ଧରାକୋଟ ଖାରିଗୁମ୍ମା ଘଟଣା ପୀଡିତଙ୍କ ପରିବାରକୁ ଭେଟିଲା ପ୍ରଶାସନ ।

0 312

ଭଞ୍ଜନଗର, ୨୪/୦୬(ପିପିଟି):ଗଞ୍ଜାମ ଜିଲ୍ଲା ଧରାକୋଟ ତହସିଲ ଅନ୍ତର୍ଗତ ଖାରିଗୁମା ଗ୍ରାମରେ ଗତ ରବିବାର ଅପରାହ୍ନରେ ସିଙ୍ଗିପୁର ଗ୍ରାମର ବାବୁଲା ନାୟକ ଓ ବୁଲୁ ନାୟକଙ୍କୁ କେତେକ ବ୍ୟକ୍ତି ନିର୍ଯାତନା ଦେଇଥିବା ଘଟଣା ଜିଲ୍ଲା ପ୍ରଶାସନର ନଜରକୁ ଆସିବା କ୍ଷଣି ଜିଲ୍ଲା ପ୍ରଶାସନ ଏହାରି ଉପରେ ତ୍ବରିତ ପଦକ୍ଷେପ ନେଇଛି।ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ନେତୃତ୍ୱରେ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ତହସିଲଦାର ଗଣେଶ୍ୱର ଦଳାଇ,ବିଡ଼ିଓ ଶୁସିଲ ପଟ୍ଟନାୟକ,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ନିହାର ରଞ୍ଜନ ମହାନ୍ତି, ବ୍ଲକ ମଙ୍ଗଳ ଅଧିକାରୀ ଅନନ୍ୟା ପଣ୍ଡା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କାଳୁ ଚରଣ ସ୍ବାଇଁ, ରାଜସ୍ବ ନିରୀକ୍ଷକ ରଞ୍ଜନ କୁମାର ବରାଡ ପ୍ରମୁଖ ସିଙ୍ଗିପୁର ଗ୍ରାମର ବାବୁଲା ନାୟକ ଓ ବୁଲୁ ନାୟକଙ୍କ ପରିବାରକୁ ଭେଟି ତାଙ୍କ ପ୍ରତି ଘଟିଥିବା ଘଟଣା ବାବଦରେ ପଚାରି ବୁଝିଥିଲେ। ପ୍ରଶାସନ ତୁମ ସାଥିରେ ଅଛି।ତେଣୁ କାହାକୁ ନ ଡରି ନିର୍ଭୟରେ ରହିବା ପାଇଁ ପୀଡିତ ଙ୍କ ପରିବାରକୁ ଆଶ୍ୱାସନା ଦେଇଥିଲେ। ଏହା ପରେ ଉପଜିଲ୍ଲାପାଳ ଉମା ଶଙ୍କର ବେହେରା ବାବୁଲା ଓ ବୁଲୁଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦,୦୦୦ ଲେଖାଏଁ ମୋଟ ୨୦,୦୦୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ପ୍ରକାଶଯୋଗ୍ୟ ଏହି ଘଟଣାରେ ଧରାକୋଟ ପୁଲିସ ଏକ ମାମଲା ରୁଜୁ କରି ୯ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି।ପୀଡିତ ଦୁଇ ଜଣଙ୍କୁ ଡାକ୍ତରୀ ଚିକିତ୍ସା ପରେ ପୁଲିସ ସୁରକ୍ଷିତ ଭାବ ସେମାନଙ୍କ ଗାଁ ସିଙ୍ଗିପୁରରେ ଛାଡିଛି। ବର୍ତମାନ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି। ଏହି ଘଟଣାରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା କହିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.