ପାଟଣା,୧୪/୦୨:ଗତ ଜାନୁଆରୀ ୪ ରେ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକଙ୍କ ବିରୋଧରେ ଆସିଥିବା ଅନାସ୍ଥା ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ତେବେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କାରଣରୁ ଭୋଟ ଗଣତି ହୋଇ ନଥିଲା। ଆଜି କେନ୍ଦୁଝର ଟ୍ରେଜେରୀରୁ ଭୋଟ ବାକ୍ସ ଅଣାଯାଇ ପାଟଣା ବ୍ଲକରେ ଏହାର ଗଣତି କରାଯାଇଛି। ଅନାସ୍ଥା ସପକ୍ଷରେ ୩୩ ଭୋଟ ପଡିଥିବା ବେଳେ ବିରୋଧରେ ଗୋଟିଏ ଭୋଟ ପଡ଼ିଛି। ବିଧାୟକଙ୍କୁ ମିଶାଇ ମୋଟ ୩୪ ଜଣ ମତଦାନ କରିଥିଲେ। ମାଜିଷ୍ଟ୍ରେଟଙ୍କ ଦାୟିତ୍ୱରେ ଥିବା ପାଟଣା ତହସିଲଦାର ଲୀଳାବତୀ ନାୟକଙ୍କ ଉପସ୍ଥିତିରେ ନିର୍ବାଚନ ଅଧିକାରୀ ସାହାରପଡା ବିଡିଓ ରଣଜିତ ମହାନ୍ତ ଓ ସହାୟକ ଘଟଗାଁ ଏବିଡ଼ିଓ ଚିତ୍ତରଞ୍ଜନ ନାୟକଙ୍କ ସହ ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟଙ୍କ ଉପସ୍ଥିରେ ଭୋଟ ଗଣତି କରାଯାଇଥିଲା। ଅନାସ୍ଥା ସପକ୍ଷରେ ୩୩ ଟି ଭୋଟ ପଡ଼ିଥିବାରୁ ଅନାସ୍ଥା ଆଗତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ପଲାଣଘାଟି ସମିତି ସଭ୍ୟ ବିଶ୍ଵନାଥ ନାୟକ ଓ ତାଙ୍କ ପତ୍ନୀ ସରାସକୋଲା ସମିତି ସଭ୍ୟ ତଥା ବ୍ଲକ ଉପାଧକ୍ଷା ବୀଣାପାଣି ନାୟକଙ୍କ ସମର୍ଥକ ମାନେ ଉତ୍ସାହିତ ହୋଇଛନ୍ତି । ଫଳାଫଳ ଅନୁଯାୟୀ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ ଗାଦିଚ୍ୟୁତ ହୋଇଥିବା ବେଳେ ଉପାଧକ୍ଷା ବୀଣାପାଣି ନାୟକ ଭାରପ୍ରାପ୍ତ ଅଧ୍ୟକ୍ଷା ରହିବେ ଅଥବା ସାନି ନିର୍ବାଚନ କରାଯାଇ ବ୍ଲକ ଅଧ୍ୟକ୍ଷା ବଛା ଯିବ ତାହା ଉପଜିଲ୍ଲାପାଳ ସ୍ଥିର କରିବେ ବୋଲି ସୂଚନା ମିଳିଛି।