ସୁବର୍ଣ୍ଣପୁର ,୧୫/୦୭(ପିପିଟି):ନବ ଦିନାତ୍ମକ ଯାତ୍ରା ସାରି ଆଜି ବାହୁଡା଼ ଯାତ୍ରା କୁ ବାହାରିଲେ ଶ୍ରୀଜୀଉ। ଏଥିପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲା କୋଟସମଳାଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ରରେ ଏକ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା l ସକାଳ ୫ ଘ. ମଙ୍ଗଳ ଆଳତି, ସକାଳ ୭ଘ. ଖେଚୁଡ଼ି ଭୋଗ, ସକାଳ ୮ ଘ.ମଙ୍ଗଳାର୍ପଣ, ବେଶ, ପୂର୍ବାହ୍ନ ୧୧.ଘ. ଧାଡ଼ି ପହଣ୍ଡି ରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯାଇଥିଲା l ଅପରାହ୍ନ ୧ ଘ. ରଥରେ ଗୌନ୍ତିଆ ଶ୍ରୀ ଚମରା ଅମାତ ଛେରା ପହଁରା କରିଥିବାବେଳେ ଏଥିରେ ନରସିଂହ ପଧାନ, ମିତ୍ରଭାନୁ ମହାକୁର, ଶରଦ ଚାନ୍ଦ ପ୍ରମୁଖ ସହଯୋଗ କରିଥିଲେ । ସଂକୀର୍ତ୍ତନ, ଘଣ୍ଟ,ଶଙ୍ଖ, ହରିବୋଲ ହୁଳହୁଳି, ଜୟ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପାତାଳୀ ଶ୍ରୀକ୍ଷେତ୍ର। ଲକ୍ଷାଧିକ ଭକ୍ତଙ୍କ ସମାଗମ ରେ ସମଗ୍ର କ୍ଷେତ୍ର ଚଳଚଞ୍ଚଳ ରହିଥିଲା। ସୁବର୍ଣ୍ଣପୁର ର ଚନ୍ଦ୍ରିକା ସେବା ଟ୍ରଷ୍ଟ ତରଫରୁ ଅନ୍ନ ପ୍ରସାଦ, ପାନୀୟ ଜଳ ସେବା ଯୋଗାଇ ଦିଆଯାଇଥିବା ବେଳେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ତରଫରୁ ଶୃଙ୍ଖଳା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା । ପୋଲିସ, ସ୍ୱାସ୍ଥ୍ୟ, ଅଗ୍ନିଶମ ସେବା ବିଭାଗ ତରଫରୁ ଲୋକଙ୍କୁ ସେବା ଦେଇଥିବାବେଳେ ଆଜିର ବାହୁଡା଼ ଯାତ୍ରା ରେ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା, ଏଡିଏମ୍ ଅଞ୍ଜଳିନା ପ୍ରଧାନ, ରାଜସ୍ବ ଅଧିକାରୀ ଅଜିତ୍ ମିର୍ଦ୍ଧା ପ୍ରମୁଖ ଯୋଗ ଦେଇଥିଲେ ।ଆଜି ସଖାଳଠୁ ଚଳଚଞ୍ଚଳ ହୋଇ ଉଠିଥିଲା ପାତାଳି ଶ୍ରୀକ୍ଷେତ୍ର ଅଂଚଳ ।ଶତାଧିକ ଭକ୍ତଙ୍କ ଗହଳି ଚହଲି ଦେଖି ପୋଲିସ ପ୍ରଶାସନ ତରଫରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ