ଭଞ୍ଜନଗର ୨୭/୦୭(ପିପିଟି) :୨୦୨୫-୨୬ ଖରିଫ୍ ଋତୁରେ ଧାନକିଣା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।ଏହା ଅଗଷ୍ଟ ୨୦ ପର୍ଯ୍ୟନ୍ତ ଚାଲିବ। ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ଚଳିତଥର ଚାଷୀ ପଞ୍ଜୀକରଣ କ୍ଷେତ୍ରରେ ନିୟମ ପରିବର୍ତ୍ତନ କରିଛନ୍ତି। ତାହାକୁ ଗୁରୁତ୍ବ ଦେଇ ଯେଭଳି ଜଣେ ବି ଚାଷୀ ଏଥିରୁ ବଞ୍ଚିତ ହେବେ ନାହିଁ, ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ଖରିଫ୍ ଋତୁରେ ସମସ୍ତ ଚାଷୀଙ୍କ ପଞ୍ଜୀକରଣ ନୂତନ ଆକାରରେ ହେବ। ଚାଷୀ ଏବଂ ଭାଗଚାଷୀଙ୍କ ଆଧାର ଇ-କେୱାଇସି ମାଧ୍ୟମରେ ଚାଷୀ ପଞ୍ଜୀକରଣ କରାଯିବ। ଆଧାର ଇ-କେୱାଇସି ସଂଲଗ୍ନ ବ୍ୟାଙ୍କ୍ ଖାତା ଜରିଆରେ ଧାନ ବିକ୍ରୟରେ ପ୍ରାପ୍ୟ ପ୍ରଦାନ କରାଯିବ। ଭାଗଚାଷୀ ମାନଙ୍କ ପାଇଁ ଜମି ମାଲିକଙ୍କ ସହମତି ପତ୍ର ଓ ଖାତାଦାରଙ୍କ ସହମତି ପତ୍ରକୁ ‘ପି-ପାସ୍’ରେ ଅପଲୋଡ୍ କରିବାକୁ ପଡ଼ିବ।
ଚାଷୀ ପଞ୍ଜୀକରଣ ଚଳିତ ମାସ ୧୯ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୨୦ ପର୍ଯ୍ୟନ୍ତ ଚାଲୁ ରହିବ। ଚାଷୀ ପଞ୍ଜିକରଣରେ ସ୍ବଚ୍ଛତା ଆଣିବା ଲକ୍ଷ୍ୟରେ ସରକାର ଏଥରକ ପୂର୍ବ ନିୟମରେ କିଛିଟା ପରିବର୍ତ୍ତନ ଆଣିଛନ୍ତି। ଚଳିତ ବର୍ଷ ଚାଷୀ ପଞ୍ଜୀକରଣ ସମ୍ପୂର୍ଣ୍ଣ ନୂତନ ଭାବରେ କରାଯିବ। ପୂର୍ବ ବର୍ଷର ନବୀକରଣ କରାଯିବ ନାହିଁ। ନୂତନ ଭାବେ ଚାଷୀଙ୍କୁ ପଞ୍ଜିକରଣ କରିବାକୁ ପଡ଼ିବ । ଚାଷୀ ପଞ୍ଜିକରଣ ଫର୍ମ ସହ ଚାଷ କରିଥିବା ଜମି ପଟାର ନକଲ, ବ୍ୟାଙ୍କ୍ ପାସ ବହିର ପ୍ରଥମ ପୃଷ୍ଠାର ନକଲ ଓ ନିଜ ଆଧାର କାର୍ଡର ନକଲ ଦାଖଲ କରିବେ। ଚଳିତ ଖରିଫ୍ରେ ଚାଷୀ କେତେ ଜମିରେ ଧାନ ଚାଷ କରିଛି ତାର ପ୍ରକୃତ ତଥ୍ୟ ବି ଫର୍ମରେ ଚାଷୀକୁ ଉଲ୍ଲେଖ କରିବାକୁ ପଡ଼ିବ । ଏହା ସହ ଚାଷୀ ସରକାରଙ୍କୁ କେବେ ଧାନ ବିକିବେ ତାର ପକ୍ଷ ମଧ୍ଯ ପଞ୍ଜିକରଣ ଫର୍ମରେ ଉଲ୍ଲେଖ କରିବେ । ସେହିଭଳି ଭାଗ ଚାଷୀଙ୍କୁ ମଧ୍ୟ ପଞ୍ଜିକରଣ ଫର୍ମ ସହ ଜମି ମାଲିକଙ୍କର ସମ୍ମତି ପତ୍ର, ଆଧାର କାର୍ଡର ନକଲ ଓ ମୋବାଇଲ ନମ୍ବର ଦେବାକୁ ପଡ଼ିବ । ଜମି ମାଲିକଙ୍କ ସମ୍ମତି ପତ୍ର ବିନା ଭାଗ ଚାଷୀ ନାମ ପଞ୍ଜିକରଣ ହୋଇ ପାରିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।
ଭୂତଚାଷୀ ଧରିବାକୁ ଏଥର ସ୍ବତନ୍ତ୍ର ସ୍କ୍ବାଡ ବ୍ୟବସ୍ଥା ରହିବ। ସୁଭଦ୍ରା ଟଙ୍କା ପାଉଥିଲେ ସେହି ବ୍ୟାଙ୍କ୍ ଖାତାରେ କେତେ ଧାନ ବିକ୍ରି ଟଙ୍କା ଦିଆଯାଉଛି, ତାହା ଉପରେ ନଜର ରଖାଯିବ। ଅନ୍ୟ ସରକାରୀ ସୁବିଧା ପାଉଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ବଦଳରେ ଯଦି ବଡ଼ ଚାଷୀ ରହିଥା’ନ୍ତି, ତେବେ ସେମାନେ ସହଜରେ ଜାଲରେ ପଡ଼ିପାରିବେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସୁଚନାଯୋଗ୍ୟ, ଗତବର୍ଷ ଭଞ୍ଜନଗର ଉପଖଣ୍ଡର ୪୬ ହଜାର ୬୨୦ ଚାଷୀ ନାମ ପଞ୍ଜିକରଣ କରିଥିଲେ। ସେଥିମଧ୍ୟରୁ ୪୫ ହଜାର ୭୭୧ ଜଣ ଚାଷୀ ଧାନ ବିକିବା ଲାଗି ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୪୩ ହଜାର ୬୫୧ ଜଣ ଚାଷୀଙ୍କ ଠାରୁ ସରକାର ୧୮ ଲକ୍ଷ ୬୧ ହଜାର ୪୭୫ କୁଇଣ୍ଟାଲର ଧାନ କିଣିଥିବା ବିଭାଗ ସୁତ୍ରରୁ ଜଣାପଡିଛି।
ରିପୋର୍ଟ- (ଜେ.କେ ପଟ୍ଟନାୟକ)