଆରମ୍ଭ ହୋଇ ମହାଷ୍ଟମୀ, ମହାନବମୀ ଓ ବିଜୟାଦଶମୀ ପର୍ଯ୍ୟନ୍ତ ପାଞ୍ଚଦିନିଆ ଉତ୍ସବ ପାଳିତ ହେବ। ମା’ ଦୁର୍ଗାଙ୍କୁ ସିଂହାସନରେ ବିରାଜିତ କରି ତାଙ୍କ ଦଶଭୁଜା ରୂପକୁ ଭକ୍ତିଭାବରେ ପୂଜା ପାଇଁ ପ୍ରସ୍ତୁତି ଶେଷ ହୋଇଛି।
ସହରର ହିଲପାଟଣା, ବିଜିପୁର, ପୁରୁଣା ବସଷ୍ଟାଣ୍ଡ, କମାପଲ୍ଲୀ, କୋର୍ଟପେଟା, ଗିରିଜା ଛକ, ଓ.ଏସ.ଆର.ଟି.ସି, ଆଯାଧ୍ୟା ନଗର, ସୁବା ରାଓ ଛକ, ଟାଟା ବେଞ୍ଜ ଛକ, ଆଙ୍କୁଲି, ଲାଞ୍ଜିପୁଲ୍ଲୀ, ଷ୍ଟେସନ ରୋଡ, ଗୋଷାଣୀନୂଆଗାଁ ନେହରୁ ନଗର, ସିଦ୍ଧାର୍ଥ ନଗର, ଗୋଇଲୁଣ୍ଡି ଛକ, ହନୁମାନ ବଜାର, ଗିରି ମାର୍କେଟ ଛକ, ଶ୍ରୀରାମ ନଗର, ଗାନ୍ଧୀ ନଗର ଛକ, ହରଡା଼ଖଣ୍ଡି ଛକ, ଗେଟ ବଜାର ଓ ଗୋକେନେଶ୍ୱର ପରି ବିଭିନ୍ନ ସ୍ଥାନରେ ପାରମ୍ପରିକ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି।
ବିଭିନ୍ନ ରାଜ୍ୟରୁ ମୂର୍ତ୍ତି କାରିଗର ସହରକୁ ଆସିଥିବା ବେଳେ, କଲକାତା ମୂର୍ତ୍ତି ଓ ମେଢ଼ କାରିଗରଙ୍କ ଚାହିଦା ବିଶେଷ ଦେଖାଯାଉଛି।
ହିଲପାଟଣାରେ ଚଳିତ ବର୍ଷ ପଞ୍ଚମ ପାର୍ବଣ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂଜା କମିଟିର ସଭାପତି ସୁନୀଲ କୁମାର ପାଢ଼ୀ, ଉପସଭାପତି ଈଶ୍ୱର ଚରଣ ବେହେରା, ସମ୍ପାଦକ ମାଧବ ସାହୁ, କୋଷାଧ୍ୟକ୍ଷ ବାପୁ ଚୌଧୁରୀ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ପୂଜାର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ କରିବା ପାଇଁ ସକ୍ରିୟ ହୋଇଛନ୍ତି।ଦୁର୍ଗା ପୂଜା ଓଡ଼ିଆଙ୍କ ପାଇଁ କେବଳ ଧାର୍ମିକ ପର୍ବ ନୁହେଁ, ଏହା ଏକ ସାମାଜିକ ଓ ସାଂସ୍କୃତିକ ପର୍ବ ମଧ୍ୟ। ଚଳିତ ବର୍ଷ ନବରାତ୍ରି ୨୨ ସେପ୍ଟେମ୍ବର (ସୋମବାର) ଠାରୁ ଆରମ୍ଭ ହୋଇ ୨ ଅକ୍ଟୋବର (ଗୁରୁବାର) ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ମା’ ଦୁର୍ଗାଙ୍କର ୯ଟି ରୂପର ପୂଜା କରାଯାଇଥାଏ।
ପ୍ରଥମ ଦିନ ପର୍ବତରାଜ ହିମାଲୟଙ୍କ ଝିଅ, ପାର୍ବତୀଙ୍କ ପ୍ରଥମ ରୂପ ‘ଶୈଳପୁତ୍ରୀ’ଙ୍କୁ ଖିରି, ଦ୍ୱିତୀୟ ଦିନ ସତ୍ୟ, ତପ, ଶାନ୍ତିର ପ୍ରତୀକ ‘ବ୍ରହ୍ମଚାରିଣୀ’ଙ୍କୁ ଚିନି, ତୃତୀୟ ଦିନ ମା’ଙ୍କ ମାଥାରେ ଅର୍ଧଚନ୍ଦ୍ରର ଆଭୂଷଣ ୯ଟି ରୂପ ‘ଚନ୍ଦ୍ରଘଣ୍ଟା’ଙ୍କୁ କ୍ଷୀର, ଚତୁର୍ଥ ଦିନ ବ୍ରହ୍ମାଣ୍ଡ ସୃଷ୍ଟିର କାରଣ ‘କୂଷ୍ମାଣ୍ଡା’ଙ୍କୁ ମାଲପୁଆ, ପଞ୍ଚମ ଦିନ କାର୍ତ୍ତିକେୟଙ୍କ ମାତା, ମାତୃତ୍ୱର ପ୍ରତୀକ ‘ସ୍କନ୍ଦମାତା’ଙ୍କୁ କଦଳୀ, ଷଷ୍ଠ ଦିନ ମହିଷାସୁରମର୍ଦିନୀ ରୂପରେ ‘କାତ୍ୟାୟନୀ’ଙ୍କୁ ମହୁ, ସପ୍ତମ ଦିନ ଅସୁର ଦମନକାରିଣୀ, ଅଧିକାରୀଣୀ ଶକ୍ତିର ରୂପ ‘କାଳରାତ୍ରୀ’ଙ୍କୁ ଗୁଡ଼, ଅଷ୍ଟମ ଦିନ ଶାନ୍ତି, ଶୁଭ, ଜ୍ଞାନ ଏବଂ ଭକ୍ତିର ପ୍ରତୀକ ‘ମହାଗୌରୀ’ଙ୍କୁ ନଡ଼ିଆ ଓ ନବମ ଦିନ ସମସ୍ତ ସିଦ୍ଧି ପ୍ରଦାନ କରୁଥିବା ଦେବୀ ‘ସିଦ୍ଧିଦାତ୍ରୀ’ଙ୍କୁ ହାଲୁଆ-ପୁରୀ-ଭଜା ଚଣା ମା’ଙ୍କୁ ଭୋଗ ଦିଆଯିବା ପରମ୍ପରା ରହିଛି। ପୂଜାକୁ ନଜରରେ ରଖି ବ୍ରହ୍ମପୁର ପୁଲିସ ପ୍ରଶାସନ ପକ୍ଷରୁ ବିଶେଷ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିବା ଦେଖିବାକୁ ମିଳିଛି। ପ୍ରଥମ ଦିନ ହିଲପାଟଣା ପୂଜା ମଣ୍ଡପ ଠାରେ ଅଞ୍ଚଳର ସମାଜସେବୀ ସନ୍ତୋଷ କୁମାର ପଣ୍ଡାଙ୍କ ନେତୃତ୍ୱରେ ନିକଟସ୍ଥ ବିଜିପୁର ମା’ ସନ୍ତୋଷୀ ମନ୍ଦିର ନିକଟ ବନ୍ଧରୁ ଏକ କଳସ ଜଳ ଆଣି କଳସ ସ୍ଥାପନ ସହ ପୂଜା ଆରମ୍ଭ ହୋଇଥିଲା ଏବଂ ଶତାଧିକ ଭକ୍ତଙ୍କ ପାଇଁ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଦଶମୀ ପର୍ଯ୍ୟନ୍ତ ଜାରି ରହିବ ବୋଲି କମିଟି ସମ୍ପାଦକ ମାଧବ ସାହୁ ମତପ୍ରକାଶ କରିଛନ୍ତି ।

Leave A Reply

Your email address will not be published.