ଦୁଇ ଲକ୍ଷ ପଚାଶ ହଜାର ଟଙ୍କାର ମୂଲ୍ୟବାନ କାଠ ଜବତ ।

0 123

ମାଲକାନଗିରି,୧୬/୦୮ (ପିପିଟି): ବାଲିମେଳା ସଦରରେ ଜନୈକ ବ୍ୟକ୍ତିଙ୍କ ଘରେ ମୂଲ୍ୟବାନ କାଠ ରଖାଯାଇଥିବା ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଆଜି ବନ କର୍ମଚାରୀମାନେ ଚଢ଼ାଉ କରି ୪୫ ଖଣ୍ଡ ମୂଲ୍ୟବାନ କାଠ ଜବତ କରିବାରେ ସଫଳ ହୋଇଛନ୍ତି। ଯାହାର ବଜାର ମୂଲ୍ୟ ୨ ଲକ୍ଷ ୫୦ ହଜାର ଟଙ୍କା ବୋଲି କୁହାଯାଇଛି।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ,ବିଶେଷ ସୂତ୍ରରୁ ଖବର ପାଇଁ ବାଲିମେଳା ବନାଞ୍ଚଳ ତରଫରୁ ବାଲିମେଳା ସହର ମଧ୍ୟସ୍ଥ ମନ୍ଦିର ତଳ ଲାଇନ (ୱାର୍ଡ ନଂ -୦୯) ଠାରେ ମୋହିଦ୍ଦିନ ଶରିଫ୍(୫୦ )ବାସଗୃହରେ ଆଜି ଚଢାଉ କରାଯାଇଥିଲା । ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କୋଟାପାଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ବାଲିମେଳା ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀଙ୍କ ନେତୃତ୍ଵରେ ବାଲିମେଳା ବନାଞ୍ଚଳର ୩୭ ଜଣ କର୍ମଚାରୀ ଏବଂ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ତଥା ଚିତ୍ରକୋଣ୍ଡା ଅତିରିକ୍ତ ତହସିଲଦାର ପ୍ରଶାନ୍ତ ଭତ୍ରାଙ୍କ ଉପସ୍ଥିତିରେ ଚଢାଉ କରାଯାଇଥିଲା । ବନାଞ୍ଚଳ ଅଧିକାରୀଙ୍କ ଦ୍ଵାରା ଚିଠି କରାଯାଇଥିବା ସର୍ଚ ୱାରେଣ୍ଟ ବଳରେ ବନପାଳ ମୋହନ ଗୁଡ଼ିଆ ଏବଂ ଅନ୍ୟ କର୍ମଚାରୀ ତଦନ୍ତ କରିଥିଲେ । ମୋହଦ୍ଦିନ ଶରୀଫ୍ ତଦନ୍ତ ସମୟରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ସେ ତାଙ୍କ ଝିଅର ବାହାଘର ପାଇଁ ଏହି କାଠ ଗୁଡିକୁ କିଣି ଘରେ ରଖିବା ପ୍ରକାଶ କରିଥିଲେ । ଚଢାଉରେ ପ୍ରାୟ ୪୫ ଖଣ୍ଡ ଶିଶୁ , ଶାଗୁଆନ ଏବଂ ପିଆଶାଳ କାଠ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨,୫୦,୦୦୦ ଟଙ୍କା ହେବ ବୋଲି ଜଣାପଡିଛି। ଜବତ କାଠ ସପକ୍ଷରେ ମୋହଦ୍ଦିନ ଶରିଫ୍ କୌଣସି ବୈଧ କାଗଜ ପାତ୍ର ଦେଖାଇ ପାରି ନଥିଲେ । କାଠ ଗୁଡ଼ିକ ଜବତ ପରେ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟଳୟରେ ବନରକ୍ଷୀ ପ୍ରଶାନ୍ତ କୁମାର ରାଉତଙ୍କ ଜିମାରେ ରଖାଯାଇଛି । ଘଟଣାର ଉତ୍ସକୁ ପହଞ୍ଚିବା ନିମନ୍ତେ ବନ ବିଭାଗ ଏକ ଜଙ୍ଗଲ ମୋକଦମା ରୁଜୁ କରି ଅଧିକ ତଦନ୍ତ ଚାଲୁରଖିଛି । ଆଜି ଚଢ଼ାଉରେ ବାଲିମେଳା ବନପାଳ ମୋହନ ଗୁଡିଆ ଓ କୁମାରୀ ଜ୍ୟୋତି ଡୁଙ୍ଗଡୁଙ୍ଗ ଏବଂ ବନାଞ୍ଚଳର ସମସ୍ତ ବନରକ୍ଷୀ ସହଯୋଗ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ମାଲକାନଗିରି)

Leave A Reply

Your email address will not be published.