ବ୍ରହ୍ମପୁର,୨୧/୦୯(ପିପିଟି):ଗଞ୍ଜାମ ଜିଲ୍ଲା ଜାଲ୍ ସାର୍ଟିଫିକେଟର ଗନ୍ତାଘର। ୨୦୧୯ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଫରୱାର୍ଡ ବ୍ଲକ ପକ୍ଷରୁ ପ୍ରାୟ ୫୧୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ହୋଇଛି। ସେଥିମଧ୍ଯରୁ ପ୍ରାୟ ୯୬ ଜଣଙ୍କ ନାମରେ ଥାନାରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ପ୍ରାୟ ୪୭ ଚାକିରି ଛାଡିଥିବା ଜଣାପଡିଛି। ପାତ୍ରପୁର ଓ ଚିକିଟି ବ୍ଲକରେ କାର୍ଯ୍ଯରତ ବାହାର ରାଜ୍ୟର ବିଇଡି କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ କରିବା ଓ ଆନ୍ଧ୍ରପ୍ରଦେଶରେ ଅଧ୍ଯୟନ ବେଳେ ପଛୁଆବର୍ଗ ଏବଂ ଶିକ୍ଷକ ନିଯୁକ୍ତି ବେଳେ ଏସସି ପ୍ରମାଣପତ୍ର ଦେଇ ନିଯୁକ୍ତି ଘଟଣାର ତଦନ୍ତ ପାଇଁ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ଦାବି କରିଛନ୍ତି। ବିଇଡି ଓ ଜାତିଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ,ମୁଖ୍ଯ ଶାସନ ସଚିବ, ଶିକ୍ଷା ସଚିବ, ଶିକ୍ଷା ମନ୍ତ୍ରୀ,ଗଞ୍ଜାମ ଜିଲ୍ଲାପାଳ, ଏସପି ଭିଜିଲାନ୍ସ ଓ ଡିଇଓଙ୍କୁ ଲିଖିତ ଅଭିଯୋଗ ଶ୍ରୀ ମହାନ୍ତି କରିଛନ୍ତି। ଗଞ୍ଜାମ ଜିଲ୍ଲାର ୨୦ଟି ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ହୋଇଛି। ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ବ୍ଲକର ସାର୍ଟିଫିକେଟ ଯାଞ୍ଚ ପାଇଁ ପରବର୍ତ୍ତୀ ସମୟ ଅଭିଯୋଗ ଦାଖଲ ହେବ ବୋଲି ସାମାଜିକ କର୍ମୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।