ନାଇକେନପାଲିରେ ବ୍ଳକସ୍ତରୀୟ ବିଶ୍ଵ ରକ୍ତ ଶିକୁଳି ଦିବସ ପାଳିତ ।

0 106

ସୁବର୍ଣ୍ଣପୁର ,୧୯/୦୬(ପିପିଟି):ଆଜି ସୁବର୍ଣ୍ଣପୁର ଜିଲ୍ଲା ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହରେ ବ୍ଲକସ୍ତରୀୟ ବିଶ୍ଵ ରକ୍ତ ଶିକୁଳି ଦିବସ ପାଳିତ ହୋଇଯାଇଛି l ଏହି ଉତ୍ସବରେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ରାମଶଙ୍କର ତ୍ରିପାଠୀ ଅଧ୍ୟକ୍ଷତା କରି ସିକଲ ସେଲ ବା ରକ୍ତ ଶିକୁଳି ରୋଗ ଏକ ବଂଶଗତ ରୋଗ ଯାହାଦ୍ଵାରା ରକ୍ତରେ ହିମୋଗ୍ଲୋବିନ ତିଆରି କରୁଥିବା ଜିନ୍ ତୃଟି ଯୁକ୍ତ ହୋଇଥାଏ । ଏହାଦ୍ଵାରା ଶରୀରରେ ଲୋହିତ ରକ୍ତକଣିକା କମିଯିବା, ଶରୀର ଓ ଗଣ୍ଠିରେ ଗମ୍ଭୀର ଯନ୍ତ୍ରଣା, ଥକ୍କାପଣ, ଆଖି ହଳଦିଆ ପଡ଼ିଯିବା, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ, ବାରମ୍ବାର ସଂକ୍ରମିତ ହେବା, ଗର୍ଭାବସ୍ଥା ରେ ଜଟିଳତା ଏବଂ ଅଙ୍ଗହୀନ ବା ବିକଳାଙ୍ଗ ହେବାପରି ଜଟିଳ ସ୍ଥିତି ଉପୁଜି ପାରେ। ଏହା ଏକ ଜରୁରୀକାଳୀନ ସ୍ଥିତି ଅଟେ, ତେଣୁ ତୁରନ୍ତ ଡାକୁରଙ୍କ ପରାମର୍ଶ ନେବା ଉଚ଼ିତ ବୋଲିକହିବା ସହ ଏହି ରୋଗ ବଂଶଗତ ଅଟେ ତେଣୁ ନିଜ ସ୍ୱାସ୍ଥ୍ୟ ଏବଂ ନିଜ ପରିବାରର ଭବିଷ୍ୟତ ସ୍ୱାସ୍ଥ୍ୟରକ୍ଷା ପାଇଁ ପରୀକ୍ଷଣ କରାଇ ଦେବାକୁ ସେ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ । ଯଦି ମାତା ପିତା ଉଭୟେ ସିକିଲ ସେଲ ରକ୍ତହୀନତା ଗ୍ରସ୍ତ ତେବେ ସନ୍ତାନ ସନ୍ତତି ମଧ୍ୟ ସିକଲସେଲ ରୋଗ ଦ୍ଵାରା ସଂକ୍ରମିତ ହୋଇଥାନ୍ତି ତେଣୁ ବିବାହ ପୂର୍ବରୁ ରକ୍ତ ପରୀକ୍ଷା କରାଇ ନେଇ ସେହି ଅନୁସାରେ ନିଜ ଜୀବନସଂଗୀ ଚୟନ ପୂର୍ବକ ଏହି ଶିଶୁଳିକୁ ଭାଙ୍ଗି ପାରିଲେ ଆମେ ରକ୍ତ ଶିକୁଳି ରୋଗକୁ ହରାଇ ପାରିବା ବୋଲି ସେ କହିଥିଲେ । ୨୦୪୭ ମସିହା ସୁଦ୍ଧା ଭାରତକୁ ସିକଲସେଲ ରକ୍ତହୀନତାରୁ ମୁକ୍ତ କରିବା ପାଇଁ କେନ୍ଦ୍ରୀୟ ବଜେଟରେ ଏକ ମିଶନ ଘୋଷଣା କରାଯାଇଛି । ଏଥିରେ ସଚ଼େତନତା ସୃଷ୍ଟି, ପ୍ରଭାବିତ ଜନଜାତି ଅଞ୍ଚଳର ୦-୪୦ ବର୍ଷର ସମସ୍ତ ଜନସାଧାରଣଙ୍କୁ ଯାଞ୍ଚ, ଚିହ୍ନିତ ରୋଗୀକୁ ଚିକିତ୍ସା ଓ ସେବା ଯୋଗାଇ ଦିଆଯିବ । ଚଳିତ ବର୍ଷ ୧୯ ଜୁନରୁ ୦୩ ଜୁଲାଇ ପର୍ଯ୍ୟନ୍ତ ରକ୍ତଶିକୁଳି ରକ୍ତହୀନତା ନିରାକରଣ ସଚେତନତା ଅଭିଯାନ ଚାଲୁଅଛି । ଏଥିରେ ସାମିଲ ହେବାକୁ ଜନସାଧାରଣଙ୍କୁ ଏହି ଅବସରରେ ଅନୁରୋଧ କରାଯାଇଥିଲା | ପାଳନୋତ୍ସବରେ ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ଏବଂ ଜନସାଧାରଣ ସାମିଲ ଥିଲେ। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ଧରୁଆ ଉପସ୍ଥିତ ଥିବାବେଳେ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ମଂଚ଼ାସୀନ ଥିଲେ। ଏହି ଅବସରରେ ପୂର୍ବରୁ ସିକଲସେଲ ରୋଗ ଚିହ୍ନଟ ପାଇଁ ରକ୍ତ ପରୀକ୍ଷା କରାଇଥିବା ହିତାଧିକାରୀଙ୍କୁ କାର୍ଡ଼ ବଣ୍ଟନ କରାଯାଇଥିଲା । ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ପ୍ରିୟ ରଞ୍ଜନ ସାହୁ ସମଗ୍ର କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିବା ବେଳେ ସ୍ୱାସ୍ଥ୍ୟ ପରିଦର୍ଶକ ଶାନ୍ତନୁ ମେହେର ଏବଂ ମହିଳା ସ୍ୱାସ୍ଥ୍ୟକର୍ମୀ ରଂଜିତା ପଣ୍ଡା କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.