ବୋଲଗଡ଼,୧୫/୦୯(ପିପିଟି): ଖୁଦୁରଙ୍କୁଣୀ ଓଷା ଓଡ଼ିଶାର ଏକ ପାରମ୍ପାରିକ ଓଷା। ବିଭିନ୍ନ ସ୍ଥାନରେ ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବରେ ମଧ୍ୟ ପରିଚିତ,ଭାଇ ଓ ଭଉଣିର ସମ୍ପର୍କକୁ ମନେ ପକାଇବା ପାଇଁ ଏହି ଓଷା ପାଳନ କରାଯାଉଅଛି।ଏହି ଓଷାକୁ କୁଆଁରୀ ଝିଅ ମାନେ ପାଳନ କରିଥାନ୍ତି। ଝିଅ ମାନେ ଦୁରରେ ଥିବା ଆତ୍ମୀୟ ଓ ମୁଖ୍ୟତଃ ଭାଇ ମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳିଥାନ୍ତି।
ପୁରାଣ ଅନୁସାରେ ଖଣ୍ଡା ଖର୍ପର ଧାରିଣୀ, ଆରତ ଭଞ୍ଜନୀ ସର୍ବ ଶତ୍ରୁ ବିନାଶିନୀ, କଳୁଷ ହାରିଣୀ ମା ମଙ୍ଗଳା ଠାକୁରାଣୀଙ୍କର ଖୁଦ ଅତି ପ୍ରିୟ ଖାଦ୍ୟ, ବାସ୍ତବିକ ସେ ଖୁଦରଙ୍କୁଣୀ । ଏହି ଖୁଦରଙ୍କୁଣୀ ଶବ୍ଦ ଅପଭ୍ରଂଶ ହୋଇ ଖୁଦୁରୁକୁଣୀ ଶବ୍ଦଟି ଜାତ ହୋଇଛି । ଆଉ କେତେକଙ୍କ ମତରେ ମା’ ମଙ୍ଗଳା ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ସହିତ ଅଙ୍ଗାଗି ଭାବରେ ଜଡ଼ିତ। ଯାହା କି ମଙ୍ଗଳା ଙ୍କୁ ସ୍ମରଣାକରି ବାଣିଜ୍ୟ ଯାତ୍ରା କରିବା ସହିତ ଫେରିବା ପର୍ଯ୍ୟନ୍ତ ମଙ୍ଗଳା ଙ୍କର ଅପାର କରୁଣା ସହିତ ଡଙ୍ଗା ର ମଙ୍ଗକୁ ସଙ୍କେତ ସ୍ୱରୂପ ପୁଜା କରାଯାଇଥାଏ। ଏପରିକି ଖୁଦୁରୁକୁଣୀ ଓଷାକୁ ନେଇ ଅନେକ ଐତିହାସିକ ଅନେକ ମତ ଦେଇଥାନ୍ତି।
ଖୁଦୁରୁକୁଣୀ ପୂଜା ସହ ପ୍ରାଚୀନ ଉତ୍କଳର ଏକ ଉପାଖ୍ୟାନ ଜଡିତ।ସାଧବ ତନୟ ବନ୍ତ ଅଜସ୍ର ଧନ ସମ୍ପତ୍ତିର ଅଧିକାରୀ ।ଶକୁନ୍ତଳା ତାଙ୍କ ସହଧର୍ମିଣୀ । ତାଙ୍କର ସାତ ଗୋଟି ପୁତ୍ର ଏବଂ ତଅପୋଇ ନାମକ ଏକମାତ୍ର କନ୍ୟା ଥିଲେ । ଦିନେ ତଅପୋଇ ବାଉଁଶ ନିର୍ମିତ କୁଲେଇ ଧରି ସାଙ୍ଗମାନଙ୍କ ସହ ଖେଳୁଥାଏ ।
ଇନ୍ଦ୍ରଙ୍କ ପତ୍ନୀ ଶଚୀ ବିଧବା ବ୍ରାହ୍ମଣୀ ବେଶରେ ସେହି ସ୍ଥାନରେ
ପହଂଚି ତଅପୋଇକୁ ସେ କହିଲେ,”ଏତେ ବଡ଼ ଧନୀକ ପରିବାରରେ ଜନ୍ମ ନେଇଛୁ, ସାତ ଭାଇରେ ଗୋଟିଏ ଭଉଣୀ, ବାଉଁଶ
କୁଲେଇରେ ଖେଳୁଛୁ, ତୋତେ ଲଜ୍ଜ୍ୟା ଲାଗୁନାହିଁ? ତୋଭଳି ମୁଁ ହୋଇଥଲେ ସୁବର୍ଣ୍ଣ କୁଲେଇରେ ଖେଳନ୍ତି।ବାପ ଭାଇଙ୍କ ସହ କଳହ କରି ମୋ ପାଇଁ ସୁବର୍ଣ୍ଣ ଚାନ୍ଦ ଗଢାଇବାକୁ କୁହନ୍ତି । “ଏହା ଶୁଣି ତଅପୋଇ ଖେଳ ସ୍ଥାନରୁ ଘରକୁ
ଫେରି ରତ୍ନ ଖଟରେ ମନ ବିରସରେ ପଡ଼ିରହିଲା ।
ଅଲିଅଳି କନ୍ୟାକୁ ସାଙ୍ଗରେ ବସାଇ
ଖୁଆଇବା ପାଇଁ ତନୟବନ୍ତ ଖୋଜି ପାଇଲେ ନାହିଁ ।ସାନ ବୋହୂ ନିଳେନ୍ଦ୍ରୀ କହିଲେ,”କବାଟ କିଳି ଗମ୍ଭୀରି ମଧ୍ୟରେ ମନଦୁଃଖରେ ତଅପୋଇ ମୁହଁ ମାଡ଼ି ଶୋଇଛନ୍ତି।”ତନୟବନ୍ତ ଝିଅ ପାଖକୁ ଯାଇ କହିଲେ “ତୋତେ ତ ସବୁ ଭାଇ ଭାଉଜ ବହୁ ଆଦର କରୁଛନ୍ତି, ତୁ ରାଗିବା କାରଣ କ ‘ଣ? ମନ ଖୋଲି କୁହ କ’ଣ ହୋଇଛି । ତଅପୋଇ ମନର କଥା କହିବାରେ ସୁବର୍ଣ୍ଣ ଚାନ୍ଦ
ଗଢ଼ିବାକୁ ପିତା ବଣିଆ ସହ କଥା ହେଲେ । ଅଧା ଚାନ୍ଦ ଗଢ଼ା ହୋଇଛି,ପିତା ଚାଲିଗଲେ, ପୂର୍ଣ୍ଣ ଚାନ୍ଦ ଗଢ଼ା ହେବାରେ ମାଆ ଚାଲିଗଲେ । ଭାଇମାନେ ବାପାମାଆ ଛେଉଣ୍ଡ ତଅପୋଇକୁ ଭଗ୍ନୀ ରୂପେ ନ ଦେଖି କନ୍ୟା ରୂପେ ଦେଖିଲେ । ଫଳରେ
ବାପାମାଆ ମୃତ୍ୟୁ ଜନିତ ଦୁଃଖକୁ ସେ ପାସୋରିଦେଲା । ନୌବାଣିଜ୍ୟ କରିବାକୁ ଭାଇମାନେ ବୋଇତରେ ଯିବା ପୂର୍ବରୁ ସ୍ତ୍ରୀମାନଙ୍କୁ କହିଲେ,”ତଅପୋଇକୁ ତିଳେ ମାତ୍ର ଅବହେଳା ନ କରି ଏପରି ତା’ର ଯତ୍ନ ନେବ ଯେପରି ଆମେ ଗୃହକୁ ଫେରିବା ଯାଏଁ ସେ ତୁମ୍ଭମାନଙ୍କ ସହ ହସିଖେଳି ଦିନ କାଟିବ, ପିତାମାତାଙ୍କୁ ଝୁରିବ ନାହିଁ ।”ସାତ ଯାଆ ଏଥିରେ ରାଜି ହେଲେ।ଫେରିବା ବେଳେ ନାନା ମୂଲ୍ୟବାନ ଦ୍ରବ୍ୟ ଆଣିବା ପାଇଁ କହିଲେ ।ସାଧବ ପୁତ୍ରମାନେ ବାଣିଜ୍ୟକୁ ଗଲେ। ଭାଉଜମାନେ ନଣନ୍ଦର ସେବାକଲେ, ସାଙ୍ଗରେ ବସାଇ ସ୍ୱାଦିଷ୍ଟ ଭୋଜନ ଖୁଆଇଲେ ଦିନେ ଭାଉଜମାନେ ତା ‘କୁ ଦୋଳିରେ ବସାଇ ଝୁଲାଉଛନ୍ତି, ଶଚୀ ଦେବୀ ପହଂଚିସେମାନଙ୍କୁ କୁମନ୍ତ୍ରଣା ଦେଲେ କହିଲେ,”ତଅପୋଇ ତୁମର ଚିର ଶତ୍ରୁ. ତୁମ୍ଭମାନଙ୍କ ବିରୁଦ୍ଧରେ ନାନା ମିଛ କଥା କହି ଭାଇମାନଙ୍କ ଦ୍ୱାରା ତୁମକୁ ଅସହ୍ୟ ଯନ୍ତ୍ରଣା ଦେବ । ତେଣୁ ତା ‘କୁ ଏପରି କାମ ବତାଇବ ଯେପରି ଭାଇମାନେ ଆସିବା ପୂର୍ବରୁ ଆରପାରିକୁ ଚାଲିଯାଇଥିବ । ସବୁଠାରୁ ଭଲ ଉପାୟ ତା ‘କୁ ଜଙ୍ଗଲକୁ ଛେଳି ଚରାଇବାକୁ ପଠାଇବ, ଖାଇବାକୁ ଅଳ୍ପ ଭାତ ଏବଂ ତରକାରୀ ବଦଳରେ ମୂଷା ମାଟି ଦେବ ।ଏପରି କଲେ ସେ ନିଶ୍ଚୟ ଆପେଆପେ ପ୍ରାଣ ତ୍ୟାଗ କରିବ।ବଡ ଛଅ ଭାଉଜ ତାହାହିଁ କଲେ । କେବଳ ସାନ ଭାଉଜ ତଅପୋଇକୁ ବହୁତ ଭଲ ପାଉଥିଲେ । ନିଜପାଳି ଦିନ ତା ‘କୁ ବହୁତ ଭାତ ଏବଂ ବହୁ ପ୍ରକାର ସୁଆଦିଆ ତରକାରୀ ଦିଅନ୍ତି। ସେହି ଦିନ ସେ ଶାନ୍ତିରେ ଖାଏ, ଅନ୍ୟ ଦିନେ ଉପବାସ ରହେ।ଦିନେ ଜଙ୍ଗଲରେ ଛେଳି ଚରାଉଥିବା ସମୟରେ ଘଡ଼ଘଡି ସହ ପ୍ରବଳ ବର୍ଷା ହେଲା, ଚାରିଆଡଅନ୍ଧାର ଦିଶିଲା, ବଡ ଭାଉଜର ଅତିପ୍ରିୟ ଛେଳି ଘରମଣୀକୁ ନ ପାଇ ଘରକୁ ଫେରିଲା ।ଅସହ୍ୟ ଯନ୍ତ୍ରଣା ଦେଇ ଘରମଣୀକୁ ଫେରାଇ ନ ଆଣିଲେ ତା ‘ର ନାସା ଛେଦନ କରିଘରୁ ବାହାର କରିଦେବାକୁ ବଡ଼ ଭାଉଜ ଧମକ ଦେଲା ।ଭୟରେ ଘରମଣୀକୁ ଖୋଜିବପାଇଁ କାନ୍ଦିକାନ୍ଦି ଚାଲିଗଲାଜଙ୍ଗଲକୁ ଭିତରକୁ । ଘରମଣୀକୁ ନ ପାଇଲେ ଜଙ୍ଗଲରୁ ନ ଫେରି ସେଠାରେ ଜୀବନ ହାରିଦେବାକୁ ନିଷ୍ପତ୍ତି ନେଲା ।ଚାରିଆଡେ ଖୋଜି ଖୋଜି ରାତି ଦୁଇଘଡି ହୋଇଗଲା ,ହେଲେ ଘରମଣୀର ସନ୍ଧାନ ମିଳିଲାନାହିଁ ।ଦୁଃଖରେ ମ୍ରିୟମାଣ ହୋଇ ପଡିଛି ସାଧବ ଘର ଝିଅ, ପିତା ମାତା ଭାଇ ଓ ସାନ ଭାଉଜଙ୍କ ଅନାବିଳ ସ୍ନେହ ଛଅ ଭାଉଜଙ୍କ ନିର୍ଯ୍ୟାତନା କଥା ମନେ ପଡ଼ିଯାଉଛି, ଚକ୍ଷୁରୁ ଧାରା ଶ୍ରାବଣର ଅସରା ଅସରା ବର୍ଷାର ସୁଅ ଛୁଟି ଚାଲିଛି ।ଘରକୁ ଫେରି ଅଶାଳୀନ ଭାଷାର ଗାଳି ଏବଂ ତେନ୍ତୁଳି ଛାଟର ପ୍ରହାର ଖାଇବା ଅପେକ୍ଷା ସେହି ଜଙ୍ଗଲରେ ଜୀବନ ହାରିଦେବାଟା ସାର ବୋଲି ମଣିଛି ମାରେ ହରି ରଖେ କିଏ,ରଖେ ହରି ମାରେ କିଏ?ଏତିକି ବେଳେ ଭାସି ଆସିଛି ଅନତି ଦୂରରୁ ହୁଳହୁଳି ଧ୍ୱନି।ଦୌଡ଼ି ଯାଇ ତଅପୋଇ ଦେଖିଲାଝିଅମାନେ ରୁଣ୍ଡ ହୋଇଛନ୍ତି, ଠାକୁରାଣୀଙ୍କ ପୂଜା ଚାଲିଛି. ପୂଜାରମହାତ୍ମ୍ୟ ସମ୍ପର୍କରେ ପଚାରି ବୁଝିଲା।କ ‘ଣ କରିବ, ପାଖରେ ତ କାଣି କଉଡ଼ିଟିଏ ନାହିଁ. ଅଗତ୍ୟା ଅନ୍ୟଠାରୁ ଖୁଦ ଆଦି ମାଗି ଆଣି ପୂଜା ପାଇଁ ରଖିଲା ମାଆ ମଙ୍ଗଳାଙ୍କ କୋଠିରେ। ଘରମଣୀକୁ ପାଇବା ଏବଂ ଭାଇମାନଙ୍କ ଦର୍ଶନ ଶୀଘ୍ର ପାଇବାକୁ ମନାସିଲା । ସତରେ ଠାକୁରାଣୀଙ୍କର କି ଅପାର କରୁଣା ତତ୍କ୍ଷଣାତ ମନୋବାଞ୍ଛା ତଅପୋଇର ପୂରଣ ହେଲା । ଭାଇମାନଙ୍କ ଆଦେଶରେ ସେ ଛଅ ଭାଉଜର ନାକ କାଟି ପ୍ରତିଶୋଧ ନେଲା । ସାନ ଭାଉଜକୁ ପୁରସ୍କାର ସ୍ୱରୂପ ମୂଲ୍ୟବାନ ଅଳଙ୍କାର ଦିଆଗଲା । ତଅପୋଇ ମାନବ ଶରୀର ତେଜି ସ୍ଵର୍ଗରେ ଦେବତାମାନଙ୍କ ସହ ବାସ କଲା । ଏହି ଉପାଖ୍ୟାନ ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପ୍ରମାଣ ପ୍ରତିପାଦନ କରିଛି ଏବଂ ନଣନ୍ଦ ସହ ଭାଉଜ ସୁସମ୍ପର୍କ ରଖିବାକୁ ଭାଉଜ ମାନଙ୍କୁ ସଚେତନ କରାଇଛି। ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)