କୋଦଳା,୩୦/୦୧(ପିପିଟି):ବୁଧବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଖଣ୍ଡିଆନଈ ନିକଟସ୍ଥ ଟି ଭି ଏସ ସୋରୁମ ଠାରୁ ବେଗୁନିଆପଡାସ୍ଥିତ ପବନ ତନୟ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ପୂର୍ତ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଜାଗା ଚିହ୍ନଟ କାର୍ଯ୍ୟ ଶେଷ ହୋଇଥିବା ବେଳେ, ଗୁରବାର କଞ୍ଚଣା -ସୁମଣ୍ଡଳ ମୁଖ୍ୟ ରାସ୍ତାର ଲକ୍ଷ୍ମୀ ସିନେମା ହଲ ଠାରୁ କଞ୍ଚଣା ଛକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱର ଜାଗା ଚିହ୍ନଟ କରାଯାଇଅଛି । ତୋକଡ଼ ରାସ୍ତା ସାଙ୍ଗକୁ ଗାଡି ମୋଟର ଓ ଲୋକଙ୍କ ଗହଳି ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି କରିବା ସହ ଦୃଘଟଣା ମଧ୍ୟ ସୃଷ୍ଟି ହୋଇଥିବା ପୂର୍ବରୁ ନଜିର ରହିଛି । ଏହାକୁ ଦୃଷ୍ଟିରେ ରଖି ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ସମ୍ପ୍ରସାରଣ ସହ ଡ୍ରେନ ନିର୍ମାଣ ପାଇଁ ତ୍ୱରିତ ପଦକ୍ଷେପ ନିଆଯାଇଛି । ଏହି ରାସ୍ତା ସମ୍ପ୍ରସାରଣ ପ୍ରକ୍ରିୟାକୁ ନେଇ ଜନ ସାଧାରଣଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ବ୍ୟବସାୟୀ ମାନେ ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି । ଆଜିର ଏହି ଚିହ୍ନଟ ପ୍ରକ୍ରିୟାରେ ପୂର୍ତ୍ତ ବିଭାଗ ଏସ.ଡି.ଓ ମଳୟ ସାହୁଙ୍କ ସମେତ,କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ବିଶୋଇ, ରାଜସ୍ବ ବିଭାଗ ସୁପରଭାଇଜର ସଞ୍ଜୟ କୁମାର ସାହୁ, କେ.ବରିଡା ଆର.ଆଇ ଲକ୍ଷ୍ମୀଶ୍ରୀ ମହାରଣା, ମର୍ଦ୍ଦକୋଟ ଆର.ଆଇ ସନ୍ଦୀପ କୁମାର ମଲ୍ଲିକ, ଫାଶୀ ଆର ଆଇ ନାରାୟଣ କାର୍ଜି, ସୁମଣ୍ଡଳ ଆର ଆଇ ଜଗମୋହନ ନାୟକଙ୍କ ସମେତ ପୂର୍ତ୍ତ ବିଭାଗ କର୍ମଚାରୀ ଓ ରାଜସ୍ବ କର୍ମଚାରୀ ଉପସ୍ଥିତ ଥିବା ବେଳେ ସ୍ଥାନୀୟ ଜନସାଧାରଣ ଉତ୍ସାହର ସହିତ ଦେଖୁଥିଲେ ।
ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ