ପୋଲସରା,୦୧/୦୪ (ପିପିଟି): ଆଜି ପୋଲସରା ପାଇଁ ଏକ ସ୍ମରଣୀୟ ଦିବସ ପବିତ୍ର ଉତ୍କଳ ଦିବସ ଅବସରରେ ପୋଲସରା ସ୍ଥିତ ଲିଙ୍ଗରାଜ ବାଳିକା ହାଇସ୍କୁଲ ପରିସରରେ ପାଞ୍ଚ ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ସେମାନେ ହେଉଛନ୍ତି ନ୍ୟାୟମୂର୍ତ୍ତି ଲିଙ୍ଗରାଜ ପାଣିଗ୍ରାହୀ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଖଲ୍ଲିକୋଟ ଆଠଗଡ଼ ରାଜା ହରିହର ମର୍ଦ୍ଦରାଜ।ଏଥିରେ ଉତ୍କଳ ସ୍ୱାଭିମାନ ମଞ୍ଚ, ପୁରୀର ସଭାପତି ରାଧାକାନ୍ତ ଦାସଙ୍କ ସମେତ ନିରଞ୍ଜନ ତ୍ରିପାଠୀ, ଲକ୍ଷ୍ମୀଧର ସାମନ୍ତରା, ପ୍ରଭାକର ସାମନ୍ତରା, ଆର୍ତ୍ତତ୍ରାଣ ମଲ୍ଲିକ, ସ୍ଵରରାଜ ମିଶ୍ର, ସୂର୍ଯ୍ୟକାନ୍ତ ଦାସ, ଅଧ୍ୟାପକ ମନୋଜ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପାଞ୍ଚ ବରପୁତ୍ରଙ୍କୁ ଭକ୍ତିପୂତ ଭାବେ ପୁଷ୍ପ ମାଲ୍ୟାର୍ପଣ କରାଯିବା ପରେ ଉତ୍ତରୀୟ ପ୍ରଦାନ ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ।ପରେ ଆୟୋଜିତ ସଭାରେ ମଞ୍ଚ ସଭାପତି ଶ୍ରୀଯୁକ୍ତ ଦାସ ବରପୁତ୍ରଙ୍କ କର୍ମମୟ ଜୀବନ ମଧ୍ୟରେ ଓଡ଼ିଶା ରାଜ୍ୟ ଉନ୍ନତି ଏବଂ ବିକାଶ, ଭାଷା ଓ ସାହିତ୍ୟ ପ୍ରତି କରିଯାଇଥିବା ଅମୂଲ୍ୟ ନିଃସ୍ୱାର୍ଥପର ସେବା ଓ ସହଯୋଗ ସ୍ବରୂପ ଅବଦାନ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ଦିବସ ଏହି ବରପୁତ୍ର ମାନଙ୍କୁ ପୁଷ୍ପ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଦେବାକୁ ଉପସ୍ଥିତ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ପ୍ରେରଣାଦାୟୀ କାର୍ଯ୍ୟକ୍ରମଟି ଅନୁଷ୍ଠାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅମିୟ ପ୍ରସାଦ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହଯୋଗରେ ସମ୍ପନ୍ନ ହୋଇଥିଲା।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା