ଭଞ୍ଜନଗର, ୨୫/୧୦(ପିପିଟି): ଦଶହରା ପର୍ବକୁ ସମସ୍ତେ ଆନନ୍ଦ ଉଲ୍ଲାସର ସହ ପାଳନ କରୁଥିବା ବେଳେ ଭଞ୍ଜନଗର ଥାନା ଅନ୍ତର୍ଗତ ବାହାଡ଼ା ପଦର ଗ୍ରାମରେ ଏକ ଅଘଟଣ ଘଟିଯାଇଛି। ଜୟ ବିଷୋୟୀଙ୍କ ପୁଅ ସନ୍ତୋଷ ବିଷୋୟୀ(୩୬) ମଙ୍ଗଳବାର ରାତି ୯ଟା ସମୟରେ ଘରୁ ଖାଇପିଇ ଟିକେ ଗାଁ’ ଆଡ଼େ ବୁଲିବାକୁ ବାହାରି ଥିଲେ।ହେଲେ ରାତି ପ୍ରାୟ ଗୋଟାଏ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇ ସନ୍ତୋଷକୁ ଖୋଜା ଖୋଜି କରିଥିଲେ।ଖବର ପାଇ ତାର କିଛି ସମ୍ପର୍କୀୟ ମାନେ ମଧ୍ୟ ଏଣେତେଣେ ରାତିରେ ଟର୍ଚ୍ଚ ଧରି ଖୋଜିବାରେ ଗ୍ରାମର ଉତ୍ତର ପଟ ସାହି ବାଡ଼ି ପଟେ ଥିବା ଏକ କୂଅ ପାଣିରେ ସନ୍ତୋଷ ଭାସୁଥିବା ଦେଖି ତୁରନ୍ତ ତାକୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲକୁ ଆଣିଥିଲେ।ହେଲେ ଏଠାରେ ଡାକ୍ତର ସନ୍ତୋଷକୁ ମୃତ ଘୋଷଣା କରିଥିଲେ।କେଉଁ କାରଣରୁ ସନ୍ତୋଷ ରାତିରେ ସେଠାକୁ ଯାଇ ଥିଲା ତାହା ଜଣା ପଡ଼ିନାହିଁ।ପୁଲିସ ଶବ ଜବତ କରି କେସ ନଂ ୪୫/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।ସନ୍ତୋଷ ସୁରଟରେ କାମ କରୁଥିବା ବେଳେ ଦଶହରା ସକାଶେ ଗ୍ରାମକୁ ଆସିଥିଲା।ଘରେ ତାର ପତ୍ନୀ,ଛୋଟ ଛୋଟ ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ଜଣାପଡ଼ିଛି।ଏଭଳି ଏକ ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ରିପୋର୍ଟ୍ -(ଜେ. କେ ପଟ୍ଟନାୟକ)