ନିର୍ବାଚନରେ ମତ ସାବ୍ୟସ୍ତ ପାଇଁ ସାମ୍ବାଦିକମାନଙ୍କୁ ପୋଷ୍ଟାଲ ଭୋଟ ବ୍ୟବସ୍ଥା ।

0 283

ମାଲକାନଗିରି ,୨୦/୦୪(ପିପିଟି) :ପ୍ରଥମ ଥର ଲାଗି ଚଳିତ ନିର୍ବାଚନରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ମତଦାନ ପାଇଁ ପୋଷ୍ଟାଲ ଭୋଟ ବ୍ୟବସ୍ଥା କରାଯାଇଛି। ଯାହା କି ଏକ ଐତିହାସିକ ନିଷ୍ପତ୍ତି । ଭାରତ ନିର୍ବାଚନ କମିଶନ ପ୍ରାଧିକୃତ ସାମ୍ବାଦିକ ମାନଙ୍କୁ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିବାର ଅଧିକାର ପ୍ରଦାନ କରିଛନ୍ତି । ଏହା ଦ୍ଵାରା ସ୍ଵାଧୀନ ଭାରତରେ ପ୍ରଥମ ଥର ପାଇଁ ପ୍ରାଧୀକୃତ ସାମ୍ବାଦିକମାନେ ନିଜ ନିଜର ନିର୍ବାଚନ ମଣ୍ଡଳୀରୁ ଦୂରରେ ରହି ନିଜର କର୍ତ୍ତବ୍ୟ ସଂପାଦନ କରିବା ସହ ସାଧାରଣ ନିର୍ବାଚନରେ ମତଦାନ କରିପାରିବେ ।
ଏଥି ନିମନ୍ତେ ମାଲକାନଗିରି ଜିଲ୍ଲା ଲୋକ ସଂପର୍କ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଗଣ ମାଧ୍ୟମ ପ୍ରତିନିଧି ଓ କ୍ୟାମେରା ମ୍ୟାନମାନଙ୍କୁ ସ୍ୱତନ୍ତ୍ର ଫର୍ମ ଯୋଗାଇ ଦିଆଯାଇଛି । ଇତି ମଧ୍ୟରେ ୫୦ରୁ ଊର୍ଦ୍ଧ୍ବ ସାମ୍ବାଦିକ ନିଜ ନିଜର ଫର୍ମ ମାଧ୍ୟମରେ ସହମତ ପ୍ରକାଶ କରି ସାରିଥିବାର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ସୂଚନା ଦେଇଛନ୍ତି । ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗଣ ମାଧ୍ୟମର ଅଗ୍ରଣୀ ଭୂମିକା ରହିଆସିଛି । ନିର୍ବାଚନ ସମୟରେ ଅନେକ ପ୍ରାଧିକୃତ ସାମ୍ବାଦିକଙ୍କୁ ନିଜ ନିଜର ନିର୍ବାଚନ ମଣ୍ଡଳୀ ଠାରୁ ଦୂରରେ ରହି କାର୍ଯ୍ୟ ସଂପାଦନ କରିବାକୁ ପଡ଼ିଥାଏ । ଏଣୁ ସେମାନେ ନିଜ ନିର୍ବାଚନ ମଣ୍ଡଳୀରେ ମତଦାନ କରି ପାରୁ ନ ଥିଲେ । ଏହି ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରକୃତ ସାମ୍ବାଦିକ ଓ ଗଣତନ୍ତ୍ରର ବୃହତ୍ତର ହିତରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ସାଧାରଣ ନିର୍ବାଚନ ୨୦୨୪ କୁ ଅଧିକରୁ ଅଧିକ ଅଂଶଗ୍ରହଣ କରିବା ପାଇଁ ନିର୍ବାଚନ କମିଶନ ପ୍ରକୃତ ସାମ୍ବାଦିକ ମାନଙ୍କ ‘ଜରୁରୀ ସେବା ଯୋଗୁଁ ଅନୁପସ୍ଥିତ ଭୋଟର’ ତାଲିକାରେ ସାମିଲ କରିଛନ୍ତି । ଏହାଦ୍ଵାରା ପ୍ରାଧିକୃତ ସାମ୍ବାଦିକମାନେ ‘ରିପ୍ରେଜେଣ୍ଟେସନ୍ ଅଫ୍ ପିପୁଲ ଆକ୍ଟ-୧୯୫ ଆକ୍ଟ-୧୯୫୧’ର ଧାରା ୬୦ (ଗ) ଅଧିନରେ ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ମତଦାନ କରିପାରିବେ । ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ନିର୍ବାଚନ କମିଶନଙ୍କ ଦ୍ଵାରା ପ୍ରାଧିକୃତ କାର୍ଯ୍ୟରତ ସାମ୍ବାଦିକମାନେ ନିଜ ନିଜର ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କ ଠାରେ ଆବେଦନ କାରିଛନ୍ତି ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.