ମାଲକାନଗିରି, ୨୩/୦୩(ପିପିଟି) : ମାଲକାନଗିରି ଜିଲ୍ଲାରେ ସାଧାରଣ ନିର୍ବାଚନ ପ୍ରସ୍ତୁତିକୁ ନେଇ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ, ଶତୃଘ୍ନ କର ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମୀକ୍ଷା କରିଛନ୍ତି।ଏହି ବୈଠକରେ ଜିଲ୍ଳା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସଚିନ ପାୱାର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ, ବେଦବର ପ୍ରଧାନ, ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ, ରାମଚନ୍ଦ୍ର ଖଡିଆ, ଉପ ଜିଲ୍ଲାପାଳ, ଦୁର୍ଯ୍ୟଧନ ଭୋଇ ଓ ଅତିରିକ୍ତ ଉପ ଜିଲ୍ଲାପାଳ, ଜଗେଶ୍ୱର ନାଏକ ମଞ୍ଚାସୀନ ଥିଲେ। ଗତ କାଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କୋରାପୁଟ ଠାରେ ଅବିଭକ୍ତ କୋରାପୁଟ ଯଥା ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ନେଇ ସମସ୍ତ ଜିଲ୍ଲାପାଳ ଏବଂ ଏସପିଙ୍କ ସହ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲାରେ ଆସନ୍ତା ମେ ୧୩ରେ ସାଧାରଣ ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥି ନିମନ୍ତେ ଶ୍ରୀ କର ନିର୍ବାଚନ ପରିଚାଳନା, ପୋଷ୍ଟାଲ ବାଲାଟ, ନିର୍ବାଚନୀ ଖର୍ଚ୍ଚ ମନିଟରିଂ ଆଦି ବିଷୟରେ ଆଲୋଚନା କରିଥିଲେ। ଡ୍ରାଫ୍ଟ ରୋଲକୁ ନେଇ ସାବଧାନତା ଅବଲମ୍ବନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଛି। ତେଣୁ ନିର୍ବାଚନ ନିମନ୍ତେ ଆବଶ୍ୟକୀୟ ମାନବ ସମ୍ବଳ ଓ ପ୍ରଶିକ୍ଷଣ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି। ସମସ୍ତ ଟିମ୍ ନିଜ ନିଜ କାମକୁ ଗୁରୁତର ସହ ନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଅଭିଯୋଗ ଗ୍ରହଣ ପାଇଁ ସି ଭିଜିଲ୍ ଆପ୍ ସବୁଠାରୁ ଉତ୍କୃଷ୍ଟ ମାଧ୍ୟମ ବୋଲି ସେ ପ୍ରକାଶ କରିଛନ୍ତି। ତେଣୁ ଏହି ଆପ୍ ର ସଠିକ୍ ପରିଚାଳନା ନିମନ୍ତେ ସମ୍ପୃକ୍ତ ଦଳକୁ କୁହାଯାଇଛି। ସେହିପରି ଗଣମାଧ୍ୟମରେ ପ୍ରକାଶ ହେଉଥିବା ବିଭିନ୍ନ ନିର୍ବାଚନ ସମ୍ବନ୍ଧୀୟ ସମ୍ବାଦ ପରିବେଷଣକୁ ଉତ୍ତମ ରୂପେ ମନିଟରିଂ କରିବା ନିମନ୍ତେ ଏମସିଏମସି କମିଟିକୁ ଦାୟିତ୍ଵ ଦିଆଯାଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଦକ୍ଷିଣାଞ୍ଚଳ ଡିଆଇଜି ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମୀକ୍ଷା ସାରି ଶ୍ରୀ କର ସରକାରୀ ପଲିଟେକନିକ୍ ସ୍ଥିତ ଡିସପରସନ୍ ସେଣ୍ଟର୍ ଓ ରିସିପ୍ଟ ସେଣ୍ଟର, ଭୋଟ ଗଣତି କେନ୍ଦ୍ର ଓ ଇଭିଏମ ଷ୍ଟ୍ରଙ୍ଗ ରୁମ ପରିଦର୍ଶନ କରିଥିଲେ । ଏହା ସହ ଉପସ୍ଥିତ ବିଡ଼ିଓ, ତହସିଲଦାର ଓ ନିର୍ବାଚନ ନୋଡାଲ ଅଧିକାରୀଙ୍କ ସହ ନିର୍ବାଚନ ସମ୍ବନ୍ଧୀୟ
ପ୍ରସ୍ତୁତି ନେଇ ଆଲୋଚନା ସହ ମାର୍ଗ ଦର୍ଶନ କରିଛନ୍ତି। ନିର୍ବାଚନ ପ୍ରକ୍ରିୟାକୁ ସଫଳ ରୂପେ ଆୟୋଜନ କରିବା ନିମନ୍ତେ ଶ୍ରୀ କର ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଆହ୍ବାନ କରିଛନ୍ତି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)