ପଥପ୍ରାନ୍ତ ନାଟକରେ ଜୀବନ୍ତ ହେଉଛି ନୂତନ ଆଇନ: ନ୍ୟାୟ ସଂହିତା ପ୍ରଦର୍ଶନୀରେ ସଚେତନତା ।

0 74

ଭୁବନେଶ୍ବର,୦୮/୦୩(ପିପିଟି):ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା “ନ୍ୟାୟ ସଂହିତା ପ୍ରଦର୍ଶନୀ”ରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ସାଧାରଣ ଲୋକଙ୍କୁ ଭାରତର ନୂତନ ଅପରାଧିକ ଆଇନ ସମ୍ପର୍କରେ ସଚେତନ କରାଯାଉଛି।

ପଥପ୍ରାନ୍ତ ନାଟକ ମାଧ୍ୟମରେ ନୂତନ ଅପରାଧିକ ଆଇନର ନୂତନ ବ୍ୟବସ୍ଥା, ପୀଡ଼ିତଙ୍କ ଅଧିକାର, ବୈଜ୍ଞାନିକ ତଦନ୍ତ ପ୍ରକ୍ରିୟା ଓ ଶୀଘ୍ର ନ୍ୟାୟ ପ୍ରଦାନ ବ୍ୟବସ୍ଥା ସମ୍ପର୍କରେ ଜୀବନ୍ତ ଓ ରୋଚକ ଭାବରେ ଉପସ୍ଥାପନ କରାଯାଉଛି।

କଳାକାର ମାନଙ୍କ ଦ୍ଵାରା “ଅପରାଧସ୍ଥଳରୁ ହାଇକୋର୍ଟ ପର୍ଯ୍ୟନ୍ତ” ସମଗ୍ର ନ୍ୟାୟ ବ୍ୟବସ୍ଥାକୁ ଏକ ସମନ୍ୱିତ ଓ ଶିକ୍ଷା ମୂଳକ ଶୈଳୀରେ ପ୍ରଦର୍ଶିତ କରାଯାଉଛି । ଗୃହ ମନ୍ତ୍ରଣାଳୟ ଦ୍ଵାରା ଅନୁମୋଦିତ ୧୦ଟି ଷ୍ଟଲ୍‌ରେ ଅପରାଧ ସ୍ଥଳ, ୧୧୨ ଜରୁରୀ କାଳୀନ ସହାୟତା, ଥାନାର କାର୍ଯ୍ୟ ପ୍ରଣାଳୀ, ହସ୍ପିଟାଲ୍ ସମନ୍ୱୟ,ଫରେନସିକ ପ୍ରୟୋଗଶାଳା, ପବ୍ଲିକ ପ୍ରସିକ୍ୟୁସନ୍, ଜିଲ୍ଲା ଅଦାଲତ,କାରାଗାର ଓ ହାଇକୋର୍ଟର କାର୍ଯ୍ୟ ଶୈଳୀ ସମ୍ପର୍କରେ ନାଟକ ମାଧ୍ୟମରେ ଜୀବନ୍ତ କରାଯାଉଛି ।

ଅପରାଧ ଘଟଣାରୁ ଆରମ୍ଭ କରି ପୋଲିସ ତଦନ୍ତ ଓ ନ୍ୟାୟ ପ୍ରକ୍ରିୟା ପର୍ଯ୍ୟନ୍ତ ସମଗ୍ର ଘଟଣାକୁ ନାଟକ ମାଧ୍ୟମରେ ଦେଖାଯାଉଥିବାରୁ ଦର୍ଶକମାନେ ସହଜରେ ନୂତନ ଆଇନର ବିଭିନ୍ନ ପ୍ରାସଙ୍ଗିକତା ବୁଝିପାରୁଛନ୍ତି। ଏହି କାର୍ଯ୍ୟକ୍ରମ ପ୍ରଦର୍ଶନୀକୁ ଆସୁଥିବା ଦର୍ଶକମାନଙ୍କ ମଧ୍ୟରେ ବେଶ ଆକର୍ଷଣ ସୃଷ୍ଟି କରିଛି।

ଓଡ଼ିଶା ପୋଲିସ ପକ୍ଷରୁ ଏଭଳି ସଚେତନତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ଅପରାଧିକ ଆଇନ ଓ ନ୍ୟାୟ ବ୍ୟବସ୍ଥା ଜନ ସାଧାରଣ ଓ ଛାତ୍ରଛାତ୍ରୀଙ୍କ ମହଲରେ ଆଦୃତ ହେଉଥିବା ପରିଲକ୍ଷିତ ହେଉଛି ।

Leave A Reply

Your email address will not be published.