ଢେଙ୍କାନାଳ,୦୯/୧୦:ନିର୍ମାଣଧୀନ ଏକ ପାଞ୍ଚ ମହଲା କୋଠାର ତୃତୀୟ ମହଲା ଛାତ ପଡୁଥିବା ବେଳେ ତଳେ କେତେ ଜଣ ଶ୍ରମିକ କାର୍ଯ୍ୟରତ ଥିଲେ । ହଟାତ ଛାତ ଭୁଷୁଡି ପଡିବାରୁ ତଳେ ଶ୍ରମିକ ଚାପି ହୋଇ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କ ସଂପର୍କରେ ସଠିକ ଖବର ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଉଦ୍ଧାର କାର୍ଯ୍ୟ ସଂପୁର୍ଣ୍ଣ ହେବା ପରେ ତାହା ଜଣାପଡିବ ବୋଲି ଉଦ୍ଧାରକାରି ଦଳ ପ୍ରକାଶ କରିଛନ୍ତି । ଢେଙ୍କାନାଳ ମହିଷାପାଟ ଠାରେ ହୋଟେଲ ପାଇଁ ଗୋଟିଏ ପାଞ୍ଚ ମହଲା କୋଠାର ନିର୍ମାଣ କାର୍ଯ୍ୟ ଚାଲିଥିଲା । ତୃତୀୟ ମହଲାର ଛାତ ପଡୁଥିବା ବେଳେ ଗୋଟିଏ ପିଲର ଭାଙ୍ଗିଯିବାରୁ ଛାତଟି ଭୁଷୁଡି ପଡିଥିଲା । ସେଠାରେ କାର୍ଯ୍ୟରତ ଶ୍ରମିକ ଚାପି ହୋଇଯାଇଛନ୍ତି । ଫଶିଥିବା ଶ୍ରମିକଙ୍କ ସଂଖ୍ୟା ୧୦ ବୋଲି ଅନୁମାନ କରାଯାଉଛି । ଗୁରୁତର ଭାବେ ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ସଦର ଥାନା ଅନ୍ତର୍ଗତ ଖୁଣ୍ଟୁଝରି ଗ୍ରାମର କୈଳାଶ ଚନ୍ଦ୍ର ରାଉତ (୪୫) ଙ୍କ ଦୁଇ ହାତ ଛିଣ୍ଡି ପଡିଥିବା ଜଣାଯାଇଛି । ତାଙ୍କୁ ଗୁରୁତର ଭାବେ କଟକ ସ୍ଥାନାନ୍ତର କରାଯାଇଛି । ସେହି ଖୁଣ୍ଟୁଝରି ଗ୍ରାମର ଆଉ ଜଣେ ଟୁନା ରାଉତ (୪୦)ଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଖବର ପାଇ ଢେଙ୍କାନାଳ ଓଡ୍ରାଫ ସମେତ ଗଁଦିଆ, ଓଡାପଡାରୁ ଅଗ୍ନିଶମ ବାହିନୀ, ପୁଲିସ, ଜେସିବି, ବୁଲଡୋଜର ଆଦି ସହାୟତାରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳିନ ଭିତିରେ ଚାଲୁ ରହିଛି । ଘଟଣା ସ୍ଥଳରେ ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଏସପି ଅଭିନବ ସୋନକର ଓ ଉପଜିଲ୍ଲାପାଳ ସମେତ ଜିଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି । ଉଦ୍ଧାର କାର୍ଯ୍ୟ ସରିଲେ କେତେ ଶ୍ରମିକ ମୃତାହତ ତାହା ଜଣାପଡିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।