କୋଦଳା,୦୧/୦୩(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ରେ ଧୁମ ଧାମ ରେ ଚାଲିଛି ଐତିହାସିକ ଦୋଳଯାତ୍ରା, ଫେବୃଆରୀ ୨୭ ତାରିଖ ରୁ କୋଦଳା ବିଜେ ଆରାଧ୍ୟ ଦେବତା ବାବା ଶ୍ରୀ ଦଣ୍ଡିଶ୍ୱର ମହାଦେବ ଏବଂ ବିଶ୍ୱ ନିୟନ୍ତା ଜଗତର ନାଥ ଜଗନ୍ନାଥ ପ୍ରତ୍ୟକ ଦିନ ବିଳମ୍ବିତ ରାତ୍ରରେ ଘଣ୍ଟ ମୃଦଙ୍ଗ,ଢୋଲବାଦ୍ୟ ଏବଂ ପଶୁମୁଖା ଧାରୀଙ୍କ ସହିତ ବିରାଟ ପଟୁଆର ରେ ନିଜ ନିଜର ସୁ ସଜ୍ଜିତ ଖଟୁଳିରେ ନିଜ ନିଜ ମନ୍ଦିର ରୁ ବାହାରି ଗ୍ରାମର ପ୍ରତ୍ୟକ ଦୁଆରୁ ଭୋଗ ଖାଇ ଯାତ୍ରାପଦାରେ ହରିହର ଭେଟ ହୋଇ ସମସ୍ତ ଗ୍ରାମ ପରିକ୍ରମା କରି ନିଜ ମନ୍ଦିର କୁ ଫେରୁଛନ୍ତି । ଆସନ୍ତା କାଲି ଗ୍ରହଣ ଏବଂ ଆଜି ପନ୍ତିଭୋଗ ଲାଗିବା କାର୍ଯ୍ୟକ୍ରମ ଥିବାରୁ ମହାପ୍ରଭୁଙ୍କୁ ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ଆଜି ମନ୍ଦିର ରୁ ବାହାରି ଗ୍ରାମ ପରିକ୍ରମା କରିବେ ଏବଂ ଭୋର ସମୟ ରେ ନିଜ ନିଜ ଜାଗାରେ ରାଜାଅଗ୍ନୀରେ ଯୋଗଦେଇ ନିଜ ନିଜ ମନ୍ଦିରକୁ ଫେରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଗ୍ରହଣ ପରେ ପୁଣି ସମସ୍ତ ନୀତିକାନ୍ତି ସାରି ପୁଣି ଗ୍ରାମପରିକ୍ରମା କରି ଯାତ୍ରାମଣ୍ଡପରେ ପ୍ରବେଶ କରିବେ । ପ୍ରଶାସନର ବାଣ ଫୁଟାଇବା କଟକଣା ଥିବାରୁ ଆତସବାଜି ପ୍ରଦର୍ଶନ ବନ୍ଦ ରହିପାରେ, ଉକ୍ତ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବା ସହିତ ହୋଲିରେ ସମସ୍ତଙ୍କ ଆକାଂକ୍ଷିତ ପୌରାଣିକ ନାଟକ ରାମାୟଣ ମଞ୍ଚସ୍ଥ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ବାଣଯାତ୍ରା ବନ୍ଦ ହୋଇଥିଲେ ମଧ୍ୟ ଲାଇଟ ତୋରଣ ଓ ଆଲୋକ ସଜ୍ଜା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ନିଶ୍ଚିତ ମନମୋହିବ ବୋଲି ଉଭୟ ଯାତ୍ରାକମିଟି ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)