ନୀଳଗିରିରୁ ବାହୁଡ଼ା ରାସ୍ତାରେ ୨୭ଟିକିଆ ଝାଡ଼ଖଣ୍ଡୀ ହାତୀ; ଗୋଠଛଡ଼ା ହୋଇ ବଜାର ବୁଲୁଛି ଅସୁସ୍ଥ ଛୁଆହାତୀ ।

0 255

ନୀଳଗିରି,୧୨/୧୨: ଝାଡ଼ଖଣ୍ଡ ରାଜ୍ୟ ଦଲମା ଅଭୟାରଣ୍ୟରୁ ୨୭ଟିକିଆ ହାତୀପଲ ମୟୂରଭଞ୍ଜ ଦେଇ ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳକୁ ପଶି ଆସିଥିଲେ । ମାତ୍ର ଗୋଟେ ଦିନ ରହିଣି ଭିତରେ ଆଜି ୨୬ଟି ହାତୀ ନୀଳଗିରି ଛାଡ଼ି ମୟୂରଭଞ୍ଜ ଅଭିମୁଖେ ଚାଲିଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିବା ମାଈହାତୀ ଛୁଆଟି ଗୋଠଛଡ଼ା ହୋଇ ରାତିରେ ସଜନାଗଡ଼ ବଜାରରେ ଏଣେ ତେଣେ ହେଉଛି । ତା’ ପାଟିରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହେଉଥିବା ପରିଲକ୍ଷିତ ହୋଇଛି । ଅପରାହ୍ନରେ ଏହି ଛୁଆହାତୀଟି ମହିଷାପଟ୍ଟା ପଞ୍ଚାୟତର ଏକ ବିଲ କିଆରୀ ଭିତରେ ଗୋଟେ ବାଛୁରୀକୁ ଦଳି କ୍ଷତାକ୍ତ କରି ଦେଇଛି । ଖାଦ୍ୟ ଅନ୍ୱେଷଣ ସମୟରେ ଏହି ଛୁଆହାତୀର ପାଟିରେ ବିଦ୍ୟୁତ ତାର କିମ୍ବା ଲୁହାଛଡ଼ ପଶି ଶକ୍ତ ଆଘାତ ଲାଗିଥିବା କୁହାଯାଉଛି । ତାକୁ ଚିକିତ୍ସା ଯୋଗାଇବା ଉଦେଶ୍ୟରେ ଆଜି ବାଲେଶ୍ୱର ଡିଏଫଓ ପ୍ରଫୁଲ ମଲିକ, ଏସିଏଫଓ ଦିଗନ୍ତ ଶୋଭନ ଚାନ୍ଦ, ନୀଳଗିରି ରେଞ୍ଜ ଅଧିକାରୀ ମନୱାର ଖାଁ, ଶିମିଳିପାଳ ଅଭୟାରଣ୍ୟରୁ ପ୍ରାଣୀ ଚିକିତ୍ସାଧିକାରୀ ଡା. ଅଭିଳାସ ଆଚାର୍ଯ୍ୟ ପ୍ରମୁଖ ପହଞ୍ଚି ଏହି ଅସୁସ୍ଥ ହାତୀ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ବାହୁଡ଼ା ରାସ୍ତାରେ ଥିବା ୨୬ଟି ହାତୀ ମଧ୍ୟରୁ ୨୫ଟି ରେମୁଣା ଦୁର୍ଗାଦେବୀ ଅଞ୍ଚଳ ପାର ହୋଇଥିବା ବେଳେ ମୁଖିଆ ଦନ୍ତାଟି ରାତି ୯ଟା ପରେ ନୀଳଗିରିର କାଠପାଳ ପାରି ହୋଇଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ ଏହି ଅସୁସ୍ଥ ଛୁଆ ହାତୀଟି ରାତିରେ ନୀଳଗିରିର ସଜନାଗଡ଼ ବଜାରରେ ଚାଲିଥିବା ବେଳେ ଲୋକେ ତାକୁ ଘଉଡ଼ାଉଥିବା ଦେଖିବାକୁ ମିଳିଛି । ଖବର ଲେଖା ହେବା ବେଳକୁ ଏହି ଗୋଠଛଡ଼ା ହାତୀକୁ ଗୋଠରେ ମିଶାଇବା ଉଦେଶ୍ୟରେ ବନବିଭାଗ କର୍ମଚାରୀମାନେ ହାତୀ ପଛେ ପଛେ ଚାଲିଛନ୍ତି । ସୂଚନା ଯେ,ଏହି ହାତୀ ପଲ ଭିତରୁ ୧୦ଟି ଛୁଆହାତୀ,୧୪ଟି ମାଈ ଏବଂ ୩ଟି ଦନ୍ତା ରହିଥିଲେ ।

Leave A Reply

Your email address will not be published.