ଭଞ୍ଜନଗର, ୧୧/୦୯(ପିପିପି): ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଥିବା ଛାତ୍ରୀ ନିବାସ ଚଳିତ ଶିକ୍ଷାବର୍ଷ ଠାରୁ କାର୍ଯ୍ୟକ୍ଷମ ହୋଇଛି।ଭଞ୍ଜନଗର ଆଖପାଖ ଏବଂ ବାହାର ଅଞ୍ଚଳରୁ ଆସି ଏଠାରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରୀ ମାନେ ରହିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ସେମାନଙ୍କ ସୁବିଧା ଦୃଷ୍ଟିରୁ କଲେଜ ପରିସରରେ ରହିଥିବା ଛାତ୍ରୀନିବସ ଚଳିତ ଶିକ୍ଷା ବର୍ଷରୁ କଲେଜ କର୍ତ୍ତୁପକ୍ଷ ଆରମ୍ଭ କରିଥିବା ଜଣାପଡିଛି। ପ୍ରାଥମିକ ସ୍ତରରେ କିଛି ଛାତ୍ରୀ ଏଠାରେ ରହିଥିବା ବେଳେ ଅନ୍ୟ ଛାତ୍ରୀମାନେ ମଧ୍ୟ ହଷ୍ଟେଲ୍ରେ ରହିବା ପାଇଁ ଅlବେଦନ କରିପାରିବେ ବୋଲି ଅଧ୍ୟକ୍ଷ ଡ.ସୁଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି। ଏଠାରେ ୭୦ ଜଣ ରହିବା ପାଇଁ ବ୍ୟବସ୍ଥା ରହିଥିବା ବେଳେ ବର୍ତ୍ତମାନ ୧୫ ଜଣ ଛାତ୍ରୀ ରହୁଛନ୍ତି। ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ ସୁରକ୍ଷା ପାଇଁ ସିସି ଟିଭି କ୍ୟାମେରା ବ୍ୟବସ୍ଥା ଠାରୁ ହଷ୍ଟେଲ ଭିତରକୁ ଅନ୍ୟ କାହାରିକୁ ପ୍ରବେଶ ନିଷେଧ,ସନ୍ଧ୍ୟାରୁ ସକାଳ ଯାଏଁ ୧୨ ଘଣ୍ଟା ଫାଟକ ବନ୍ଦ ରଖିବା,ବିଶୃଙ୍ଖଳା ଓ ମୋବାଇଲ ବ୍ୟବହାର ନିଷେଧ ଭଳି ବିଭିନ୍ନ ନିୟମାବଳୀ ଜାରି କରାଯାଇଛି। ପ୍ରକାଶ ଥାଉକି ଏହି ହଷ୍ଟେଲ୍ଟି ଗତ ୨୦୧୪ ମସିହାରୁ ନିର୍ମାଣ ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରି ନଥିଲା। ଚଳିତ ଶିକ୍ଷାବର୍ଷ ପୂର୍ବରୁ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଓ ପରିଚାଳନା କମିଟି ସଭାପତି ତଥା ଉପଜିଲ୍ଲାପାଳ ଉମା ଶଙ୍କର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବବଧାନରେ ଏହି ହଷ୍ଟେଲକୁ କାର୍ଯ୍ୟକ୍ଷମ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ ଏହି ଛାତ୍ରୀ ନିବାସର ଅଧୀକ୍ଷକ ଭାବେ ଅଧ୍ୟାପିକା ଉର୍ମିଳା ପାଟ୍ଟଯୋଶୀ, ଡ.ସଂଯୁକ୍ତା ପଟ୍ଟନାୟକ,ଉପାଧ୍ୟକ୍ଷ ଭାବେ ସନ୍ଧ୍ୟାରାଣୀ ପ୍ରଧାନ,ରଶ୍ମିତା ବେହେରାଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିବା କଲେଜର ଅଧ୍ୟକ୍ଷ ଡ଼ ମଲ୍ଲିକ ସୂଚନା ଦେଇଛନ୍ତି।
ରିପୋର୍ଟ୍ -(ଜେ କେ ପଟ୍ଟନାୟକ)