ଯାଜପୁର,୧୭/୦୨(ପିପିଟି): ଧର୍ମଶାଳା ନିର୍ବାଚନ ମଣ୍ଡଳୀ ୫୪ଗୋଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ବେଳେ ଏହି ପଞ୍ଚାୟତ ଗୁଡ଼ିକରେ ଏବେ ଉନ୍ନୟନମୂଳକ କାର୍ଯ୍ଯ ଠପ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଅନୁରୂପ ଭାବେ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅଭିଯୋଗ ଆଣିଛନ୍ତି ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ। ଆଜି ଅପରାହ୍ନରେ ଗଙ୍ଗାଧରପୁର ପଞ୍ଚାୟତ ନୂଆଗାଁସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଶ୍ରୀ ବଳବନ୍ତରାୟ ଧର୍ମଶାଳାର ଉନ୍ନୟନମୂଳକ କାର୍ଯ୍ୟ ବନ୍ଦ ରହିବା, ଆଇନ ଶୃଂଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିବା,ଧର୍ମଶାଳା ଓ ରସୁଲପୁର ବିଡ଼ିଓ ସରକାରଙ୍କ ନିୟମ ଉଲ୍ଲଙ୍ଘନ ସହ ନିର୍ବାଚିତ ପ୍ରତିନିଧିଙ୍କ କଥା ନଶୁଣିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏହି ଘଟଣା ଗୁଡ଼ିକୁ ଜିଲା ପ୍ରଶାସନ ଜାଣି କୌଣସି ପଦକ୍ଷେପ ନନେଇ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ଜାରକାରେ ଥିବା ଷ୍ଟାଡିୟମରେ ଏବେ ଖେଳକୁଦ ବନ୍ଦ ରହିଛି । ଅନେକ ସମୟରେ ସେଠାରେ ତାଲା ଝୁଲୁଛି । ବିଜେଡ଼ି ସରକାର ସମୟରେ ଧର୍ମଶାଳା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଆଗରେ ରହିଥିଲା। କିନ୍ତୁ ଏବେ ତାର ସ୍ଥାନ ପଛରେ ପଡ଼ିଛି। ବିଭିନ୍ନ ଅରାଜକତା ଏବେ ଧର୍ମଶାଳାରେ ବୃଦ୍ଧି ପାଇଛି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିବା ଫଳରେ ଅନୈତିକ କାର୍ଯ୍ୟ ବଢ଼ିଚାଲିଛି। ରାଜ୍ୟରେ ଥିବା ୬୦ ଗୋଟି ଆର ଡି ଡ଼ିଭିଜନ ଭିତରେ ଏବେ ଧର୍ମଶାଳା ସବୁଠୁ ପଛରେ ପଡିଛି । ଏଠାରେ ଏବେ ଉନ୍ନୟନ କାର୍ଯ୍ୟ ବନ୍ଦ ପଡିଛି । ପଞ୍ଚାଯତ ସମିତିରେ ୨ ଲକ୍ଷ୍ ଟଙ୍କାରୁ ଉର୍ଦ୍ଧ୍ବ କାର୍ଯ୍ୟ କରାଗଲେ ଅଧ୍ୟକ୍ଷଙ୍କ କାଉଣ୍ଟର ଦସ୍ତଖତ ଆବଶ୍ୟକ ପଡ଼ିଥାଏ । ମାତ୍ର ଏବେ ଅଧ୍ୟକ୍ଷଙ୍କ ବିନା କାଉଣ୍ଟର ଦସ୍ତଖତରେ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ଜିଲା ପ୍ରକଳ୍ପ ଅଧିକାରୀଙ୍କ ତଦନ୍ତ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠନ ହୋଇପାରି ନାହିଁ । ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡ଼ି ପକ୍ଷରୁ ଶୁଭ ଦିଆଯାଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଏବେ ଠିକ ଠାକ ଚାଲିନାହିଁ। ସେହିପରି ଉଭୟ ବ୍ଲକରେ ଏକ ବର୍ଷ ହେବ ପଞ୍ଚାୟତ ସମିତି ବୈଠକ ଡକାଯାଇନାହିଁ । ଧର୍ମଶାଳା ପଞ୍ଚାୟତ ସମିତିରେ ସଭ୍ୟ ଓ ସଭ୍ୟାଙ୍କୁ ନେଇ ୨୦୨୪ ମସିହା ଅଗଷ୍ଟ ମାସରେ ହୋଇଥିବା ଗଣ୍ଡଗୋଳର ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇନାହିଁ । ଏହିଭଳି ଅନେକ ସମସ୍ୟା କଥା ଉଠାଇ ଜିଲ୍ଳା ପ୍ରଶାସନକୁ ସିଧାସଳଖ ନିଶାନା କରିଛନ୍ତି ପୂର୍ବତନ ବିଧାୟକ ଶ୍ରୀ ବଳବନ୍ତରାୟ। ଏହି ସମ୍ମିଳନୀରେ ବ୍ଲକ ବିଜେଡ଼ି ସଭାପତି ତଥା ଜିଲା ପରିଷଦ ସଭ୍ୟ ଜଳଧର ମହାନ୍ତି ଓ ବ୍ଲକ ଛାତ୍ର ବିଜେଡ଼ି ସଭାପତି ଜଗଦାନନ୍ଦ ରାଉତ ଉପସ୍ଥିତ ଥିଲେ ।