ନବନିଯୁକ୍ତ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ସମୀକ୍ଷା ବୈଠକ ।

0 71

ଯାଜପୁର, ୦୭/୦୪(ପିପିଟି): ବିକାଶର କୌଣସି ଦଳ ନଥାଏ ଏବଂ ଆଗାମୀ ୩ ବର୍ଷ ଭିତରେ କିଭଳି ଉନ୍ନୟନମୂଳକ ଯୋଜନା କରିବାକୁ ପଡିବ, ସେ ଦିଗରେ ଆଲୋଚନା କରିବାକୁ ହେବ। ଲୋକଙ୍କ ଟିକସ ଅର୍ଥକୁ ସଠିକ୍ ଭାବେ ଲୋକଙ୍କ ବିକାଶ ଦିଗରେ ବିନିଯୋଗ କରିବା ପାଇଁ ଆମେ ଉତ୍ତରଦାୟୀ ବୋଲି ନବନିଯୁକ୍ତ ଯାଜପୁର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଆକାଶ ଦାସନାୟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ କହିଛନ୍ତି। ଆଜି କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ସମୀକ୍ଷା ବୈଠକରେ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ, ଲୋକକଲ୍ୟାଣକାରୀ ଯୋଜନା ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ପ୍ରଥମେ ଯୋଜନା କମିଟି ଅଧ୍ୟକ୍ଷଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଆକାଶ ଦାସନାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ  ଶିବାନନ୍ଦ ସ୍ୱାଇଁ ସ୍ଵାଗତ ଅଭିଭାଷଣ ଦେଇଥିଲେ। ବିଧାୟକ ଆକାଶ ଦାସନାୟକ କହିଥିଲେ ଯେ ପ୍ରଶାସନଠାରୁ ଯାଜପୁର ଜିଲ୍ଲାବାସୀଙ୍କ ଅନେକ ଆଶା ଓ ଆକାଂକ୍ଷା ରହିଛି। ଅତୀତରେ ଯାଜପୁର ଜିଲ୍ଲା ସାରା ଓଡ଼ିଶାକୁ ଦିଗଦର୍ଶନ ଦେଇଛି। ସ୍ୱଳ୍ପ ମିଆଦୀ, ମଧ୍ୟମ ମିଆଦୀ ଏବଂ ଦୀର୍ଘ ମିଆଦୀ- ଏହି ଭଳି ତିନୋଟି ଉପାୟରେ ଯୋଜନା କରିବାକୁ ପଡ଼ିବ। ସ୍ୱଳ୍ପମିଆଦୀ ଯୋଜନାରେ ଯେଉଁସବୁ ଅଧୁରା କାମ ଆମର ରହିଯାଉଛି, ସେଗୁଡ଼ିକୁ ସାରିବାକୁ ହେବ ବୋଲି ବିଧାୟକ କହିଥିଲେ। ସାଇନ୍ସ ପାର୍କ ଭଳି ଆଉ କିଛି ପ୍ରକଳ୍ପ ଯାହା ରାଜ୍ୟ ସ୍ତରରେ ଅନୁମୋଦନ ବା ସହଯୋଗ ଅପେକ୍ଷାରେ ରହିଛି, ସେଗୁଡ଼ିକୁ ମଧ୍ୟ ଚିହ୍ନଟ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ପ୍ରତିବର୍ଷ ବନ୍ୟାରୁ ମୁକ୍ତି ପାଇବା ପାଇଁ ଏକ ବ୍ୟାପକ ଯୋଜନା ବାହାର କରିବାକୁ ହେବ ବୋଲି ବିଧାୟକ କହିଥିଲେ। ଏହାସହ ମ୍ୟାନେଜମେଣ୍ଟ ଶାସ୍ତ୍ରର “ଷ୍ଟ୍ରେନ୍ଥ, ୱିକନେସ, ଅପର୍ଚୁନିଟି ଓ ଥ୍ରେଟ୍” ବିଶ୍ଲେଷଣ ଉପରେ ସେ ଗୁରୁତ୍ୱ ଦେଇଥିଲେ। ଯାଜପୁର ଜିଲ୍ଲାରେ ଏକ ଦକ୍ଷ ମାନବ ସମ୍ବଳ ଏବଂ ପାଣ୍ଠି ରହିଛି। ଦୁର୍ବଳତା ଏବଂ ବିପଦକୁ ଆମେ ଚିହ୍ନଟ କରିବାକୁ ପଡିବ। ଏକ ପ୍ରଗତିଶୀଳ ସରକାରରେ ଆମ ପାଖରେ ଅନେକ ସମ୍ଭାବନା ମଧ୍ୟ ଅଛି ବୋଲି ଶ୍ରୀ ଆକାଶ ଦାସ ନାୟକ କହିଥିଲେ। ପାଣ୍ଠିର ସଦୁପଯୋଗ ଏବଂ ସୁପରିଚାଳନା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଆଗାମୀ କିଛି ଦିନ ମଧ୍ୟରେ ନିଜ ନିଜ ବିଭାଗର ଯୋଜନାଗୁଡ଼ିକର ରୂପରେଖ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଶିବାନନ୍ଦ ସ୍ୱାଇଁ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦେବୀପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଉପନିର୍ଦ୍ଦେଶକ ଯୋଜନା ଓ ପରିସଂଖ୍ୟାନ ଶ୍ରୀ ମନୋଜ କୁମାର ନାୟକ, ଅତିରିକ୍ତ ଉନ୍ନୟନ ଅଧିକାରୀ, କୋରେଇ ବିଡ଼ିଓ, ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ସଭା ଶେଷରେ କୋରେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ  ଅବନିକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.