ବୟସ ବଢ଼ିବା ସାଥେ ସାଥେ
ମୁଁ ଏକା ହୋଇ ଯାଉଛି
ମୋ ଚାରି ପାଶେ ଲୋକଙ୍କ ଗହଳ
ତଥାପି ମୁଁ ନିଜକୁ ନିର୍ଜନ ନିବାସୀ….!!
ମନେ ହୁଏ
ମୁଁ ଏବେ ଅଲୋଡା ହୋଇଗଲି କି
ମନେ ମନେ ଅନେକ ପ୍ରଶ୍ନ
କାହିଁକି କେଜାଣି
ବୃକ୍ଷ ଟା ପତ୍ର ଝଡା ଦେଲା ପରେ
ବସନ୍ତ ବି ଦୂରେଇ ଯାଏ
ତା’ର ବାଟେ….
ଆଉ ପକ୍ଷୀ ମାନେ ପର କରିଦିଅନ୍ତି
ଠିକ୍ ବାର୍ଦ୍ଧକ୍ୟ ରେ ସ୍ପର୍ଶ ରେ….!!
ମୁଁ ଆଉ କାହାକୁ ନିଜର ଭାବି ବି
ଯୋଉ ମାନେ ଏତେ ଦିନର
ସଂପର୍କ ଯୋଡି ସବୁ ଲୁଟି ନେଇ ଗଲେ
ଏବେ ନିସ୍ବ ହେଲା ପରେ
କାହାର ଦେଖା ନାହିଁ…..
ସଂପର୍କ ସବୁ ନେବା ପାଇଁ
ଆଉ ଦେବା ପାଇଁ ନୁହେଁ….!!
ଯୁବାବସ୍ଥାରେ ମାଳ ମାଳ ପ୍ରେମିକା ଥିଲେ
କେତେ ବାହାନା ନେଇ
କେତେ କାହାଣୀ ଅଯଥାରେ ଗପୁଥିଲେ
ଏବେ ସେମାନେ ବି ଗୁପ୍ତ ବନ ବାସରେ…
ବିଷାଦ ବେଳେ ହସର ଆବଶ୍ୟକତା ପଡେ
ଆଉ ହସ ମାନେ କ’ଣ
ପଦିଏ ମିଠା କଥା….!!
ବାସ୍…..
ଏବେ ଘରେ ବି ନିରବ
ଘରଣୀକୁ ତର ନାହିଁ
ପୁଅ ଝିଅ ସେୟା…..
ସମସ୍ତେ ବ୍ୟସ୍ତ/ବିବ୍ରତ
ସମସ୍ତଙ୍କ ମୁହଁ ମୋ ପାଇଁ
ଘୋଡ଼ା ମୁହଁ….!!
ଠିକ୍
ଦୁନିଆକୁ ବୁଝିବା କଷ୍ଟ
ସାଙ୍ଗ ସାଥି ଯେତେ
ମୋ ପରି ବୟସର ଅପରାହ୍ନରେ ଛିଡ଼ା
କାହାକୁ କୋଉ ରୋଗ
ଓଷ ଖିଆ/ଡାକ୍ତର ଦେଖା
ଯନ୍ତ୍ରଣା ହିଁ ଯନ୍ତ୍ରଣା
ଶାରୀରିକ ମାନସିକ ଅସୁସ୍ଥ…..!!
ହଁ…..
ଜୀବନଟା ମରଣ ଅପେକ୍ଷାରେ
ହେଲେ ମରଣଟା
ବେଳେ ବେଳେ ଦେହରେ ଘସି ହୁଏ
ଠିକ୍ ପାହାଡରେ ମେଘ ମେଞ୍ଚେ
ପିଟି ହେଲା ପରି…..
ଏବେ ଦୁର୍ବଳ ହିଁ ଦୁର୍ବଳ
ସବୁଠି ଦୁର୍ବଳ ର ସାମ୍ରାଜ୍ୟ
କାହାକୁ ଆଉ ଟାଣ ପଦେ କହି
ଆଗକୁ ଅଗ୍ରସର ହେବାକୁ ବଳ ନାହିଁ….!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭