ପୋଲସରା, ୧୪/୧୧(ପିପିଟି): ଅଲ୍ ଇଣ୍ଡିଆ ଖେତ୍ ମଜଦୂର କିଷାନ ସଭା (AIKMKS) ସହ ଅନୁବନ୍ଧିତ ଚାଷୀ ମୁଲିଆ ସଂଘ ପୋଲସରା ବ୍ଲକ କମିଟି ପକ୍ଷରୁ ୭ ଦଫା ଦାବି ପତ୍ର ପୋଲସରା ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ସୂଚନା ଯୋଗ୍ୟ ଯେ, ମୋନ୍ଥା ବାତ୍ୟାରେ ଧନେଇ ଘାଇର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଗୋଚ୍ଛାବାଡ଼ି ଓ ପାଣ୍ଡ୍ରିପଡ଼ା ପଞ୍ଚାୟତର ଭାଲିଆମାଳ,ଗୋଛାବାଡ଼ି, ଜୋକବନ୍ଧ,ଲୁଣିଆପଡା, ଇଚ୍ଛାପୁର, ରତନେଇ ଆଦି ପାଞ୍ଚ ଗ୍ରାମର ଦଳିତ ଆଦିବାସୀ ଗରିବ ପରିବାରର ଶହ ଶହ ଏକର ପାଚିଲା ଧାନ ପାଣିରେ ବୁଡି ନଷ୍ଟ ହେବା ଶହ ସମ୍ପୂର୍ଣ୍ଣ ଚାଷ ଜମି ଜଳମଗ୍ନ ହୋଇଯାଇଛି। ବାତ୍ୟା ଆସିବା ପୂର୍ବରୁ କୌଣସି ଡାକବାଜି ଯନ୍ତ୍ର ଦ୍ୱାରା ସୂଚନା ଦିଆଯାଇନଥିଲା କିମ୍ବା ଧନେଇ ଘାଇର ଜଳସ୍ତର ବୃଦ୍ଧି ହେଉଥିବା ଦେଖି ଧନେଇ ଘାଇର ମୁଖ୍ୟ ଗେଟ ଜାଣିଶୁଣି ଖୋଲା ଗଲା ନାହିଁ। ଯାହାଦ୍ୱାରା ଜଳସ୍ତର ବଢ଼ି ଚାଷୀର ବର୍ଷ ଯାକର ପାଚିଲା ଧାନ ଫସଲ ପାଣିରେ ବୁଡି ନଷ୍ଟ ହୋଇଗଲା ବୋଲି ଚାଷୀ ମୂଲିଆ ସଂଘର ଜିଲ୍ଲା ସଭାପତି ଅବନୀ ଗୟା ଅଭିଯୋଗ କରିଛନ୍ତି। ସେହିଭଳି ରାଜ୍ୟ ସମ୍ପାଦକ ନିରାକାର ନାୟକ ଅଭିଯୋଗ କରିଛନ୍ତି ଯେ, ଧନେଇ ଘାଇର ଚାରି ପାର୍ଶ୍ୱରେ ଥିବା ପାଞ୍ଚ ଖଣ୍ଡ ଗ୍ରାମର ଆଦିବାସୀ ଭୂମିହୀନ ପରିବାର ସେହି ଜମିରେ ଦୀର୍ଘ ଦେଢ଼ ଶହ ବର୍ଷ ଧରି ଜଳ ସେଚନ ବିଭାଗ ଜମିରେ ଚାଷ କରି ଆସୁଥିଲେ l ବର୍ତ୍ତମାନ ସେହି ଜମି ଜଳ ମଗ୍ନ ହୋଇଯିବାରୁ ଉକ୍ତ ପାଞ୍ଚ ଖଣ୍ଡ ଗ୍ରାମର ଭୂମିହୀନ ପରିବାର ଜମିହରା ହୋଇଗଲେ ସେମାନଙ୍କୁ ତୁରନ୍ତ ଜମି ପ୍ରଦାନ କରାଯାଉ ଏବଂ ଧାନ ଫସଲ ନଷ୍ଟର କ୍ଷତିପୂରଣ ଅବିଳମ୍ବେ ଦିଆଯାଉ ନଚେତ ଆଗାମୀ ଦିନରେ ତହସିଲ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅହୋରାତ୍ର ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ଏତଦ୍ ସହ ଜଙ୍ଗଲ ଅଧିକାର ଆଇନ ଦ୍ୱାରା ଜଙ୍ଗଲ ଜମିର ପଟ୍ଟା ଦେବା, ବାସଗୃହର ପଟ୍ଟା ଦେବା ,ଗାଁ ଗାଁରେ ପକ୍କା ରାସ୍ତା ନିର୍ମାଣ କରିବା, ଜମିରେ ଜଳସେଚନ କରିବା ପାଇଁ ମାନବାଧିକାର ସୁରକ୍ଷା ମଞ୍ଚର ଉପ ସଭାପତି ସୁରେନ୍ଦ୍ର ନାଥ ପଣ୍ଡା, ଚାଷୀ ମୂଲିଆ ସଂଘର ଜିଲ୍ଲା ସମ୍ପାଦକ ରଞ୍ଜନ ଶବର, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ଶବର, ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ୍ ୟୁଥ ଅର୍ଗାନାଇଜସନ ଜିଲ୍ଲା ଆବାହକ ଲଡ଼ୁ ଶବର,ଅଲ ଇଣ୍ଡିଆ ଫେଡେରେସନ୍ ଅଫ ଟ୍ରେଡ଼ ୟୁନିୟନ ଜିଲ୍ଲା ଆବାହକ ପବନା, ଗୋଚ୍ଛାବାଡ଼ି ପଂଚାୟତ ସମିତି ସଭ୍ୟା ସୁକାନ୍ତି ଶବର, ଚାଷୀ ମୂଲିଆ ସଂଘର ବ୍ଲକ କମିଟି ଉଆଳି ଶବର, କମଳା ବେହେରା,ବାବୁଲା ନାଇକ, ପିତର ଶବର ପ୍ରମୁଖ ବକ୍ତବ୍ୟ ରଖିବା ସହ ନେତୃତ୍ୱ ନେଇଥିଲେ। ଏହି ଗଣ ବିକ୍ଷୋଭରେ ୪୦୦ ରୁ ଊର୍ଦ୍ଧ୍ବ ସଂଘର ମହିଳା ଓ ପୁରୁଷମାନେ ଯୋଗଦେଇଥିଲେ।
ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା