ମାଲକାନଗିରି,୧୮/୦୩(ପିପିଟି) :ମାର୍ଚ୍ଚ ୧୦ ତାରିଖ ରୁ ଜିଲ୍ଲାର ଜାତୀୟ ସ୍ଵାସ୍ଥ୍ୟ ମିଶନରେ କାର୍ଯ୍ୟ ରତ ଠିକା କର୍ମଚାରୀ ମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ପରିଚାଳନା କମିଟି, ମାଲକାନଗିରି ଶାଖାର ସଭାପତି ବିକାଶ କୁମାର ମିଶ୍ର ଙ୍କ ନେତୃତ୍ୱରେ ଜିଲ୍ଲା ସଦର ଏବଂ ବ୍ଲକ ରେ କାର୍ଯ୍ୟ ରତ ୮୯ କର୍ମଚାରୀ କାର୍ଯ୍ୟ ବନ୍ଦ କରି ଭୁବନେଶ୍ୱରର ଲୋୟାର ପିଏମଜି ଛକରେ ଜନସ୍ୱାସ୍ଥ୍ୟ ପରିଚାଳନା ପଦବୀ ଏବଂ ସ୍ଥାୟୀ ନିଯୁକ୍ତି ଆଦି ଦୁଇ ଦଫା ଦାବି ନେଇ ରାଜରାସ୍ତାରେ ଗଣ ଧାରଣାରେ ବସିଛନ୍ତି । ଦୀର୍ଘ ୨୦ ବର୍ଷ ଧରି ଠିକା କର୍ମଚାରୀ ଭାବେ କାର୍ଯ୍ୟ କରି ମଧ୍ୟ ଏଯାବତ ସରକାର ଏମାନଙ୍କର କୌଣସି ଦାବିକୁ କର୍ଣ୍ଣପାତ କରି ନାହାଁନ୍ତି l ପ୍ରକାଶ ଥାଉ କି ଉକ୍ତ କର୍ମଚାରୀ ମାନେ ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ ଯୋଜନା ଯଥା : ମାତୃ ଏବଂ ଶିଶୁ ମୃତ୍ୟ ହାର ହ୍ରାସ, ଜନନୀ ଶିଶୁ ସୁରକ୍ଷା ଯୋଜନା, ରାଷ୍ଟ୍ରୀୟ ବାଳ ସୁରକ୍ଷା କାର୍ଯ୍ୟକ୍ରମ, ଯକ୍ଷ୍ମା, କୁଷ୍ଠ ମ୍ୟାଲେରିଆ, ଫାଇଲେରିଆ ରୋଗର ନିରାକରଣ ପରିଚାଳନା, ମାନସିକ ରୋଗ, ଅଣସଂକ୍ରାମକ ରୋଗର ପରିଚାଳନା, ଆଉଟ ବ୍ରେକ ପରିଚାଳନା, ଦୈନଦିନ ଚିକିତ୍ସାଳୟ ପରିଚାଳନା, ରୋଗୀ ପରାମର୍ଶ, ଆଶା ପୈଠ ଇତ୍ୟାଦି ସେବାରେ କାର୍ଯ୍ୟ ରତ । ବର୍ତ୍ତମାନ ଆନ୍ଦୋଳନ ଯୋଗୁଁ ଭାରତ ସରକାରଙ୍କ ଶହେ ଦିନର ଯକ୍ଷ୍ମା ନିୟନ୍ତ୍ରଣ କ୍ଯାମ୍ପେନ, ୪୦ ଦିନର ଅଣସଂକ୍ରମକ ରୋଗ ଚିହ୍ନଟ ଏବଂ ପରିଚାଳନା, ଆୟୁଷ୍ମାନ ଭାରତ ବୀମା କାର୍ଡ ବଣ୍ଟନ, ସିକେଲ ସେଲ ରୋଗ ର ପରିଚାଳନା, ଅଂଶୁଘାତ ପରିଚାଳନା, ସମସ୍ତ ପୋର୍ଟାଲ ରିପୋର୍ଟିଂ ବାଧାପ୍ରାପ୍ତ ହୋଇଛି l ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ସଭାପତି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି l
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)