ନିଆଁ ଲାଗି କ୍ଷତିଗ୍ରସ୍ତ ପରିବାରକୁ ବିପଦର ବନ୍ଧୁ ପକ୍ଷରୁ ସହାୟତା ।

0 140

ଭଞ୍ଜନଗର, ୧୬/୦୩(ପିପିଟି):ଭଞ୍ଜନଗର ବ୍ଲକ ଦୋମୁହାଣୀ ପଞ୍ଚାୟତର ବଞ୍ଜର ସାହି ନିକଟସ୍ଥ ତିନିସାହିରେ ରବିବାର ଅପରାହ୍ନ ପ୍ରାୟ ୨ଟା ସମୟରେ ନିଆଁ ଲାଗି ଯାଇଥିଲା। ଫଳରେ ଚାହୁଁ ଚାହୁଁ ୭ଟି ପରିବାରର ୧୦ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ କେଉଁ ପରିସ୍ଥିତିରେ ଲାଗିଲା ତାହା ସଠିକ୍‌ ଭାବେ ଜଣା ପଡ଼ିନାହିଁ। କ୍ଷତିଗ୍ରସ୍ତ ପରିବାରଗୁଡ଼ିକ ହେଲେ ବାବୁଲା ମଲ୍ଲିକ, ଗୁନା ମଲ୍ଲିକ, ନାନ୍ଦୁଲୁ ମଲ୍ଲିକ, ସବିତା ମଲ୍ଲିକ, ବିଳାସ ମଲ୍ଲିକ, ଉରି ମଲ୍ଲିକ ଓ ମୁନା ମଲ୍ଲିକ।ଏମାନେ ସମସ୍ତେ ଆଦିବାସୀ ଏବଂ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାମାଜିକ କର୍ମୀ ଜିତେନ୍ଦ୍ର କୁମାର ସେଠୀ ନିବେଦନ କରିଛନ୍ତି।
ଅପରପକ୍ଷେ ଅଗ୍ନିକାଣ୍ଡ ସମ୍ପର୍କରେ ଭଞ୍ଜନଗର ଦମକଳବାହିନୀକୁ ଗ୍ରାମବାସୀ ସୂଚନା ଦେଇଥିଲେ। କିନ୍ତୁ ଭଞ୍ଜନଗରଠାରୁ ପ୍ରାୟ ୩୦ କିମି ଦୂରରେ ଉକ୍ତ ଗ୍ରାମଟି ଥିବା ଯୋଗୁ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା। ଅନ୍ୟପଟେ ଉକ୍ତ ଗ୍ରାମ ନିକଟରେ ନିଆଁ ଲିଭାଇବା ପାଇଁ ପାଣି ମଧ୍ୟ ଅଭାବ ଥିଲା। ଘଟଣାରୁ ପ୍ରକାଶ ଯେ, ଗ୍ରାମର ପୁରୁଷ ଲୋକେ ଦିନ ବେଳେ କାମ କରିବାକୁ ବାହାରକୁ ଚାଲି ଯାଇଥିଲେ। ମହିଳା ଏବଂ ଶିଶୁମାନେ ଘରେ ଥିଲେ। ଏହିଭଳି ପରିସ୍ଥିତିରେ ହଠାତ୍‌ କାହାରି ଘରୁ ନିଆଁ ବାହାରିଥିଲା। ପ୍ରବଳ ତାତି ସାଙ୍ଗକୁ ପବନ ବହିବା ଯୋଗୁ ଅଧଘଣ୍ଟା ମଧ୍ୟରେ ସବୁ ଘର ପୋଡ଼ି ପାଉଁଶ ହୋଇଯାଇଥିଲା। କିନ୍ତୁ ଏହି ସମୟରେ ଘରେ ଥିବା ମହିଳା ଓ ଶିଶୁମାନେ ନିଆଁ ଲାଗିବା ଜାଣିପାରି ସମସ୍ତେ ଘରୁ ବାହାରକୁ ଚାଲି ଆସିବା ଯୋଗୁ ରକ୍ଷା ପାଇଯାଇଛନ୍ତି।ସ୍ୱେଚ୍ଛାସେବୀ ସଂଗଠନ ବିପଦର ବନ୍ଧୁ ତରଫରୁ କ୍ଷତିଗ୍ରସ୍ତ ପରିବାରଙ୍କୁ ଚାଉଳ, ରାସନ,ଖାଦ୍ୟ ସାମଗ୍ରୀ ଆଦି ଯୋଗାଇ ଦିଆଯାଇଛି।

(ରିପୋର୍ଟ- ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.