***ନେତା***

0 101

ନିଜ ଭବିଷ୍ୟତ ଉଜ୍ଜ୍ବଳ ପାଇଁ
ନେତାଟିଏ ହେବା ଭଲ….
ପାଠ ପଢା ଅବା ଚରିତ୍ର ପଞ୍ଜିକା
ସେଥିରେ କି ଅଛି ମୂଲ…!!
ପାଠ ପଢି ପଢି ବେକରୀ ଯୁବକ
ଦାଦନ କଟୁଛି ଯାଇ…..
ପିତା ମାତା ସ୍ବପ୍ନ ହୁଏ ଧୂଳି ସାତ
ପୁଅ ଭବିଷ୍ୟତ ପାଇଁ….!!
ସବୁ ଠାରୁ ଭଲ ନେତା ବନିଗଲେ
ମିଳିବ ମାନ ସମ୍ମାନ…..
ଅଫିସର ଠାରୁ ପୁଞ୍ଜିପତି ଯେତେ
କରିବେ ନିତି ପ୍ରଣାମ….!!
ରାଜ କୋଷଟାକୁ ନିଜ ଇଛା ମତେ
ଖୋଳକରଥିବ ଯାଇ….
ନିଜର ଦାରିଦ୍ର୍ୟ ଦୂର କରୁଥିବା
ଦରିଦ୍ରଙ୍କ କଥା କହି….!!
କୋଠା ପରେ କୋଠା ଛୁଇଁବ ଆକାଶ
ଗାଡି ପରେ ଗାଡ଼ି କିଣା….
ଜମି ବାଡ଼ି ଯେତେ ଆପଣା ନାଁ ରେ
ସବୁ ହୋଇବ ଭରଣା….!!
ସାତ ପୁରୁଷକୁ ଧନକୁ ସଞ୍ଚିଣ
କହୁଥିବା ବଡ଼ କଥା….
ରାଜନୀତି ଏକ ଭଲ ବ୍ୟବସାୟ
ଅନ୍ଯ ଯେତେ ମୁଣ୍ଡ ବ୍ଯଥା…!!
ନିର୍ବାଚନ ବେଳେ ଟିକେଟ ଖଣ୍ଡିଏ
ପ୍ରାପ୍ତ ପାଇଁ ଷଡ଼ଯନ୍ତ୍ର…..
କରି କଉଶଳେ ମିଳିଲେ ସହଳ
ପ୍ରୟୋଗ କରିବ ତନ୍ତ୍ର….!!
ଯାହାକୁ ଦେଖିବ ମୁଣ୍ଡିଆ ମାରିବ
ମିଛ କହି ମନ ମୋହି….
ହାତୀ କରିଦେବି ଛତି କରିଦେବି
କହିବ ଭୋଟ ପାଇଁ…!!
ଭୋଟ ପାଇବା ପରେ ଜନତାଙ୍କ
ଗହଣରୁ ହେବ ବିଦା….
ସମସ୍ୟା ଯେତେକ ସମସ୍ୟାରେ ଥିବ
କାମ ନ କରିବ କଥା….!!
ଜନତା ସେବାଟା ବାହାନା କେବଳ
ପ୍ରତିଶ୍ରୁତି ଖାଲି ବର୍ଷା…
ନେତା ପାଇଁ କିଛି ଯୋଗ୍ୟତା ନାହିଁ
ଖାଲି ମଦ ମାଂସ ଖର୍ଚ୍ଚା….!!
ଗରିବଙ୍କ ମନ କିଣିବାକୁ ହେଲେ
ଭୋଜି ଭାତ ଖୁଆଇବ….
ହାତ ଗୁଞ୍ଜା କିଛି ଧରାଇଣ ଦେଲେ
ବିଜୟ ବାନା ଉଡିବ…!!
ଆଜି କାଲି ନେତା ଆପଣ ସୁଖରେ
ଆଧିକ ଗୁରୁତ୍ବ ଦେଇ….
ପରର ଆଖିରେ ଝରୁଥିଲେ ଲୁହ
ହୃଦୟ ତରଳେ ନାହିଁ….!!
ଗଣତନ୍ତ୍ର ସିନା ଭୋଟ ଦେବା ପାଇଁ
ସହଜ ସରଳ ବାଟ…
ନେତା ବନି ଗଲେ ପାଞ୍ଚ ବରଷକୁ
ମଣଇ ବିଶ୍ବ ସମ୍ରାଟ….!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

Leave A Reply

Your email address will not be published.