ପାଣ୍ଡେରା ନାଳ ସେତୁ ମରାମତିରେ ନିମ୍ନମାନର କାର୍ଯ୍ୟ ଅଭିଯୋଗ, ସ୍ଥାନୀୟଙ୍କ ମଧ୍ୟରେ ଅସନ୍ତୋଷ ।

0 0

ଯାଜପୁର,୦୮/୦୪(ପିପିଟି):ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କୁହିକା–ବାମ୍ବିଲୋ ରାସ୍ତା ମାଧ୍ୟମରେ ଭୁବନ ବ୍ଲକକୁ ସଂଯୋଗ କରୁଥିବା ବାମ୍ବିଲୋ ସୀମାଦେଇ ଯାଇଥିବା ପାଣ୍ଡେରା ନାଳ ସେତୁର ମରାମତି କାମକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର ପରିବେଶ ସୃଷ୍ଟି ହୋଇଛି। ସେତୁରେ କରାଯାଇଥିବା ମରାମତି କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ନେଇ ସ୍ଥାନୀୟ ଲୋକେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଳ୍ପ କାମ କରି ଶୀଘ୍ର ଚଳୁ କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ମଧ୍ୟ ଉଠିଛି।
ସୂଚନା ଅନୁଯାୟୀ, ଏହି ସେତୁଟି ଅଞ୍ଚଳର ଅନେକ ଗ୍ରାମର ଲୋକଙ୍କ ପାଇଁ ମୁଖ୍ୟ ଯାତାୟାତ ମାଧ୍ୟମ ଭାବେ କାମ କରୁଛି। ପ୍ରତିଦିନ ଏହି ସେତୁ ମାଧ୍ୟମରେ ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ଚାଷୀମାନେ ଯିବା ଆସିବା କରୁଛନ୍ତି। ତେବେ ସେତୁର ମରାମତି ଓ ନଳର ଉଭୟ ପାର୍ଶ୍ୱରେ ପି ସି ସି ୱାଲ ହେଉଥିବା ସତ୍ତ୍ୱେ ତାହାର ଗୁଣଗତ ମାନ ନେଇ ଗଭୀର ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଯେଭଳି ଭାବରେ କାମ କରାଯାଇଛି ତାହା ଦୀର୍ଘସ୍ଥାୟୀ ହେବା ନେଇ ସନ୍ଦେହ ସୃଷ୍ଟି କରୁଛି।
ଅନ୍ୟପଟେ, ଏହି ମରାମତି କାମ ପାଇଁ ସରକାର ପକ୍ଷରୁ କେତେ ଟଙ୍କା ଅନୁମୋଦନ କରାଯାଇଛି ସେଥିପାଇଁ କୌଣସି ସୂଚନା ଫଳକ ସ୍ଥାପନ କରାଯାଇନାହିଁ ବୋଲି ମଧ୍ୟ ସ୍ଥାନୀୟମାନେ ଅଭିଯୋଗ କରିଛନ୍ତି। ସାଧାରଣତଃ ଏପରି ସରକାରୀ କାମରେ ପ୍ରକଳ୍ପର ନାମ, ଅନୁମୋଦିତ ଅର୍ଥରାଶି, କାମ କରୁଥିବା ବିଭାଗ ଓ ସମୟସୀମା ସମ୍ବନ୍ଧୀୟ ସୂଚନା ଫଳକ ଲଗାଯାଇଥାଏ। କିନ୍ତୁ ଏଠାରେ ସେପରି କୌଣସି ସୂଚନା ଫଳକ ନଥିବାରୁ ଲୋକମାନଙ୍କ ମଧ୍ୟରେ ସନ୍ଦେହ ଓ ଅସନ୍ତୋଷ ବଢ଼ିବାକୁ ଲାଗିଛି।
ଏହା ସହିତ ମରାମତି କାମର ତଦାରଖ ପାଇଁ ବିଭାଗୀୟ ଅଧିକାରୀମାନେ ସ୍ଥଳ ପରିଦର୍ଶନ କରୁନାହାନ୍ତି ବୋଲି ମଧ୍ୟ ଅଭିଯୋଗ ହେଉଛି। ଯଦି ସମୟ ସମୟରେ ଅଧିକାରୀମାନେ କାମର ତଦାରଖ କରିଥାନ୍ତେ, ତେବେ ଏପରି ନିମ୍ନମାନର କାର୍ଯ୍ୟ ହେବାର ସମ୍ଭାବନା କମ୍ ଥାନ୍ତା ବୋଲି ସ୍ଥାନୀୟ ଲୋକମାନେ କହୁଛନ୍ତି।
ଏହି ପରିସ୍ଥିତିରେ ସେତୁ ମରାମତି କାମର ଗୁଣଗତ ମାନ ଓ ସ୍ଥାୟୀତ୍ୱ ନେଇ ବଡ଼ ପ୍ରଶ୍ନ ଉଠିଛି। ଭବିଷ୍ୟତରେ ଯଦି ସେତୁଟି ପୁଣି କ୍ଷତିଗ୍ରସ୍ତ ହୋଇଯାଏ, ତେବେ ଏହା ଅଞ୍ଚଳର ଲୋକଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିପାରେ। ତେଣୁ ସମ୍ପୃକ୍ତ ବିଭାଗ ଏହି ମାମଲାକୁ ଗୁରୁତ୍ୱ ଦେଇ ତଦନ୍ତ କରିବା ସହିତ ଉଚ୍ଚମାନର କାମ ସୁନିଶ୍ଚିତ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରୁଛନ୍ତି।

Leave A Reply

Your email address will not be published.