ଭାରତ ବର୍ଷ ବ୍ରିଟିଶ ଶାସନରୁ ମୁକ୍ତିଲାଭ ପାଇଲା ପରେ ଆମେ ଗଣତାନ୍ତ୍ରିକ ପଦ୍ଧତିରେ ଶାସନ ଚଳାଇ ଆସୁଛୁ। ଭାରତରେ ଗଣତନ୍ତ୍ର ପ୍ରକ୍ରିୟାରେ ୧୯୫୧ ମସିହାରେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଠାରୁ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରେ ଆମେ ଶାସିତ। ଆଜକୁ ଦୀର୍ଘ ୬୩ ବର୍ଷ ମତଦାନ ଦ୍ବାରା ନିର୍ବାଚିତ ବିଧାୟକ ଏବଂ ସାଂସଦମାନେ ଆମ ପାଇଁ କ’ଣ କରିଛନ୍ତି ,ସେ ସଂପର୍କରେ ଆଜି ଚିନ୍ତା କରିବାର ବେଳ ଆସିଛି।ଭୋଟ ଦେଇ ନେତାଙ୍କ ଠାରୁ ଶହ ଶହ ପ୍ରତିଶ୍ରୁତି ଶ୍ରବଣ କରିଲା ପରେ ନେତାଙ୍କ ଠାରୁ ଆସ୍ଥା ଓ ବିଶ୍ବାସ ଆମ ମନରୁ କ୍ରମଶଃ ତୁଟିଯାଇଛି। ବିକାଶ କହିଲେ କେବଳ ରାସ୍ତା ଘାଟ ନିର୍ମାଣ କିଛି ସରକାରୀ କୋଠା ବାଡି ନିର୍ମାଣକୁ ବୁଝାଏ ନାହିଁ। ତତ୍ ସହିତ ଶିଳ୍ପ ଏବଂ କୃଷିର ବିକାଶ ହେବା ଆବଶ୍ୟକ। ଯେଉଁଠି ବ୍ୟକ୍ତି ବିଶେଷର ନିଯୁକ୍ତି ନାହିଁ।ଲକ୍ଷ ଲକ୍ଷ ବେକରୀ ସମସ୍ୟା, ସେଠାର ବିକାଶ ବୋଲି ଉଦଘୋଷଣା କରିବା ନିରର୍ଥକ। ବର୍ତ୍ତମାନ ଦେଶରେ ଦୁଇ ଗୋଟି ଗୋଷ୍ଠୀର ଉଦ୍ରେକ ହୋଇଛି।ଧନକ ଗୋଷ୍ଠୀ ଓ ଦରିଦ୍ର ଗୋଷ୍ଠୀ। ଏହି ଧନିକ ଗୋଷ୍ଠୀ ହାତରେ ଭାରତର ଭାଗ୍ୟ ନିର୍ଦ୍ଧାରଣ କରୁଛି। ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ନିୟନ୍ତ୍ରଣରେ ।କାରଣ ନିର୍ବାଚନ ପାଇଁ ପୁଞ୍ଜି ର ଆବଶ୍ୟକତା ରହିଛି। ସେହି ପୁଞ୍ଜିକୁ ବଡ ବଡ ପୁଞ୍ଜିପତିମାନେ ବିନିଯୋଗ କରନ୍ତି। ଭୋଟ ପାଇଁ ବଡଧରଣର ବ୍ୟୟ ବରାଦ ହୁଏ। ଯେଉଁ ଦଳ କ୍ଷମତାକୁ ଆସେ ପୁଞ୍ଜିପତି ଙ୍କ ହାତବାରିସି ସାଜି କାର୍ଯ୍ୟ କରିଥାଏ । ଫଳରେ ଭାରତରେ ନେତା ନାମକୁ ମାତ୍ର ଶାସନ ଗାଦିର ମୁଖ୍ୟ ହୋଇଥିଲେ ମଧ୍ୟ ବାସ୍ତବ ଶାସନ ଡୋରି ପୁଞ୍ଜିପତି ଙ୍କ ହାତରେ। ପୁଞ୍ଜିପତି ମାନେ ଅଦୃଶ୍ଯ ଶାସକ।ଅର୍ଥ ବଳରେ ଏହି ଗୋଷ୍ଠୀ ବର୍ତ୍ତମାନ ମୁଦ୍ରାସ୍ପିତିକୁ ଉତ୍ଥାନ ପତନ କରି ଥାନ୍ତି। ଆଜି ଯଦି ସମସ୍ତ ସାମଗ୍ରୀର ଦରବୃଦ୍ଧିର ମୂଳ କାରଣ ହେଲା ପୁଞ୍ଜିପତିମନଙ୍କ ଷଡ଼ଯନ୍ତ୍ର। ଦରଦାମ ନିୟନ୍ତ୍ରଣରେ ନେତାମାନେ ବିଫଳ।କାରଣ ହେଲା ନିର୍ବାଚନ ସମୟରେ ଗ୍ରହଣ କରିଥିବା ମୋଟା ଅଙ୍କର ଚାନ୍ଦା। ତେଣୁ ଶାସନ କ୍ଷମତାରେ ବସିଥିବା ଦଳ କିଂ କର୍ତ୍ତବ୍ୟ ବିମୁଢ ନ୍ୟାୟରେ ନିରବ ଦ୍ରଷ୍ଟା। ବିଗତ ସରକାର ଅମଳରେ ଯେଉଁ ସବୁ କଳକାରଖାନା ଏବଂ ଅନ୍ୟାନ୍ୟ ସରକାରୀ ଉଦ୍ୟୋଗ ନିର୍ମାଣ କରାଯାଇଥିଲା, ସେସବୁ ପୁଞ୍ଜିପତିମାନଙ୍କୁ ଚୁକ୍ତି ଭିତ୍ତିକ ବିକ୍ରୟ କରାଯାଉଛି । ସରକାରୀ ସଂପତ୍ତି ଗୁଡିକ ଘରୋଇ କରଣ ହେଲା ପରେ ଶିଳ୍ପପତି ବା ପୁଞ୍ଜିପତିମାନେ ସେଥିରୁ ପ୍ରଚୁର ଲାଭ ଉଠାଇଥାନ୍ତି । ଫଳରେ ସେହି ଉଦ୍ୟୋଗରେ ନିଯୁକ୍ତି ପ୍ରାପ୍ତ ବ୍ୟକ୍ତିର ନିଯୁକ୍ତି ଅଧିକାର କ୍ରମେ ଘରୋଇକରଣ ହେତୁ ନିଜର ଅଧିକାର ଦୁର୍ବଳ ହୋଇପଡ଼େ। ଧୀରେ ଧୀରେ ସରକାର ନିଜର ଦାୟିତ୍ୱ ବୋଧତା ରୁ ଦୂରେଇ ରହିବା ପାଇଁ ସମସ୍ତ ସରକାରୀ ଉଦ୍ୟୋଗ ଗୁଡ଼ିକୁ ଘରୋଇକରଣ ଏକ ସହଜ ସାଧ୍ୟ ମାଧ୍ୟମ ବୋଲି ବିବେଚନା କରି ନେଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଏଭଳି ସହଜ ପନ୍ଥାକୁ ଅବଲମ୍ବନ କରି ଜନତାଙ୍କୁ ଆର୍ଥିକ ଶୋଷଣ ସହ ନିଯୁକ୍ତି କ୍ଷେତ୍ରକୁ ବିପର୍ଯ୍ୟୟ ଆଡ଼କୁ ଠେଲି ଦେଇଛି। ଆଜି ରାଜ୍ଯ ସରକାର ମଧ୍ୟ ବିଭିନ୍ନ ସରକାରୀ ବିଭାଗରେ ଆଉଟ୍ ସୋର୍ସିଙ୍ଗି ପନ୍ଥାକୁ ଅବଲମ୍ବନ କରି ଉଚ୍ଚ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ
ନିୟୋଜିତ କରିଛି,ଯାହାକି ସ୍ଵଳ୍ପ ଦରମା ଏବଂ ଅସ୍ଥାୟୀ ନିଯୁକ୍ତିର ନୂତନ ପରମ୍ପରାକୁ ଜନ୍ମ ଦେଇଛି। ନିଯୁକ୍ତିର ଘୋର ଅଭାବ ଯୋଗୁଁ ଉଚ୍ଚ ଶିକ୍ଷିତ ବେକରୀ ଯୁବକ ଯୁବତୀମାନେ
ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଦିନରାତି କାଟୁଛନ୍ତି, ସେମାନଙ୍କ ନା ଅଛି ବର୍ତ୍ତମାନର ଉତ୍ତମ ସ୍ଥିତି ନା ଅଛି ଭବିଷ୍ୟତର ଉନ୍ନତି । ଯେଉଁମାନେ ଅଶିକ୍ଷିତ ଏବଂ ଅର୍ଦ୍ଧଶିକ୍ଷିତ
ସେମାନେ ଦାଦନ ଶ୍ରମିକ ଭାବେ ଯତ୍ର ତତ୍ର ସର୍ବତ୍ର ଧାବମାନ ପରିସ୍ଥିତିରେ ଗତିଶୀଳ। ଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଏବଂ ଅଶିକ୍ଷିତ ବେକରୀ ସମସ୍ୟା ବର୍ତ୍ତମାନ ଦେଶ ତଥା ରାଜ୍ୟରେ ଉତ୍କଟ ସମସ୍ୟା ହୋଇ ମୁଣ୍ଡ ଟେକିଛି। ଯେ କୌଣସି ରାଜନୈତିକ ଦଳ
ନିର୍ବାଚନ ସମୟରେ ବଡ଼ ଭାଷଣ, ମିଥ୍ୟା ପ୍ରତିଶ୍ରୁତି, ଅନ୍ୟ ଦଳର ଅପନିନ୍ଦା କରି ଜନତାଙ୍କୁ ଦିବାସ୍ବପ୍ନ ଦେଖାଇଥାନ୍ତି।
ଶାସନ ଗାଦିକୁ ଗଲା ପରେ ସବୁ ଭୁଲି ଯାନ୍ତି।
ତେବେ ଯେକୌଣସି ରାଜନୈତିକ ଦଳର ନେତା ହେବା କୁ କୌଣସି ଯୋଗ୍ୟତାର ମାପ ଦଣ୍ଡ ଆବଶ୍ୟକ ନାହିଁ।ଏହା ସବୁ ଠାରୁ ନେତା ହେବା ଲାଗି ସହଜ ସରଳ ଉପାୟ। କିନ୍ତୁ ସରକାରୀ କିମ୍ବା ବେସରକାରୀ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ରହିଛି। ପୁଞ୍ଜିପତି ହେବାକୁ ଅର୍ଥ ଆବଶ୍ୟକତା ରହିଛି। ତେଣୁ ଆଜିକାଲି ନେତା ପାଇଁ ସମସ୍ତେ ଆପ୍ରାଣ ଉଦ୍ୟମ କରନ୍ତି। ନେତା ହେଲେ ରାତାରାତି ଅର୍ଥ ପୁଳା ପୁଳା ଆସେ ଏବଂ ଅଯାଚିତ ସମ୍ମାନ ମଧ୍ୟ ସବୁଠି ଅପେକ୍ଷା କରି ରହିଥାଏ ।ତଳ ଦିନେ ଯେଉଁମାନେ ବିଦ୍ୟାଳୟରେ ଶେଷ ଧାଡ଼ିରେ ବସି ମାଷ୍ଟରଙ୍କ ଠାରୁ ମାଡ ଗାଳି ଶୁଣି ପାଠ ପଢୁ ନଥିଲେ କିମ୍ବା ପରୀକ୍ଷାରେ ବାରମ୍ବାର ଫେଲ ହୋଇ ପାଠ ପଢ଼ାରେ ଡୋରି ବାନ୍ଧି ଥିଲେ, ସେମାନେ ଆଜି କୁଆଡେ ଧୋବ ଧାଉଳିଆ ଲୋକ ପ୍ରତିିନିଧି। ଯେଉଁମାନେ ସମାଜ ଅସାଜିକ ଗୁଣ୍ଡା, ହତ୍ୟାକାରୀ,ବଳତ୍କାରୀ ସମାନେ ଆଜି ବିଧାୟକ, ମନ୍ତ୍ରୀ। ଯେଉଁମାନେ ଶ୍ରୀ ଅକ୍ଷର ବିବର୍ଜିତ, ସେମାନେ ଆଜି ବିଧାନସଭା ଓ ସଂସଦରେ ବସି ନୀତି ନିର୍ଧାରଣ କରନ୍ତି। ଯେଉଁମାନେ ବିଚକ୍ଷଣ ଅଧ୍ୟୟନ କରି ଆଇଏଏସ/ଆଇପିଏସ୍/ଆଇଏଫଏସ
ଚାକିରୀ ଖଣ୍ଡେ ପାଇଲେ, ସେମାନେ ହେଲେ ନେତାଙ୍କ ଆଜ୍ଞାଧୀନ ବା ଚାକର।ସ୍ବଳ୍ପ ଜ୍ଞାନ ସଂପନ୍ନ ନେତା ମନ୍ତ୍ରୀଙ୍କ ନିକଟରେ ସର୍ବଭାରତୀୟ ପ୍ରଶାସନିକ ସେବକମାନଙ୍କ ଅବସ୍ଥା ଅତ୍ୟନ୍ତ ଦୁର୍ବିସହ।
ଆଜି ଉନ୍ନୟନ ନାଁ ରେ ବାର୍ଷିକ ଯେଉଁ ଆର୍ଥିକ ଅଟକଳ ହୁଏ,ସେସବୁ ନେତା ଏବଂ ମନ୍ତ୍ରୀଙ୍କ ଇଙ୍ଗିତରେ ପରିଚାଳିତ ହୁଏ। ଅମଲାତନ୍ତ୍ରମାନେ ଗାଁ ରୁ ସହର ପର୍ଯ୍ୟନ୍ତ ବିକାଶକୁ ତ୍ବରାନ୍ବିତ କରିବା ଲାଗି ସଂକଳ୍ପବଦ୍ଧ ହୋଇଥାନ୍ତି। ମାତ୍ର ନେତାଙ୍କ ଆଦେଶ କାର୍ଯ୍ୟଗୁଡ଼ିକୁ ତ୍ବରାନ୍ବିତ ହେଉଥିବାରୁ ବହୁ
ଅର୍ଥ ବାଟମାରଣା ହୁଏ। ସେଥି ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀ କହିଥିଲେ: କେନ୍ଦ୍ର ସରକାର ଯଦି ବିକାଶ ଲାଗି ଟଙ୍କାଟିଏ ପଠାଯାଏ, ତେବେ ଗାଁ ରେ ୧୫ ପଇସା ପହଞ୍ଚି ଥାଏ। ଏଣୁ ଦୁର୍ନୀତି ଭାରତରେ କି ପ୍ରକାରର କାୟା ବିସ୍ତାର କରିଛି ଅନୁମେୟ। ନେତା ଏବଂ ଅମଲାତନ୍ତ୍ରର ବକ୍ତି ବିଶେଷ ଭ୍ରଷ୍ଟ ଯୋଗୁଁ ସବୁଠି ବିକାଶର ବିକଳ ଚିତ୍ର କାୟା ବିସ୍ତାର କରିଛି।
ସମ୍ବାଦ ପତ୍ର ଏବଂ ବୈଦ୍ୟୁତିକ ଗଣମାଧ୍ୟମଗୁଡିକ ବର୍ତ୍ତମାନ କିଛି ପୁଞ୍ଜିପତି ଏବଂ ରାଜନୈତିକ ନେତାମାନଙ୍କ ଦ୍ବାରା ସ୍ଥାପିତ। ତେଣୁ ସମ୍ବାଦର ସତ୍ୟତା ଏବଂ ନିରପେକ୍ଷତା ଉପରେ ଆଉ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରୁନାହିଁ। ପ୍ରତି ଦିନ ନିଜ ଗୁଣ ଗାନରେ ଶାସକ ଦଳ ନେତାଙ୍କ ବିଜ୍ଞାନରେ ସମ୍ବାଦପତ୍ର କଳେବର ବୃଦ୍ଧି। ନାଁ କୁ ମାତ୍ର ସ୍ବାଧୀନ, ନିରପେକ୍ଷ ଏବଂ ସତ୍ଯ ସମ୍ବାଦର ଡିଣ୍ଡିମ ପିଟିବା ସାର । ସରକାରଙ୍କୁ ଯେଉଁ ଗଣମାଧ୍ୟମ ସମାଲୋଚନା କଲା, ବିଜ୍ଞାପନରୁ ବଞ୍ଚିତ ହେବା ସହ ମିଥ୍ୟା ମକଦ୍ଦମାରେ ଛନ୍ଦି ହେବା ଘଟଣା ଆଜି କାଲିକା ରାଜନୀତି ର ଏକ ଘୃଣ୍ୟ ଭାବନା ମୁଣ୍ଡ ଟେକିଛି,ଏହା ଜନସାଧାରଣଙ୍କୁ ଅଳ୍ପ ବହୁତ ଜଣା। ଏଣୁ ଗଣତନ୍ତ୍ର ବର୍ତ୍ତମାନ ଦିଗହରା । ସେହି ପରି ଯେଉଁ ସଚେତନଶୀଳ ନାଗରିକମାନେ
ସରକାର ବିରୁଦ୍ଧରେ ବିକ୍ଷୋଭ, ଧର୍ମଘଟ କରନ୍ତି, ସେମାନଙ୍କୁ
ମଧ୍ୟ ପୋଲିସ ଦ୍ବାରା ଦମନ କରିବାର ଭିନ୍ନ ଏକ କୌଶଳକୁ ଆଜି କାଲି ପ୍ରୟୋଗ କରାଯାଇଛି। ତେବେ ରାଜତନ୍ତ୍ର, ଏକଛତ୍ରବାଦ ତନ୍ତ୍ର ଠାରୁ ଯେଉଁ ଗଣତନ୍ତ୍ରକୁ ସର୍ବଶ୍ରେଷ୍ଠ ତନ୍ତ୍ର
ବୋଲି ଆମ ପୂର୍ବଜମାନେ ଚିନ୍ତାକରି ସଂବିଧାନ ନିର୍ମାଣ କରିଥିଲେ,ତାହା ବହୁ ପରିମାଣରେ କଳୁଷିତ ଏବଂ ଦିଗ ହରା କହିଲେ ଅତ୍ୟୁକ୍ତି ହେବ ନାହିଁ। ବର୍ତ୍ତମାନ ଯେଉଁ ଦଳ ଥରେ କେନ୍ଦ୍ର ହେଉ କି ରାଜ୍ୟ ହେଉ ଶାସନ ଗାଦିରେ ବସୁଛି,ସେ କ୍ରମାଗତ ଭାବେ ଶାସନ କୁ ଆସିବା ପାଇଁ ସୂକ୍ଷ୍ମ ରଣ କୌଶଳକୁ
ପ୍ରୟୋଗ କରୁଛି। ବର୍ତ୍ତମାନ ଇଲୋଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ଆସିଲା ପରେ ସଠିକ ମତଦାନ ହେଉନଥିବା ଅଭିଯୋଗ ହେଉଛି। ଇଭିଏମ ଟାମ୍ପରିଂ ହେଉଥିବା ବିରୋଧ ଦଳମାନେ ବାରମ୍ବାର ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରିବାର ନାହିଁ। ତେବେ ଯେଉଁ ପାଶ୍ଚାତ୍ୟ ଦେଶମାନଙ୍କରୁ ଇଭିଏମ ଦ୍ବାରା ମତଦାନ ଗ୍ରହଣ କରାଯାଉଥିଲା,ସେ ସବୁ ଦେଶରେ ଏହି ପ୍ରକ୍ରିୟାକୁ ସଂପୂର୍ଣ୍ଣ ବନ୍ଦ ହୋଇଗଲାଣି। କିନ୍ତୁ ଭାରତରେ ଇଭିଏମ ପଦ୍ଧତିରେ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ପୂର୍ବରୁ ବାଲଟ ପେପରେ ନିର୍ବାଚନ ସଠିକ୍ ଥିଲା। ମାତ୍ର ନିର୍ବାଚନ ଫଳାଫଳ ଘୋଷଣାରେ ବିଳମ୍ବ ରହିଥିଲା। ଇଭିଏମ ଦ୍ବାରା ଗଣନା କରିବା ଓ ନିର୍ବାଚନ ଫଳାଫଳ ଘୋଷଣା ସହଜ ସାଧ୍ୟ ହୋଇପାରୁଛି । କିନ୍ତୁ କିଛି ନିର୍ଦ୍ଧିଷ୍ଟ ଦଳ ନିର୍ବାଚନର ବାରମ୍ବାର ବିଜୟ ହେଉଥିବାରୁ ଇଭିଏମ ଟାମ୍ପରି ହେଉଥିବା ସନ୍ଦେହ କରାଯାଉଛି । ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ଯଦି ଗୋଟିଏ ଦଳ ବାରମ୍ବାର ନିର୍ବାଚନ ରେ ବିଜୟ ଲାଭ କରେ ତେବେ ଏକଛତ୍ରବାଦ ଶାସନ କାୟା ବିସ୍ତାର କରିଥାଏ । ସେଠାରେ କବେ ସୁସାଶାନ ଚାଲି ନଥାଏ । ନେତାମାନେ ମନମୁଖୀ ଶାସନ ଚଳାଇବା ସହିତ ଭ୍ରଷ୍ଟାଚାର, ଦୁର୍ନୀତି ଖୋର ହୋଇ ଥାନ୍ତି। ଶାସନ ବ୍ୟବସ୍ଥାକୁ ଶୃଙ୍ଖଳିତ ଏବଂ ମାର୍ଜିତ କରିବା ପାଇଁ ଦଳକୁ ପରିବର୍ତ୍ତନ କରିବା ଆବଶ୍ୟକ। ଏହି ସୁଯୋଗ ପାଞ୍ଚ ବର୍ଷ କୁ ଥରେ ନାଗରିକଙ୍କ ହାତରେ କ୍ଷମତା ରହିଛି।ଭୋଟ ଦେବାର ଯେଉଁ କ୍ଷମତା ନାଗରିକ ହାତରେ ରହିଛି,ସେ ଯଦି ସଠିକ୍ ନେତାଙ୍କୁ ଭୋଟ ଦେଇ ବିଜୟ କରେ ତେବେ ସମାଜରେ ବିକାଶ ସମ୍ଭବ। ମଣିଷ ବଞ୍ଚିବାକୁ ହେଲେ ପ୍ରଥମେ ଖାଦ୍ୟ, ବସ୍ତ୍ର,ବାସ ଗୃହ ଦରକାର।ଏହା ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଆବଶ୍ୟକତା ରହିଛି।ତାପରେ ଶିକ୍ଷା ଏବଂ ସ୍ଵାସ୍ଥ୍ୟ ମଧ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ନିହାତି ଆବଶ୍ୟକ। ଏଥି ପ୍ରତି ସରକାର ଧ୍ଯାନ ଦେଲେ ସମାଜରେ ସୁଖ, ଶାନ୍ତି, ଶୃଙ୍ଖଳା ଏବଂ ସମୃଦ୍ଧି ପ୍ରତ୍ୟେକ ବ୍ୟକ୍ତି ଉପଲବ୍ଧି କରି ପାରିବେ ।ଏଥି ପାଇଁ ପ୍ରତ୍ୟେକ ନାଗରିକଙ୍କୁ ରୋଜଗାର କ୍ଷମ କରିବାକୁ ପଡିବ । ମାଗଣା ବ୍ୟବସ୍ଥା କୁ ସମ୍ପୂର୍ଣ୍ଣ ଉଛେଦ କରିବାକୁ ପଡିବ।ନିଜ ଶିଙ୍ଘରେ ନିଜେ ମାଟି ତାଡି ବଞ୍ଚିବାରେ ବହୁତ ଆନନ୍ଦ ଓ ଆସ୍ଥା ରହିଛି।
ଏଣୁ ମାଗଣା ଦେଇ ଭାରତର ୭୫ ଭାଗ ଲୋକଙ୍କୁ ଦାରିଦ୍ର୍ୟ କାରାଗୃହରେ ବନ୍ଦୀ ନକରି ଆର୍ଥିକ ସ୍ବାଧୀନତାର ରାସ୍ତା ଉନ୍ମୁକ୍ତ
କରିବା ସବୁ ରାଜନୈତିକ ଦଳଗୁଡ଼ିକର ମୁଖ ଲକ୍ଷ୍ଯ ରହିବା ଆବଶ୍ୟକ।
(ଆଲେଖ୍ୟ: କେଶବ ଚନ୍ଦ୍ର ନାୟକ,ଏମ.ଏ, ସମାଜ ବିଜ୍ଞାନ)(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି) ମୋନଂ:୯୪୩୭୭୭୯୪୪୭