ଯାଜପୁର,୦୧/୦୨(ପିପିଟି): ଗତ କାଲି ଦାନଗଦି ଛକରେ ଏକ ଦୁର୍ଘଟଣାରେ ଦୁଇଜଣ ନାବାଳିକା ସ୍କୁଲ ଛାତ୍ରୀ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଅର୍ଚ୍ଚିତା ବେହେରାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ପୂର୍ବରୁ ଧୂଳିଗଡ଼ ଅଞ୍ଚଳର ବାପା ଅମିତାଭ ବେହେରାଙ୍କ ମୃତ୍ୟୁ ହୋଇ ଯାଇଥିଲା । ଅର୍ଚ୍ଚିତାଙ୍କ ମା ମୂଲ ଲାଗି ପରିବାର ଚଳାଉଥିଲେ । ପାଠ ପଢି ଅର୍ଚ୍ଚିତା ଚାକରି କରିବ, ମା ଓ ସାନ ଭାଇକୁ ଭଲରେ ରଖିବ ଏମିତି କିଛି ସ୍ୱପ୍ନ ଦେଖିଥିଲା। ହେଲେ ବିଧିର ବିଧାନ ଥିଲା ଅଲଗା । ଜଣେ ଟ୍ରକ ଡ୍ରାଇଭରର ବେପରୁଆ ଗାଡି ଚାଳନା ତାକୁ ଆରପାରିକୁ ନେଇ ଗଲା । ଦୁଃଖର ପାହାଡ଼ ଏବେ ଛିଣ୍ଡି ପଡିଛି ପରିବାର ଉପରେ । ହେଲେ ପରିବାର ଲୋକେ ଅର୍ଚ୍ଚିତାର ମୃତ୍ୟୁ ପରେ ତାର ଦୁଇ ଆଖିକୁ ଦାନ କରି ଦେଇଛନ୍ତି । ଏହି ଆଖି ଅନ୍ୟ ଦୃଷ୍ଟିହୀନ ବ୍ୟକ୍ତିଙ୍କ ପାଇଁ ବରଦାନ ହେବାକୁ ଯାଉଛି । ଅର୍ଚ୍ଚିତାର ଆଖିରେ ଆଉ କିଏ ଦୁନିଆ ଦେଖିବ । ଅର୍ଚ୍ଚିତା ସିନା ଆଜି ପର ପାରିରେ, ହେଲେ ଅର୍ଚ୍ଚିତା ଆଖି ବଞ୍ଚି ରହିଛି ଓ ଆଉ କାହାକୁ ଦୁନିଆ ଦେଖିବାରେ ସାହାଯ୍ୟ କରିବ ନିଶ୍ଚିତ ।